କନକ ବ୍ୟୁରୋ: ମାତ୍ର ଦୁଇ ଦିନ ତଳେ ଜେସିବିରେ ମନରେଗା କାମ ନକରିବାକୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ ।  ଶ୍ରମିକଙ୍କ ଦ୍ବାରା ସବୁ କାମ କରାଇବାକୁ ବିଡିଓମାନଙ୍କୁ କହିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଗିଦକୁ ଖାତିର ନାହିଁ । ଜେସିବି କରୁଛି ମନରେଗା କାମ ,କାଗଜ କଲମରେ ହେଉଛି ଜବ୍ କାର୍ଡ କାର୍ଯ୍ୟ । 

Advertisment

ମନରେଗାରେ ମେସିନରେ କାମ ନକରି ଶ୍ରମିକଙ୍କ କରାଇବାକୁ ବିଡିଓମାନଙ୍କୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଡମ୍ବନାର ବିଷୟ ମୁଖ୍ୟମନ୍ତ୍ରୀ କହିବାର ମାତ୍ର ୭୨ ଘଣ୍ଟା ନପୂରୁଣୁ ପୁରୀ ଜିଲ୍ଳା ଡେଲାଙ୍ଗରୁ ଆସିଛି ଆଶ୍ଚର୍ଯ୍ୟକଲା ଭଳି ଖବର । ଗୁଆଳିପଡା ପଞ୍ଚାୟତରେ ମେସିନ୍ ସହାୟତାରେ ଚାଲିଛି ମନରେଗା କାମ । ଜେସିବିରେ ହେଉଛି ଗଡ଼ିଆ ଖୋଳା । ଟ୍ରାକ୍ଟର ଲଗାଇ ମାଟି ବୁହାଚାଲିଛି । ଯାହାକୁ ନେଉ ଉଦବେଗ ପ୍ରକାଶ କରିଛନ୍ତି ଗ୍ରାମବାସୀ । 

ବଡକଥା ହେଉଛି ମାଟି ଖୋଳି ଆଉ ଏକ ପୋଖରୀ ପୋତି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରପଞ୍ଚଙ୍କ ପ୍ରତିନିଧି ଅଜବ ଯୁକ୍ତି ରଖିଛନ୍ତି । କହିଛନ୍ତି, ଯେଉଁମାନେ କାର୍ଯ୍ୟ କରିବାକୁ ଚାହୁଛନ୍ତି ମତେ ଜବକାର୍ଡ ଦିଅନ୍ତୁ ମୁଁ ତାଙ୍କୁ କାମ ଦେବି ।

କେବଳ ଡେଲାଙ୍ଗର ଏହି ଅଞ୍ଚଳରୁ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏହି ଅଭିଯୋଗ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ତଥାପି ଲାଭଖୋର ଠିକାଦାର ଓ ଅସାଧୁ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମେସିନ୍ ସହାୟତାରେ ଚାଲିଛି ମନରେଗା କାର୍ଯ୍ୟ ।