କନକ ବ୍ୟୁରୋ : ମହାରାଣୀ କାମସୁନ୍ଦରୀ ଦେବୀ...ଜଣେ ଏମିତି ବ୍ୟକ୍ତିତ୍ବ ଥିଲେ ଯିଏ ଶକ୍ତି ପ୍ରଦର୍ଶନ ପାଇଁ ନୁହେଁ ବରଂ କର୍ତ୍ତବ୍ୟର ନୀରବ ଶକ୍ତି ପାଇଁ ଜଣାଶୁଣା ଥିଲେ । ବିହାରର ଦରଭଙ୍ଗା ରାଜପରିବାରର ଶେଷ ରାଣୀ ଥିବା ଏହି ମହିଳା ଏବେ ଦୁନିଆରୁ ବିଦାୟ ନେଇ ସାରିଛନ୍ତି । ମହାରାଣୀଙ୍କ ଦେହାନ୍ତ ସହ ମିଥିଳାର ରାଜକୀୟ ପରମ୍ପରାର ଶେଷ ସ୍ପନ୍ଦନଶୀଳ ଅଧ୍ୟାୟ ମଧ୍ୟ ଇତିହାସ ହୋଇଯାଇଛି । ଗତ ୬ ମାସ ଧରି ଅସୁସ୍ଥ ଥିବା ମହାରାଣୀ ଦରଭଙ୍ଗାର କଲ୍ୟାଣୀ ନିବାସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କାମସୁନ୍ଦରୀ ଦେବୀଙ୍କ ଜନ୍ମ ୨୨ ଅକ୍ଟୋବର ୧୯୩୨ ମସିହାରେ ବିହାରର ମଧୁବନୀ ଜିଲ୍ଲାର ମାଙ୍ଗରୌଣୀରେ ହୋଇଥିଲା । ସେ ଦରଭଙ୍ଗାର ଶେଷ ଶାସକ ମହାରାଜା କାମେଶ୍ୱର ସିଂହଙ୍କ ତୃତୀୟ ପତ୍ନୀ ଥିଲେ । ଏହି ଦମ୍ପତି ୧୯୪୦ ମସିହାରେ ବିବାହ କରିଥିଲେ ଏବଂ ଦୁହିଁଙ୍କ କୌଣସି ସନ୍ତାନ ନଥିଲେ । ମହାରାଜାଙ୍କ ପ୍ରଥମ ଦୁଇ ପତ୍ନୀ ରାଜଲକ୍ଷ୍ମୀ ଦେବୀ ଏବଂ କାମେଶ୍ୱରୀ ପ୍ରିୟା ଦେବୀଙ୍କ ଦେହାନ୍ତ ହେବା ପରେ ମାତ୍ର ୮ ଆଠ ବର୍ଷ ବୟସରେ କାମସୁନ୍ଦରୀ ଦେବୀଙ୍କୁ ବିବାହ କରିଥିଲେ ମହାରାଜା । ତାଙ୍କ ପୂର୍ବ ନାମ ଥିଲା କଲ୍ୟାଣୀ ଏବଂ ଦରଭଙ୍ଗା ରାଜପରିବାର ତାଙ୍କୁ କାମସୁନ୍ଦରୀ ନାମ ଦେଇଥିଲେ । ମହାରାଜା କାମେଶ୍ୱର ସିଂହଙ୍କର ୧୯୬୨ ମସିହାରେ ଦେହାନ୍ତ ହୋଇଥିଲା । ଦୀର୍ଘ ୬୪ ବର୍ଷ ଧରି ବିଧବା ଜୀବନ ବିତାଇଥିଲେ ମହାରାଣୀ ।

Advertisment

ଆଗକୁ ପଢ଼ନ୍ତୁ : ଭୋକରେ ବୁଲିଲା ୧୨୦ ଘଣ୍ଟା : ହନୁମାନଙ୍କ ଚାରିପଟେ କଲା ପରିକ୍ରମା , ଚମତ୍କାରୀ କୁକୁରକୁ ଦେଖିବାକୁ ପ୍ରବଳ ଭିଡ଼

କାମସୁନ୍ଦରୀ ଦେବୀଙ୍କ ବ୍ୟକ୍ତିତ୍ୱ କେବଳ ଜଣେ ରାଣୀଙ୍କ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ ସୀମିତ ନଥିଲା । ସେ ତାଙ୍କର ତ୍ୟାଗ, ଦାନ, ଦାୟିତ୍ୱ, ନେତୃତ୍ୱ ଏବଂ ନୀରବ ଦେଶପ୍ରେମ ପାଇଁ ମଧ୍ୟ ଜଣାଶୁଣା ଥିଲେ । ୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧ ସମୟରେ ଦରଭଙ୍ଗା ରାଜପରିବାରର ଅବଦାନ ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯେତେବେଳେ ଦେଶ ଏକ ଘୋର ସମ୍ବଳ ଅଭାବ ଏବଂ ଜାତୀୟ ସଙ୍କଟର ସମ୍ମୁଖୀନ ହେଉଥିଲା ସେତେବେଳେ ଦରଭଙ୍ଗା ରାଜପରିବାର ଭାରତ ସରକାରଙ୍କୁ ୬୦୦ କିଲୋଗ୍ରାମ ସୁନା ଦାନ କରିଥିଲେ । ଏହା କେବଳ ଆର୍ଥିକ ସହାୟତା ନୁହେଁ ବରଂ ଏକ ନୈତିକ ସମର୍ଥନ ମଧ୍ୟ ଥିଲା । ଏହାଛଡ଼ା ରାଜପରିବାର ତାଙ୍କର ତିନୋଟି ବ୍ୟକ୍ତିଗତ ବିମାନ ଏବଂ ୯୦ ଏକର ଘରୋଇ ବିମାନବନ୍ଦର ମଧ୍ୟ ଦେଶକୁ ଦାନ କରିଥିଲେ । ଆଜିର ଦିନରେ ଦରଭଙ୍ଗା ବିମାନବନ୍ଦର ଏହି ଭୂମିରେ ଛିଡ଼ା ହୋଇଛି ।

ଆଗକୁ ପଢ଼ନ୍ତୁ : ଦିନକର ଝିଅ , ଷ୍ଟ୍ରେଚରରେ ପତ୍ନୀ : ଆରପାରିରେ ଯବାନ ସ୍ବାମୀ

ମହାରାଜାଙ୍କ ମୃତ୍ୟୁ ପରେ କାମସୁନ୍ଦରୀ ଦେବୀ ତାଙ୍କ ସ୍ମୃତିରେ କଲ୍ୟାଣୀ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଏହି ଫାଉଣ୍ଡେସନ ମାଧ୍ୟମରେ ସେ ତାଙ୍କ ନାମରେ ଏକ ପାଠାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ଯେଉଁଥିରେ ୧୫ ହଜାରରୁ ଅଧିକ ପୁସ୍ତକ ରହିଛି । ରାଜପରିବାରରୁ ଆସିଥିବା ସତ୍ତ୍ୱେ କାମସୁନ୍ଦରୀ ଦେବୀ ସରଳତା ଏବଂ ସଂଯମତାର ଜୀବନ ଜିଉଁଥିଲେ। ମହାରାଜା କାମେଶ୍ୱର ସିଂହଙ୍କ ମୃତ୍ୟୁ ପରେ ସେ ସମ୍ପତ୍ତି ଏବଂ ଟ୍ରଷ୍ଟ ସହିତ ଜଡ଼ିତ ଅନେକ ଆଇନଗତ ବିବାଦର ସମ୍ମୁଖୀନ ମଧ୍ୟ ହୋଇଥିଲେ । ମହାରାଣୀଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ସରଳ, ସଂଯମ ଏବଂ ସମ୍ବେଦନଶୀଳ ଥିଲା । ଐତିହାସିକମାନେ କୁହନ୍ତି ଯେ ଦରଭଙ୍ଗା ରାଜପ୍ରାସାଦ ଏକ ସାମନ୍ତବାଦୀ ସମ୍ପତ୍ତି ଅପେକ୍ଷା ବହୁତ ଅଧିକ ଥିଲା। ଏହା ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିଥିଲା, ପିଢ଼ି ପରେ ପିଢ଼ି ବିହାରର ଶିକ୍ଷାଗତ, ସାଂସ୍କୃତିକ ଏବଂ ବୌଦ୍ଧିକ ଜୀବନକୁ ପ୍ରଭାବିତ କରିଥିଲା । ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟ ଏହି ରାଜକୀୟ ପରିସର ମଧ୍ୟରେ ଅବସ୍ଥିତ । ଦରଭଙ୍ଗା ରାଜପରିବାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ, ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଏବଂ ପାଟନା ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଦରଭଙ୍ଗା ମେଡିକାଲ କଲେଜ ମଧ୍ୟ ଏହାର ଏକ ଉଲ୍ଲେଖନୀୟ ଐତିହ୍ୟ । ପରିବାରଟି ସାକ୍ରି, ଲୋହାଟ, ରାୟମ ଏବଂ ହସନପୁରରେ ଚିନି ମିଲ୍, ପାଣ୍ଡୌଲରେ ଏକ ସୂତା ମିଲ୍, ହୟାଘାଟରେ ଅଶୋକ କାଗଜ ମିଲ୍ ଏବଂ ସମସ୍ତିପୁରରେ ରାମେଶ୍ୱର ଜୁଟ୍ ମିଲ୍ ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିଥିଲା । ରାଜପରିବାର ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କୁ ତାଙ୍କ ଗବେଷଣା ପାଇଁ ଏକ ମୂଲ୍ୟବାନ ହୀରା ମଧ୍ୟ ଉପହାର ଦେଇଥିଲେ ।