କନକ ବ୍ୟୁରୋ : ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ୟୁପିଏ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ । ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ "ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ' ବିଲ୍ ୨୦୨୫ ବା "ଭିବି-ଜୀ-ରାମ ଜୀ' ପ୍ରସ୍ତୁତ ହୋଇଛି । ଏହି ବିଲକୁ ଚଳିତ ଶୀତକାଳନୀ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଯିବ । ଏନେଇ କୁହାଯାଇଛି କି, ଏହାର ଉଦ୍ଦେଶ୍ୟ "ବିକଶିତ ଭାରତ ୨୦୪୭' ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା । ମନରେଗାର ପରିବର୍ତ୍ତନ କେବଳ ନାମକୁ ନେଇ ନୁହେଁ ବରଂ ନିୟମରେ ମଧ୍ୟ ହେବାକୁ ଯାଉଛି । ଏଥିରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୧୦୦ ଦିନରୁ ଅଧିକ ଦିନ କାମ ମିଳିବ । ଏହା ସହ ପୂର୍ବ ଅପେକ୍ଷା ଖୁବଶୀଘ୍ର ଶ୍ରମିକଙ୍କ ଖାତାକୁ ପାରିଶ୍ରାମିକ ଯିବ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ । କାରଣ ଆର୍ଥିକ ଅନୁଦାନର ତରିକା ବି ବଦଳିବାକୁ ଯାଉଛି । ପୂର୍ବରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ନୂଆ ନିୟମ ମୁତାବକ କିଛି ଅନୁଦାନ ରାଜ୍ୟ ସରକାରଙ୍କୁ ବି ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ : ଲମ୍ବିଛି ମନରେଗା ଦୁର୍ନୀତିର ଚେର, କେଉଁଠି ପିଚୁ ବଦଳରେ ମାଟି ତ କେଉଁଠି ବୃଦ୍ଧାଙ୍କ ନାଁରେ ହୋଇଛି ଦୁର୍ନୀତି
ମନରେଗା ୨୦୦୬ ମସିହାରେ ଲାଗୁ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଏହି ଯୋଜନାରେ ୧୧.୭୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ମଧ୍ୟରୁ ୨୦୧୪ ରୁ ଏପର୍ଯ୍ୟନ୍ତ ୭.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାର ଏହି ଯୋଜନାକୁ ବଦଳାଇବାକୁ ଦୁଇଟି ଯୁକ୍ତି ଉପସ୍ଥାପନ କରିଛନ୍ତି । ସରକାର କହିଛନ୍ତି କି, ଏହି ଯୋଜନା ଲାଗୁ ହେବା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ୨୦୧୧-୧୨ ରେ ଗ୍ରାମୀଣ ବେରୋଜଗାରୀ ଦର ୨୫.୭ ପ୍ରତିଶତ ଥିଲା । ୨୦୨୩-୨୪ ରେ ଏହା ହ୍ରାସ ପାଇ ୪.୮୬ ପ୍ରତିଶତ ହୋଇଛି । ଏହାସହ ସବୁ ପ୍ରଚେଷ୍ଠା ପରେ ବି ଏହି ଯୋଜନାରେ ଦୁର୍ନୀତି କମିବାର ନାଁ ନେଉନି । ୨୦୨୪-୨୫ ରେ ଏହି ଯୋଜନାରେ ୧୯୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ତାଗିଦକୁ ଖାତିର ନାହିଁ ; ଜେସିବି କରୁଛି ମନରେଗା କାମ, କାଗଜ କଲମରେ ହେଉଛି ଜବ୍ କାର୍ଡ କାର୍ଯ୍ୟ
ମନରେଗା ଯୋଜନାରେ ଶ୍ରମିକଙ୍କୁ ୧୦୦ ଦିନର କାମ ମିଳୁଥିବା ବେଳେ ଜୀ-ରାମ-ଜୀ ଯୋଜନାରେ ୧୨୫ ଦିନର କାମ ମିଳିବ । ଏହି ଯୋଜନାରେ ଅନୁଦାନ ତରିକା ବି ବଦଳିବ । ପୂର୍ବରୁ ଏହି ଯୋଜନା ପାଇଁ କେବଳ କେନ୍ଦ୍ର ସରକାର ଅନୁଦାନ ଦେଉଥିବା ବେଳେ ଏବେ ରାଜ୍ୟ ସରକାର ମଧ୍ୟ କିଛି ଅନୁଦାନ ଦେବେ । ପୂର୍ବରୁ ଶ୍ରମିକଙ୍କୁ ପ୍ରତି ୧୫ ଦିନରେ ପାରିଶ୍ରାମିକ ମିଳୁଥିବା ବେଳେ ଏବେ ପ୍ରତି ସପ୍ତାହରେ ପାରିଶ୍ରାମିକ ପ୍ରଦାନ କରାଯିବ ।
Follow Us