କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଯେଉଁଠି ଆମେ ବିକଶିତ ଓଡ଼ିଶାର ପରିକଳ୍ପନା କରୁଛୁ, ସେଠି ଆଜି ଯାଏଁ ଗାଁରେ ପହଞ୍ଚିପାରିନି ବିଜୁଳି । ପ୍ରଶାସନକୁ ଏନେଇ ବାରମ୍ବାର ଜଣାଯାଇଛି । ହେଲେ ଫଳ ଶୂନ । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ରେ ଆଜି ବି ରହିଛି ଏମିତି ଏକ ଗାଁ ।
ଗୋଟେ ମହମବତୀ ଜଳୁଛି । ତାକୁ ଚାରିପଟେ ଘେରି ବସିଛନ୍ତି ପିଲା । ଆଉ ସେହି ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ୁଛନ୍ତି । ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅନ୍ତର୍ଗତ କେ ସୀତାପୁର ପଞ୍ଚାୟତର ଏସ୍ ଦେଉଳା ଗାଁର ଏ ଦୃଶ୍ୟ । ଗାଁ ଲୋକ ଆଜି ଯାଏଁ ଦେଖିନାହାନ୍ତି ବିଜୁଳି ଆଲୁଅ । ଗାଁର ୧୮ ଆଦିବାସୀ ପରିବାରକୁ ଭରସା ଡିବିରି ଆଲୁଅ ଓ ଲଣ୍ଠନ । ସଂଧ୍ୟା ହେଲେ ଜଙ୍ଗଲୀ ଜନ୍ତୁ ଡରରେ ଘରୁ ବାହାରି ହୁଏନି । ପାଖ ଗାଁରୁ ମୋବାଇଲ୍ ଚାର୍ଜ କରି ଆଣିବାକୁ ପଡ଼େ । ଗାଁକୁ ବିଜୁଳି ଦେବା ପାଇଁ ବାରମ୍ବାର ଅନୁରୋଧ ପରେ ବି ମିଳିନି ସୁଫଳ।
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଗାଁ
ପକ୍କା ରାସ୍ତା ନାହିଁ କି ପିଇବା ପାଣିର ବି ବ୍ୟବସ୍ଥା ନାହିଁ
ଖାଲି ବିଜୁଳି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ବି ନାହିଁ । ବଣ ବୁଦା ଭର୍ତ୍ତି ସଂକୀର୍ଣ୍ଣ ରାସ୍ତାରେ ଯା’ଆସ କରୁଛନ୍ତି ଲୋକ । ପିଇବା ପାଣିର ବି କୌଣସି ସୁବିଧା ନାହିଁ । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଗାଁ ପରିଦର୍ଶନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ । କେବେ ଗାଁ ଦେଖିବ ବିକାଶ? କେବେ ହେବ ବିଦ୍ୟୁତ ଯୋଗାଣ? ତାକୁ ହିଁ ଅପେକ୍ଷା ।