କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ବ୍ଳକର ତାଳସାରି ବେଳାଭୂମିରେ ମତ୍ସ୍ୟ ବିଭାଗର ନିର୍ମାଣାଧୀନ କାମରେ ବନ ବିଭାଗର ମନମାନିକୁ ବିରୋଧ । ମେଳି ବାନ୍ଧିଛି ତାଳସାରୀ ସୁରକ୍ଷା ସଂଘ । ସମାଧାନ ପାଇଁ ଏକ ଦାବିପତ୍ର...ମୁଖ୍ୟମନ୍ତ୍ରୀ, ବାଲେଶ୍ବର ଜିଲ୍ଲାପାଳ, ଏସପି, ଭୋଗରାଇ ତହସିଲଦାର ଏବଂ ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଦିଆଯାଇଛି । ସପ୍ତାହେ ମଧ୍ୟରେ ସମାଧାନ ନହେଲେ, ବେଳାଭୂମିର ସବୁ ବ୍ୟବସାୟୀଙ୍କ ସମେତ ମତ୍ସ୍ୟଜୀବୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Advertisment

ଭୋଗରାଇ ବ୍ଲକର ତାଳସାରି ବେଳାଭୂମିରେ ଅଟକି ରହିଛି ତାଳସାରି ଜେଟିର ଉନ୍ନୟନ ମୂଳକ କାମ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ମତ୍ସ୍ୟ ବିଭାଗର କାମ ଉପରେ ରୋକ୍‌ ଲଗାଇଛି ବନ ବିଭାଗ । ଯେଉଁଥିପାଇଁ ଜେଟି ଉପରେ ନିର୍ଭର କରୁଥୁବା ମତ୍ସ୍ୟଜୀବୀ ଓ ବ୍ୟବସାୟୀ ପରିବାର ଚିନ୍ତାରେ । ୬ ମାସ ଧରି ଥଇଥାନ ହେଉନଥିବାରୁ ଆନ୍ଦୋଳନ ପାଇଁ ସଜବାଜ ହେଲେଣି । ମତ୍ସ୍ୟଜୀବୀଙ୍କ କହିବା କଥା, ତାଳସାରୀ ବେଳାଭୂମିରେ ମତ୍ସ୍ୟ ବିଭାଗ ପକ୍ଷରୁ ଏକ କମ୍ୟୁନିଟି ସେଣ୍ଟର, ଶୌଚାଳୟ, ପାଣି ପମ୍ପ ସହ କଂକ୍ରିଟ ଶୁଖୁଆ ଖଳା ନିର୍ମାଣ ପାଇଁ ୧ କୋଟି ୯୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କାମ ପ୍ରାୟତଃ ଶେଷ ହେବାକୁ ବସିଥିବା ବେଳେ ବନ ବିଭାଗ କଂକ୍ରିଟ୍‌ କାମକୁ ରୋକ୍‌ ଲଗାଇଛି । ଶୁଖୁଆ ଖଳା ନିର୍ମାଣ ପାଇଁ ପ୍ରାୟ ଶହେରୁ ଅଧିକ ବ୍ୟବସାୟୀଙ୍କୁ ୬ ମାସ ହେବ ସ୍ଥାନାନ୍ତର କରାଯାଇଛି । ମାତ୍ର ଏହାର ନିର୍ମାଣ କାର୍ଯ୍ୟ ଅଟକି ଥିବାରୁ ଦୋକାନୀ ମାନଙ୍କୁ ଥଇଥାନ କରାଯାଇ ପାରୁନି ।

ଅଧିକ ପଢ଼ନ୍ତୁ---ବନ୍ଧୁତାର ନିଆରା ନିଦର୍ଶନ: ଦିବ୍ୟାଙ୍ଗ ସାଙ୍ଗର ସାହାରା ସାଜିଛନ୍ତି ସହପାଠୀ

ସରକାରୀ ରେକର୍ଡ ଅନୁଯାୟୀ, ତାଳସାରି ଗଙ୍ଗାମାତା ସୋସାଇଟି ଅଧୀନରେ ୧ ଏକର ୫୯ ଡିସିମିଲି ଜାଗା ରହିଛି । କିନ୍ତୁ ସିଆରଜେଡ୍ ଅଞ୍ଚଳରେ ବିନା ଅନୁମତିରେ ନିର୍ମାଣ ହୋଇପାରିବ ନାହିଁ ବୋଲି ଅଡ଼ି ବସିଛି ବନ ବିଭାଗ । ଫଳରେ ମତ୍ସ୍ୟ ବିଭାଗର ଏହି ନିର୍ମାଣାଧୀନ କାମକୁ ବନ ବିଭାଗ ବନ୍ଦ କରିଛି । ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏ ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଚୁପ୍ ବସିଛନ୍ତି । ସରକାର ତୁରନ୍ତ ହସ୍ତକ୍ଷେପ କରି ମତ୍ସ୍ୟଜୀବୀଙ୍କ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ଦାବି ହୋଇଛି । ନଚେତ୍ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଭୋଗରାଇର ମତ୍ସ୍ୟଜୀବୀ ।