କନକ ବ୍ୟୁରୋ : ପିଲାବେଳେ ଚକଲେଟ୍ କିମ୍ବା ଚଟପଟା ଖାଦ୍ୟ ଖାଇବାକୁ ମନ ହେଲେ ବାପାଙ୍କ ପକେଟରୁ ହେଉ କି ମା’ଙ୍କ ସିକ୍ରେଟ୍ ଡବାରୁ ଟଙ୍କା ଚୋରି କରିଥିବାର ଅଭିଜ୍ଞତା ପ୍ରାୟତଃ ସମସ୍ତଙ୍କର ଥିବ । ଧରା ପଡ଼ିଗଲେ ମାଡ଼ ବି ଖାଇଥିବେ ନିଶ୍ଚୟ । କିନ୍ତୁ କିଛି ବର୍ଷ ହେଲା ପକେଟ୍ କଲ୍ଚର ଏଭଳି ପରିସ୍ଥିତି ଉପୁଜିବାକୁ ଆଉ ଦେଉନଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶର ଦେବରିୟା ଜିଲ୍ଲା ରାମପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଚଟପଟା ଖାଇବା ଲୋଭ ଗୋଟିଏ ପରିବାରକୁ କେମିତି କାଙ୍ଗାଳ କରିଦେଇଛି ତାହା ଶୁଣିଲେ ଚକିତ ହେବେ । ଏହି ଘଟଣାର ଆରମ୍ଭ ମୋମୋ ଖାଇବାକୁ ନେଇ ହୁଏ । ଆଜ୍ଞା ହଁ ସେହି ଚଟପଟା ମୋମୋ ଯାହା ସହରର ପ୍ରତି ଗଳିକନ୍ଦିରେ ସହଜରେ ମିଳିଯାଏ । ଚଟପଟା ରାଗ ଚଟଣି ସାଙ୍ଗକୁ ମୋମୋର ଯୁଗଳବନ୍ଦୀ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ମୂଲ୍ୟବାନ ଗହଣା ଦେଇ ମୋମୋ ଖାଇବ କି , ତାହେଲେ କ’ଣ ଆପଣ ଖାଇବେ ? ଆପଣ ହୁଏ ତ ମନା କରିପାରନ୍ତି କିନ୍ତୁ ୧୪ ବର୍ଷର ସ୍କୁଲରେ ପାଠ ପଢ଼ୁଥିବା ପିଲାଟିଏ ଏହି ସୁବର୍ଣ୍ଣ ସୁଯୋଗକୁ ମନା କରିପାରିଲା ନାହିଁ । 

Advertisment

ଆଗକୁ ପଢ଼ନ୍ତୁ : ଛୁଆଙ୍କୁ ମୋଜା,ଟୋପି ପିନ୍ଧାଇ ଶୁଆଉଛନ୍ତି କି ? ରିପୋର୍ଟରୁ ହେଲା ସାଙ୍ଘାତିକ ଖୁଲାସା

ଘର ପାଖରେ ସ୍କୁଲ ହୋଇଥିବାରୁ ଏହି କିଶୋରକୁ ଘରୁ ପକେଟ୍ ମନି ଦିଆଯାଉନଥିଲା । ଏପଟେ ମୋମୋ ପ୍ରତି ଅହେତୁକ ଦୁର୍ବଳତା ଥିବାରୁ କେତେବେଳେ କେମିତି ଘରୁ ଟଙ୍କା ଚୋରି କରି ପିଲାଟି ଫାଷ୍ଟଫୁଡ୍ ଖାଇବାକୁ ଚାଲି ଆସୁଥିଲା । ହେଲେ କଥା ସେତେବେଳେ ଗମ୍ଭୀରର ରୂପ ନେଲା ଯେତେବେଳେ ଘରୁ ଆଉ ମୋମୋ ଖାଇବାକୁ ଟଙ୍କା ମିଳିଲା ନାହିଁ ଯେଉଁଥିପାଇଁ ପିଲାଟି ଏମିତି ଏକ ପଦକ୍ଷେପ ନେଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ । ଆଲମାରୀରୁ ସୁନା ଗହଣା ବାହାର କରି ଏହି ପିଲାଟି ପ୍ରତିଦିନ ମୋମୋବାଲାକୁ ଗୋଟିଏ ଗୋଟିଏ କରି ସୁନା ଦେଇ ଆରାମରେ ମୋମୋ ଖାଉଥିଲା । ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୁଅର ପିଉସୀ ଘରକୁ ବୁଲିବାକୁ ଆସିଥିଲେ ଏବଂ ତାଙ୍କ ସୁନା ଗହଣା ଆଲମାରୀରୁ ଖୋଜିଥିଲେ । ଗହଣା ଗାୟବ ଥିବା ଦେଖି ସମସ୍ତେ ପୁଲିସକୁ ଫୋନ୍ କଲେ , ପୁଲିସ ଆସି ସମସ୍ତଙ୍କୁ ପଚରାଉଚରା କଲା । ତା’ପରେ ଯେତେବେଳେ ପୁଅଟିକୁ ପଚରାଗଲା ଡରି ଡରି ସବୁ ସତ ବାହାରକୁ ଆସିଲା । ମୋମୋ ବିକୁଥିବା ଦୋକାନୀ ମଧ୍ୟ ପିଲାଟିର ସରଳତାର ଫାଇଦା ଉଠାଇଥିଲା । ପ୍ରତିଦିନ ପିଲାଟିକୁ ମୋମୋ ଖାଇବାକୁ ଦେଇ ସୁନା ନେଉଥିଲା ବିକାଳୀ । ତେବେ ପୂରା ଘଟଣା ଜାଣିବା ପରେ ଘରଲୋକ ତ ଘରଲୋକ ପୁଲିସ ମଧ୍ୟ ଅବାକ୍ ହୋଇଗଲେ । ତେବେ ବର୍ତ୍ତମାନ ଗହଣା ନେଇ ଦୋକାନୀ ଫେରାର୍ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ସୁନା ଏବଂ ଅଭିଯୁକ୍ତ ଧରାପଡ଼ିବେ ବୋଲି କହିଛି ପୁଲିସ ।