କନକ ବ୍ୟୁରୋ : ଜମି ଦେବେ, ଘର ବି ଛାଡ଼ିବେ, ସର୍ବସ୍ୱହରା ହେଲା ପରେ ବିସ୍ଥାପିତ ହେବେ । ଆଉ ଏହା ପରେ ଏହି ବିସ୍ଥାପିତଙ୍କ ଜମିରେ ରାଷ୍ଟ୍ରର ବିକାଶ ହେବ ଓ କୋଇଲା ଉତ୍ତୋଳନ ହେବ । ହେଲେ ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ବିସ୍ଥାପିତଙ୍କୁ କେତେ ଯେ କଷଣ ସହିବାକୁ ପଡ଼ୁଛି, ତାହା ଆମେ ଆପଣଙ୍କ ପାଖରେ, ସରକାରଙ୍କ ପାଖରେ ଓ ପ୍ରଶାସନ ପାଖରେ ଲଗାତାର ଭାବରେ ରଖି ଆସୁଛୁ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ଗୋପାଳପୁର ଗାଁ, ଯେଉଁ ଗାଁର ସମସ୍ତ ଜମିକୁ ବର୍ତ୍ତମାନ ଏମସିଏଲକୁ ହସ୍ତାନ୍ତର କରାଯାଇଛି । ଏମସିଏଲ ଏଠାରେ ସିଆରମାଲ ପ୍ରୋଜେକ୍ଟ କରି କୋଇଲା ଖନନ ଆରମ୍ଭ କରିଛି । ହେଲେ ଏବେ ଯାଏଁ ଗୋପାଳପୁରବାସୀଙ୍କୁ କେବଳ ଜମିର ଟଙ୍କା ମିଳିଛି । 

Advertisment

ପୁର୍ନବାସ ଓ ଥଇଥାନର ସଂପୂର୍ଣ୍ଣ ସୁବିଧା ଲୋକଙ୍କୁ ମିଳିପାରିନାହିଁ । ହେଲେ ଚାକିରି ଦେବା ନାଁରେ ବିସ୍ଥାପିତଙ୍କୁ କଷଣ କରିବାକୁ ପଡ଼ୁଛି । ତେଜରାଜ ପତି ବିସ୍ଥାପିତ , ହେଲେ ନିୟମ ଅନୁସାରେ ତାଙ୍କ ପୁଅ ଅଜୟ କୁମାର ପତିଙ୍କୁ ଏମସିଏଲ ଚାକିରି ଦେବା କଥା । ହେଲେ ସର୍ଭେ ସମୟରେ ସେମାନେ ଚାକିରି କରିବୁ ବୋଲି କହିଥିବା ବେଳେ ଜୋରଜବରଦସ୍ତ ଚାକିରି ବାବଦରେ ଟଙ୍କା ଦିଆଯିବ ବୋଲି ସର୍ଭେ ରିପୋର୍ଟରେ ଏମସିଏଲ ପ୍ରକାଶିତ କଲା । ଏହାକୁ ନେଇ ପରିବାର ଲୋକ ସୁପ୍ରିମକୋର୍ଟର ବେଞ୍ଚ ବା କ୍ଲେମ କମିସନଙ୍କ ଦ୍ୱାରସ୍ଥ ହେଲେ କ୍ଲେମ କମିସନ ଏମସିଏଲକୁ ଅଜୟ କୁମାର ପତିଙ୍କୁ ଚାକିରି ଦେବା ପାଇଁ ନିର୍ଦ୍ଦେଶ ବି ଦେଲେ । ତଥାପି ଏମସିଏଲ ଶୁଣିଲା ନାହିଁ । ଏହା ପରେ ପରିବାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । 

ଅଧିକ ପଢ଼ନ୍ତୁ--ଚର୍ଚ୍ଚାରେ ହୀରାକୁଦ ମାଷ୍ଟର ପ୍ଲାନ୍‌; ପୁଣି ବିସ୍ଥାପିତ ହେବ ଅନେକ ଗାଁ !

ହାଇକୋର୍ଟ ମଧ୍ୟ ଶୁଣାଣି କରି ଅଜୟ କୁମାର ପତିଙ୍କୁ ଚାକିରି ଦେବା ପାଇଁ ଏମସିଏଲକୁ ନିର୍ଦ୍ଦେଶ ଦେଲେ । ତଥାପି ଏମସିଏଲ ଖାତିର କଲା ନାହିଁ କି ଚାକିରି ଦେଲା ନାହିଁ। ଏବେ ଗାଁ ମୁଣ୍ଡକୁ ମାଡ଼ିଆସିଲାଣି ଖଣି । ବ୍ଲାଷ୍ଟିଂରେ ଫାଟି ପଡ଼ିଲାଣି ଅଜୟଙ୍କ ଘର । ସ୍ଥିତି ଏମିତି ହୋଇଛି ଯେ ଛପରକୁ ବଞ୍ଚାଇ ରଖିବା ପାଇଁ ଲୁହା ଷ୍ଟାଣ୍ଡ ଦେବାକୁ ପଡୁଛି । ଏହିଭଳି ସ୍ଥିତିରେ ଏମସିଏଲ ଘର ଭାଙ୍ଗିବା ପାଇଁ ଆଗେଇ ଆସିଛି ଏବଂ ଦାଦାଗିରି କରୁଛି ବୋଲି ଅଭିଯୋଗ କରିଛନ୍ତି ଏହି ପରିବାର ।