କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ମହାମନ୍ଥନ ଚାଲିଛି । ତ୍ରିପାକ୍ଷିକ ବୈଠକରେ ଆମେରିକୀୟ ମଧ୍ୟସ୍ଥି ଭାବେ ଅଂଶଗ୍ରହଣ କରିଛନ୍ତି। ବୈଠକ ତ ଚାଲିଛି ଏହାରି ଭିତରେ କ୍ରେମଲିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ,ଆଉ ଦର୍ଶାଇଛି ଚୁକ୍ତି ହେଉ ବା ଆଲୋଚନା ଚାଲିଲେ ବି ଏ ଯୁଦ୍ଧ ଏତେ ଶୀଘ୍ର ବନ୍ଦ ହେବନି
ଆବୁଧାବିରେ ଚାଲିଥିବା ବୈଠକକୁ ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଚାରି ବର୍ଷ ଧରି ଚାଲିଥିବା ଏହି ଭୟଙ୍କର ଯୁଦ୍ଧକୁ ବନ୍ଦ କରିବାରେ ଆଞ୍ଚଳିକ ବିବାଦ ଏବେ ବି ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି। ବର୍ତ୍ତମାନ ସୁଦ୍ଧା ଆଲୋଚନାକାରୀଙ୍କ ମଧ୍ୟରେ କୌଣସି ଠୋସ୍ ଚୁକ୍ତିର ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଆଲୋଚନାରେ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ୟୁକ୍ରେନ୍ ଓ ରୁଷର ଆଲୋଚନାକାରୀମାନେ ଶତ୍ରୁତାକୁ ରୋକିବା ପାଇଁ ଦୀର୍ଘ ଆଲୋଚନା କରିଥିଲେ, କିନ୍ତୁ ପ୍ରାରମ୍ଭିକ ଫଳାଫଳ କମ୍ ଉତ୍ସାହଜନକ ରହିଥିଲା।
ପୁଟିନ ୟୁକ୍ରେନକୁ ଡୋନବାସର ୨୦% ହସ୍ତାନ୍ତର କରିବାକୁ ଦାବି
ବିବାଦୀୟ ଅଞ୍ଚଳର କ୍ଷେତ୍ରଫଳ ପ୍ରାୟ ୫,୦୦୦ ବର୍ଗ କିଲୋମିଟର
ପୁଟିନ ଯୁଦ୍ଧ ବନ୍ଦ କରିବା ପାଇଁ ଯେକୌଣସି ମୂଲ୍ୟରେ ଅଂଚଳ ହାସଲ କରିବାକୁ ଚାହୁଛନ୍ତି
ଜେଲେନସ୍କି ସ୍ପଷ୍ଟ କରିଛନ୍ତି, ସେହି ଅଞ୍ଚଳଗୁଡ଼ିକୁ ଛାଡିବେ ନାହିଁ ଯାହାକୁ ରୁଷ ଚାରି ବର୍ଷ ମଧ୍ୟରେ ଜିତିପାରିନାହିଁ
ବନ୍ଦ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ, ତ୍ରିପାକ୍ଷିକ ବୈଠକ ନେଇ ସୂଚନା ଦେଲେ ୟୁକ୍ରେନ ରାଷ୍ଟ୍ରପତି
ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ରୁଷର ମିସାଇଲ୍ ମାଡ଼ରେ ଥରୁଛି ୟୁକ୍ରେନ। ରୁଷୀୟ ସେନା ୟୁକ୍ରେନର ଦୁଇ ପ୍ରମୁଖ ସହର କିଭ୍ ଏବଂ ଖାର୍କିଭ୍ ଉପରେ ଶକ୍ତିଶାଳୀ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଛନ୍ତି। ଯେତେବେଳେ ଆବୁଧାବିରେ ଆମେରିକା, ରୁଷ ଏବଂ ୟୁକ୍ରେନର ପ୍ରତିନିଧିମାନେ ଚାରି ବର୍ଷର ଏହି ଭୟଙ୍କର ଯୁଦ୍ଧକୁ ଶେଷ କରିବା ପାଇଁ ଦ୍ୱିତୀୟ ଦିନର ଆଲୋଚନାରେ ବସିଛନ୍ତି, ଠିକ୍ ସେହି ସମୟରେ ରୁଷର ଏହି ଆକ୍ରମଣ ଶାନ୍ତି ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହୁ ହୁ ହୋଇ ଜଳୁଛି ସହର, ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, କିଭ୍ରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖାର୍କିଭ୍ ସହରରେ ଅତି କମରେ ୧୯ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁଁ ରାଜଧାନୀ କିଭ୍ର ଅନେକ ଅଞ୍ଚଳରେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଆକ୍ରମଣକୁ ନିନ୍ଦା କରି କହିଛନ୍ତି, ପୁଟିନ୍ କେବଳ ଆମ ଲୋକଙ୍କ ଉପରକୁ ନୁହେଁ, ବରଂ ଶାନ୍ତି ଆଲୋଚନା ଟେବୁଲ୍ ଉପରକୁ ମିସାଇଲ୍ ମାଡ଼ କରିଛନ୍ତି। ସୂଚନା ଅନୁସାରେ ଟ୍ରମ୍ପଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଚାଲିଥିବା ଏହି ବୈଠକରେ ରୁଷ ଡୋନବାସ୍ ଅଞ୍ଚଳରୁ ୟୁକ୍ରେନୀୟ ସେନା ପ୍ରତ୍ୟାହାର କରିବାକୁ ଜିଦ୍ ଧରିଛି।
ଭୀଷଣ ଶୀତ ଏବଂ ବିଦ୍ୟୁତ୍ ସଙ୍କଟ ମଧ୍ୟରେ ୟୁକ୍ରେନ ବର୍ତ୍ତମାନ ଏକ ମାନବୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରୁଷର ଆକ୍ରମଣ ପରେ ଶାନ୍ତି ଚୁକ୍ତି ସମ୍ଭବ ହେବ କି ନାହିଁ, ତାହାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/ukraine-2026-01-24-21-45-46.jpg)