କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ଜମି କିଣିବାକୁ ଚାହୁଛନ୍ତି କି ? ଆପଣଙ୍କୁ ସ୍ୱପ୍ନ ଦେଖାଇ ଶସ୍ତାରେ ଜମି ଦେବାକୁ କେହି କହୁଛନ୍ତି କି? ସାବଧାନ ହୋଇଯାଆନ୍ତୁ, ନହେଲେ ଆପଣଙ୍କ ସବୁ ସ୍ୱପ୍ନ ଚୂରମାର ହୋଇଯିବ । କାରଣ ରାଜଧାନୀରେ ବୁଲୁଛନ୍ତି ମାଳମାଳ ଦଲାଲ । ଟାଙ୍କା ନେଇ ଜମି ରେଜିଷ୍ଟ୍ରେସନ୍ ସହିତ ପଟ୍ଟା ବି କରି ଦେଉଛନ୍ତି କିନ୍ତୁ କାଗଜପତ୍ରରେ ଯେଉଁ ଜମି ଆପଣଙ୍କ ନାଁରେ ଥିବ, ତାହା କିନ୍ତୁ ଆଉ କେଉଁ ଲୋକର ଦଖଲରେ ରହିଥିବ ।  

Advertisment

ଜଗନ୍ନାଥ ପାଣିଗ୍ରାହୀ,୯୦ ଲକ୍ଷ ଟଙ୍କା ଦେଇ ଗୋଟିଏ ଜମି କିଣିଲେ । ହେଲେ ଜମି ଉପରେ କାମ ଆରମ୍ଭ ବେଳକୁ ତାଙ୍କ ପାଦତଳୁ ମାଟି ଖସିଗଲା । କାହିଁକି ନା, କେବଳ କାଗଜପତ୍ରରେ ହିଁ ଜମି ଥିଲା । ୯୦ ଲକ୍ଷ ଟଙ୍କାରେ ଜମି ନୁହେଁ, କେବଳ  କିଛି କାଗଜ ଧରାଇ ଦେଇ ଦଲାଲ ଛୁ ମାରିଛି ।  ଔଷଧ ବ୍ୟବସାୟୀ ଅଶୋକ ସ୍ୱାଇଁଙ୍କ ଅବସ୍ଥା ବି ସମାନ ।  

କେବଳ ଜଣେ ଦୁଇଜଣ ନୁହନ୍ତି, ପ୍ରତିଦିନ କେହି ନା କେହି ଏଭଳି ଠକେଇର ଶିକାର ହେଉଛନ୍ତି। ରାଜଧାନୀ ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ଅଫିସ ଖୋଲି ଜମି ଦଲାଲମାନେ ଲୋକଙ୍କୁ ଭକୁଆ ବନାଉଛନ୍ତି । କେଉଁଠି ବିଲଡରମାନେ ଟଙ୍କା ନେଇ ଘର ଦେଉ ନାହାନ୍ତି ଆଉ କିଏ ଜମି ବିକି ଟଙ୍କା ପାଉ ନାହାନ୍ତି । ଆଇନର ଗଳାବାଟ ଯୋଗୁ ଖସି ଯାଉଛନ୍ତି ଦଲାଲ ଆଉ ତଳି ତଳାନ୍ତ ହେଛନ୍ତି ସାଧାରଣ ଜନତା । ଲୋକଙ୍କୁ କୋଟିକୋଟି ଟଙ୍କା ଠକି ମାଲାମାଲ ହେଉଛନ୍ତି ଦଲାଲ ।  କେବେ କେମିତି କେଉଁ ମାମଲାରେ ଜେଲ୍ ଯାଉଛନ୍ତି, ପୁଣି ଜେଲରୁ ଫେରି ଛାତି ଫୁଲାଇ ଏଭଳି ଠକୁଛନ୍ତି । ହତାଶ ହେଉଛନ୍ତି ଠକେଇର ଶିକାର ବ୍ୟକ୍ତି ।