QR code on land lease Photograph: (Google)
କନକ ବ୍ୟୁରୋ: ଜମିକୁ ନେଇ ଦଲାଲି କରୁଥିଲେ କିମ୍ବା ଲୋକଙ୍କୁ ଠକୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ସରକାର ନୂଆ ଜ୍ଞାନକୌଶଳ ଆପଣାଇ ଜମି ଠକେଇକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ଜମି ପଟ୍ଟାରେ ଲାଗିବ କ୍ୟୁଆର କୋଡ୍ ଏବଂ ଠକେଇ ପୂର୍ବରୁ ବଞ୍ଚିଯିବ ଆପଣଙ୍କ କଷ୍ଟ ଅର୍ଜିତ ଧନ।
ଅନେକ ଲୋକ ଜୀବନର ସବୁ ପୁଞ୍ଜି ଲଗାଇ ସ୍ବପ୍ନର ଘର ଖଣ୍ଡେ କରିବାକୁ ଜମି କିଣନ୍ତି। ହେଲେ ଦଲାଲ ଏମିତି ମାୟାଜାଲ ବିଛାଇଥାନ୍ତି ଯେ, ଜମି କିଣିବା ପରେ ହଲାପଟା ହୁଅନ୍ତି ସାଧାରଣ ଲୋକ। ଜମି କିଣା ସରିଥିବ, ପଟ୍ଟା ମଧ୍ୟ ମିଳିଥିବ। ହେଲେ ଘର କରିବାକୁ ବାହାରିବା ବେଳେ ଜମିର ମାଲିକାନା ଆଉ କାହା ନାଁରେ ଥିବାର ଜଣାପଡେ। ସେତେବେଳେ ଲୋକଟିର ମାନସିକ ଅବସ୍ଥା କଣ ଥାଏ ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ଜାଣିଥାନ୍ତି। ଟ୍ବିନ୍ ସିଟିରୁ ଗ୍ରାମାଞ୍ଚଳ, ପ୍ରତିଦିନ ଏଭଳି ଶହ ଶହ ଠକାମୀର ଅଭିଯୋଗ ଆସୁଛି। ଏଭଳି ଠକାମୀରୁ ବର୍ତ୍ତିବା ପାଇଁ ସରକାର ଆଣୁଛନ୍ତି ନୂଆ ନିୟମ । ଏଣିକି ଜମି ପଟ୍ଟାରେ ଲାଗିବ କ୍ୟୁଆର କୋର୍ଡ । ଏହି କୋଡ୍କୁ ସ୍କାନ କଲେ ଜମିର ଇତିହାସ ଓ ଭୂଗୋଳ ଜାଣିପାରିବେ ଗ୍ରାହକ।
କ୍ୟୁଆର କୋର୍ଡ ଜରିଆରେ କେବଳ ଜମି ବାବଦରେ ସୂଚନା ମିଳିବନି। ବରଂ ଠକାମୀ ଉପାୟରେ ଜମି କିଣାବିକା କରୁଥିଲେ ତୁରନ୍ତ ଆର୍ଆଇ ଓ ତହସିଲଦାରଙ୍କ ପାଖକୁ ଖବର ଯିବ। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଏଭଳି ସଂସ୍କାର ଆଣିବେ ମୋହନ ସରକାର। ଏଭଳି ନିୟମ ଆସିବା ଦ୍ବାରା ଜମି ଠକେଇର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି କହିଛନ୍ତି ଲୋକେ ।
ଅଧିକ ପଢନ୍ତୁ: ସତ କାଗଜ ପତ୍ର ମିଛ ମାଲିକ; ସାବଧାନ୍ ରାଜଧାନୀରେ ମାତିଛନ୍ତି ମାଳମାଳ ଜମି ଦଲାଲ୍
ଜମି କିଣାବିକାରେ ସ୍ବଚ୍ଛତା ରଖିବ ପଟ୍ଟାରେ କ୍ୟୁଆର କୋର୍ଡ। ଅନ୍ୟପଟେ ରାଜ୍ୟରେ ଥିବା ଜମିର ସର୍ଭେ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଉଭୟ ସରକାରୀ ଓ ବେସରକାରୀ ଜମିର ହିସାବକିତାବ କରି ଡାଟାବେସ୍ ପ୍ରସ୍ତୁତ କରିବେ ସରକାର।
Follow Us