କନକ ବ୍ୟୁରୋ : ପର୍ଯ୍ୟଟନର ବିକାଶ ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯିବ । ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ୍‌ । ନୂଆ ରୂପ ନେବ ହୀରାକୁଦ । ହେଲେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଳ ସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ।

Advertisment

ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୩ ହଜାର ଏକର ଜମି ଅଧିଗ୍ରହଣ କରିବ ଇଡ୍‌କୋ । ଏଥିପାଇଁ ୨ହଜାର ଏକର ଜମି ଚିହ୍ନଟ ହୋଇଛି । ବାକି ହଜାରେ ଏକର ପାଇଁ ଚାଲିଛି ପ୍ରକ୍ରିୟା । ଜମି ଅଧିଗ୍ରହଣ ପରେ ବିଭିନ୍ନ ହୋଟେଲ୍‌ ମାଲିକଙ୍କୁ ଲିଜ୍‌ ସୂତ୍ରରେ ଦିଆଯିବ, ନିର୍ମାଣ ହେବ ରିସୋର୍ଟ ଓ ହୋଟେଲ୍‌ । ଏସବୁ ହେଲେ ଡ୍ୟାମ୍‌ ପ୍ରତି ବିପଦ ବଢ଼ିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ଜଳ ସମ୍ପଦ ବିଭାଗର ପୂର୍ବତନ ଦୁଇ ବରିଷ୍ଠ ଯନ୍ତ୍ରୀ ।

କନସର୍ଟ ପାର୍କ, ଭାସମାନ ହୋଟେଲ, ରିସୋର୍ଟ, କ୍ରୁଜ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୦୦ କୋଟି । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଜଳ ସମ୍ପଦ ବିଭାଗକୁ ଏନ୍‌ଓସି ମାଗିଛି ପର୍ଯ୍ୟଟନ ବିଭାଗ । ଏବେ ଯାଏଁ ବରଗଡ଼ର ଅତାବିରା ବ୍ଲକ ଲହଣ୍ଡା, ସମ୍ବଲପୁରର ବଲବସପୁର ଓ ଝାରସୁଗୁଡ଼ାର ଗୁଜାପାହାଡ଼ ମୌଜାର ପ୍ରାୟ ୪ଶହ ଏକର ଜମି ଅଧିଗ୍ରହଣ ସରିଛି ବୋଲି କୁହାଯାଉଛି । ପର୍ଯ୍ୟଟନର ବିକାଶ ନାଁରେ ପୁଣି ବିସ୍ଥାପିତ ହେବ କି ଅନେକ ଗାଁ । ଏହି ଆଶଙ୍କାରେ ରହିଛନ୍ତି ହୀରାକୁଦ ପାଖରେ ଥିବା ଗ୍ରାମବାସୀ ।