କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଯେତେବେଳେ ସାମାନ୍ୟ ଧନ ସମ୍ପତ୍ତି ଓ ଜମିବାଡ଼ି ପାଇଁ ଭାଇ ଭାଇ ମଧ୍ୟରେ ତିକ୍ତତା ବଢୁଛି, ସେତେବେଳେ ରେଢ଼ାଖୋଲରୁ ଆସିଛି ବନ୍ଧୁତାର ଏକ ହୃଦୟସ୍ପର୍ଶୀ ଖବର । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାବାସରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ । ଏଠାରେ ରକ୍ତର ସମ୍ପର୍କ ନଥାଇ ମଧ୍ୟ ଛାତ୍ରମାନେ ପରସ୍ପର ପାଇଁ ପାଲଟିଛନ୍ତି ଅତୁଟ ସାହାରା ।
ଛାତ୍ରାବାସର ଅନ୍ତେବାସୀ ପ୍ରିୟବ୍ରତ ମାଝୀ ଜନ୍ମରୁ ଦିବ୍ୟାଙ୍ଗ । ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର । ପଞ୍ଚମ ଶ୍ରେଣୀରେ ସେ ନବୋଦୟ ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିଲେ । ତେବେ ଘର ଠାରୁ ଦୂରରେ ହଷ୍ଟେଲରେ ରହି ପାଠ ପଢିବା ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ କଷ୍ଟକର ହୋଇଥାଏ । କିନ୍ତୁ ପ୍ରିୟବ୍ରତଙ୍କ କ୍ଷେତ୍ରରେ ତାଙ୍କ ସହପାଠୀମାନେ ଈଶ୍ୱରଙ୍କ ଦୂତ ସାଜିଛନ୍ତି । ନିତ୍ୟକର୍ମ ଠାରୁ ଆରମ୍ଭ କରି ଖାଇବା, ପିଇବା, ପାଠପଢ଼ା ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସାଙ୍ଗମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି । ହଷ୍ଟେଲରେ ରାଗିଂ କିମ୍ବା ମତଭେଦ ପରିବର୍ତ୍ତେ ଏଠାରେ ସ୍ନେହ ଓ ସହଯୋଗର ବାତାବରଣ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ--ବଢ଼ିଲା ବିରୋଧୀଙ୍କ ବିରୋଧ, ଆଦେଶ ପ୍ରତ୍ୟାହାର କରିନେଲେ ସରକାର, ଏବେ ବାଧ୍ୟତାମୂଳକ ନୁହେଁ ସଞ୍ଚାର ସାଥୀ ଆପ୍
ପ୍ରିୟବ୍ରତ ନିଜେ କୁହନ୍ତି ଯେ, ସାଙ୍ଗମାନଙ୍କ ସହଯୋଗ ବିନା ତାଙ୍କ ପାଇଁ ଏଠାରେ ରହିବା ଓ ପାଠ ପଢିବା ଅସମ୍ଭବ ହୋଇଥାନ୍ତା । ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ, ପ୍ରିୟବ୍ରତ ଖୁବ୍ ସହନଶୀଳ ଓ ଶାନ୍ତ ସ୍ୱଭାବର । ତାଙ୍କୁ ସାହାଯ୍ୟ କରି ଅନ୍ୟ ଛାତ୍ରମାନେ ଆତ୍ମସନ୍ତୋଷ ଲାଭ କରୁଛନ୍ତି, ଯାହା ଅନ୍ୟ ଛାତ୍ରାବାସ ଗୁଡିକ ପାଇଁ ଏକ ବଡ଼ ପ୍ରେରଣା । ଯଦି ସରକାରୀ ସ୍ତରରେ ଏହି ମେଧାବୀ ଦିବ୍ୟାଙ୍ଗ ଛାତ୍ରଙ୍କୁ ଉପଯୁକ୍ତ ସହାୟତା ମିଳନ୍ତା, ତେବେ ସେ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡ଼ା ହେବା ସହ ନିଶ୍ଚୟ ବହୁତ ଆଗକୁ ଯାଇପାରନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/03/friendship-2025-12-03-16-57-56.png)