କନକ ବ୍ୟୁରୋ : ରୁଷ୍‌- ୟୁକ୍ରେନ ମଧ୍ୟରେ ପାଖାପାଖି ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ପାଇଁ ୟୁକ୍ରେନ, ରୁ‌ଷ୍‌ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କି କହିଛନ୍ତି, ୟୁକ୍ରେନ, ରୁ‌ଷ୍‌ ଓ ଆମେରିକାର ଅଧିକାରୀମାନେ ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଆମେରିକା ରୁଷ୍‌- ୟୁକ୍ରେନ ଯୁଦ୍ଧ ‌ଶେଷ କରିବାକୁ ଚାପ ପକାଉଥିବାବେଳେ ଆବୁ ଧାବିରେ ଏନେଇ ଶୁକ୍ରବାର ଓ ଶନିବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗୁରୁବାର ଦିନ ଡାଭୋସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ପରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟିର ସର୍ତ୍ତାବଳି ଚୂଡ଼ାନ୍ତ ହୋଇଛି। ଯୁଦ୍ଧ ପରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଏକ ଚୁକ୍ତି ପ୍ରାୟ ପ୍ରସ୍ତୁତ ହୋଇଛି। ଏଥିରେ କିଭ୍-ସମର୍ଥିତ ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ବ ଦିଆଯାଇଛି। ଆମେରିକା ଦ୍ବାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବରେ ମସ୍କୋର ଦାବି ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା। ଆବୁ ଧାବିରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ବୋଲି ଜେଲେନସ୍କି ସୂଚନା ଦେଇଥିବାବେଳେ ଏହା ଭଲ ହେବ ବୋଲି ମଧ୍ୟ କହିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ :ରୁଷ-ୟୁକ୍ରେନ୍ ଶାନ୍ତି ଆଲୋଚନାରେ ପୁଟିନ ନୁହେଁ, ଜେଲେନସ୍କି ସୃଷ୍ଟି କରୁଛନ୍ତି ବାଧା: ଟ୍ରମ୍ପ

ତେବେ ଏହି ବୈଠକ ସମ୍ପର୍କରେ ରୁଷ୍‌ ପକ୍ଷରୁ କୌଣସି ମନ୍ତବ୍ୟ ରଖାଯାଇନାହିଁ। ଟ୍ରମ୍ପ ଜେଲେନସ୍କିଙ୍କ ସହିତ ତାଙ୍କ ବୈଠକର ପ୍ରଶଂସା କରିଥିଲେ। ରୁଷ୍‌ ଦ୍ବାରା ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ଜାରି ରହିଛି ବୋଲି ଟ୍ରମ୍ପ କହିଥିଲେ। ଏହାପୂର୍ବରୁ ଆମେରିକା ପ୍ରତିନିଧି ଷ୍ଟିଭ ୱିଟ୍‌କଫ୍‌ କହିଥିଲେ, ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଆଲୋଚନାରେ ଅନେକ ଅଗ୍ରଗତି ହୋଇଛି। କେବଳ ଗୋଟିଏ ଶେଷ ପ୍ରସଙ୍ଗ ଆଲୋଚନା ବାକି ରହିଛି।