Koraput Photograph: (KanakNews)
କନକ ବ୍ୟୁରୋ; ବିକଶିତ ଭାରତ, ବିକଶିତ ଓଡ଼ିଶାର ନାରା ଦେଉଛନ୍ତି ସରକାର । ହେଲେ ରାଜ୍ୟରେ ଏବେ ଏମିତି ଗାଁ ଅଛି, ଯେଉଁଛି ବିଜୁଳି ଆଲୁଅ ସାତ ସପନ । ରାସ୍ତା ନାହିଁ, ବିଦ୍ୟାଳୟ ନାହିଁ । ଚୁଆ ପାଣି ଶୋଷ ମେଣ୍ଟାଉଛି । ଖଟିଆରେ ରୋଗୀ ବୁହା ହେଉଛନ୍ତି। ସ୍ବାଧୀନତାର ବର୍ଷ ବର୍ଷ ପରେ ବି ଏମିତି ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ ।
ଘନ ଅନ୍ଧକାର ଭିତରେ ଡିବିରିର କ୍ଷୀଣ ଆଲୁଅ । ସେଥିରେ ରୋଷେଇ, ଖାଇବା ସବୁ କିଛି। ଏହି ଆଲୁଅରେ ନିଜ ଭବିଷ୍ୟତର ଅନ୍ଧକାର ହଟାଇବା ପାଇଁ ସଂଘର୍ଷ । ନା’ ବାସ୍ତବତା କଳ୍ପନା ଠୁ ଆହୁରି ଯନ୍ତ୍ରଣାଦାୟକ। ସ୍ବାଧୀନତାର ବର୍ଷ ବର୍ଷ ପରେ ବି ଏମାନଙ୍କ ଘରେ ବଲ୍ବଟିଏ ଜଳିପାରିନି। ବିକଶିତ ଓଡ଼ିଶାର ନଗ୍ନ ଚିତ୍ର ଦେଖାଉଥିବା ଏହି ଗାଁ ହେଉଛି ବୈପାରୀଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତର ଆମପାଣିଗୁଡ଼ା ଗାଁ ।
ଅଧିକ ପଢନ୍ତୁ; ଆଜି ବି ଅନ୍ଧାରରେ ଜୀବନ, ବିଜୁଳି ଆଲୁଅ ସାତ ସପନ
ଖାଲି ବିଜୁଳି ନୁହେଁ, ୧୫ରୁ ଅଧିକ ପରିବାର ବସବାସ କରୁଥିବା ଗାଁ ଲୋକଙ୍କ ଦୁଃଖ ପାଲଟିଛି ପାହାଡ଼ି ନାଳ । ନାଳ ଉପରେ ପୋଲ ନାହିଁ କି ଗାଁକୁ ରାସ୍ତା ନାହିଁ । ଗାଁରେ ବିଦ୍ୟାଳୟ ନଥିବାରୁ ପିଲାଙ୍କୁ ନାଳ ପାର ହୋଇ ପାଠ ପଢ଼ିବାକୁ ପଡ଼ୁଛି। କିନ୍ତୁ ବର୍ଷା ଦିନେ ନାଳ ଭର୍ତ୍ତି ହୋଇଗଲେ ପଢ଼ା ବନ୍ଦ ହୋଇଯାଏ । ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨ କିମି ନେଲେ ଯାଇ ଆମ୍ବୁଲାନ୍ସ ସୁବିଧା ମିଳେ। ରାସ୍ତା ନଥିବାରୁ ଗାଡ଼ି ପହଞ୍ଚି ପାରୁନି, ନଳକୂପ ଖନନ ହୋଇପାରୁନି। ଚୁଆ ପାଣି ଶୋଷ ମେଣ୍ଟାଉଛି। ମୋବଇଲ୍ ଟାୱାର ପାଇଁ ପାହାଡ଼ ଚଢ଼ିବାକୁ ପଡ଼େ ।
ଏମିତି ନୁହେଁ ଯେ, ଅଭିଯୋଗ ହୋଇନି। ବାରମ୍ବାର ଅବଗତ ପରେ ବି ଚୁପ୍ ପ୍ରଶାସନ ! ସମିତି ସଭ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ପ୍ରଶାସନ ଅବଗତ କରାଯାଇଛି। ଖୁବଶୀଘ୍ର ଗାଁକୁ ରାସ୍ତା ଓ ବିଜୁଳି ପହଞ୍ଚିବ । ଖବର ଶୁଣିଲେ ଲାଗୁଛି ଶୀତତାପ ନିୟନ୍ତ୍ରିତ ଘରେ ବସୁଥିବା ବାବୁ ଓ ନେତାଙ୍କ ପାଇଁ ଏମାନଙ୍କ ଦୁଃଖ ବୁଝିବା ବୋଧ ହୁଏ କଷ୍ଟକର। ଏମାନଙ୍କ ପାଇଁ ବିକାଶ ଏକପ୍ରକାର ସ୍ବପ୍ନ। କେବେ ସରକାରଙ୍କ ନଜର ଏମାନଙ୍କ ଉପରେ ପଡ଼ୁଛି ତାକୁ ଅପେକ୍ଷା ।
Follow Us