କନକ ବ୍ୟୁରୋ : ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିକୁ କାବୁ କରିଛି ଫାଷ୍ଟଫୁଡ୍ । ପୂର୍ବରୁ ସକାଳ ଜଳଖିଆରେ ଯେଉଁଠି ଉପମା,ରୁଟି ଏବଂ ଚୂଡ଼ା ଭଳି ଖାଦ୍ୟପଦାର୍ଥ ଲୋକ ଖାଉଥିଲେ ଆଜି ତାହା ସାଣ୍ଡୱିଚ୍ , ପାସ୍ତା ଆଉ ନୁଡଲ୍ସରେ ପରିଣତ ହୋଇଛି । ସମୟ ଅଭାବରୁ ହେଉ କିମ୍ବା ପାଟି ସୁଆଦକୁ ଆଖି ଆଗରେ ରଖି ସମସ୍ତେ ମଇଦାଯୁକ୍ତ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ବିପଦ କେତେ ତାହା ବୋଧହୁଏ କେହି ଜାଣିପାରନ୍ତି ନାହିଁ । ତେବେ ଖାଲି ଫାଷ୍ଟଫୁଡ୍ କାହିଁକି ଏହାକୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ବ୍ୟବହାର କରାଯାଉଥିବା ମେୟୋନିଜ୍ ଦେହ ପାଇଁ ଆହୁରି କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ମୋମୋ, ବର୍ଗର୍ , ପିଜ୍ଜା ସହିତ ଦିଆଯାଉଥିବା ଧଳା ରଙ୍ଗର ଚଟଣି ମେୟୋନିଜ୍ ସ୍ବାସ୍ଥ୍ୟ ଉପରେ କେମିତି ପ୍ରଭାବ ପକାଏ । 

Advertisment

ମେୟୋନିଜରେ ପ୍ରଚୁର ପରିମାଣରେ ଓମେଗା-୬ ଫ୍ୟାଟି ଏସିଡ୍ ଥାଏ । ଯାହାକୁ ଅତ୍ୟଧିକ ସେବନ କରିବା ଦ୍ବାରା ଉଚ୍ଚ ରକ୍ତଚାପ ହୋଇପାରେ । ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢ଼ାଇପାରେ ମେୟୋନିଜ୍। ଆପଣ ଯଦି ଓଜନ ହ୍ରାସ କରିବାର ଇଚ୍ଛା ନେଇ ଜିମ୍ ଯାଉଛନ୍ତି , ଜିମରେ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରୁଛନ୍ତି କିନ୍ତୁ ସନ୍ଧ୍ୟା ହେଲେ ପୁଣି ଫାଷ୍ଟଫୁଡ୍ ସହ ମେୟୋନିଜ୍ ଖାଉଛନ୍ତି ତେବେ ଆପଣଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ । କାରଣ ଏଥିରେ ଅତ୍ୟଧିକ କ୍ୟାଲୋରି ଥାଏ । ତେଣୁ ପ୍ରତିଦିନ ଏହି ଧଳା ରଙ୍ଗର ଚଟଣି ଖାଇବା ଦ୍ବାରା ଦ୍ରୁତ ଗତିରେ ଓଜନ ବୃଦ୍ଧି ପାଏ । ମେୟୋନିଜ ଖାଇବାକୁ ଯେତେ ଟେଷ୍ଟି ଲାଗେ ଏଥିରେ ଅନେକ ସ୍ବାସ୍ଥ୍ୟଗତ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ଅତ୍ୟଧିକ ମେୟୋନିଜ ଖାଇଲେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ , ଯାହା ମଧୁମେହ ରୋଗ ବଢ଼ାଇବାର କାମ କରେ । ଏହାକୁ ପ୍ରିଜରଭେଟିଭ୍ ଏବଂ କୃତ୍ରିମ ଉପାଦାନ ସହିତ ପ୍ରସ୍ତୁତ କରାଯାଇଥାଏ । ଏଥିରେ ଥିବା MSG ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଯାହାଦ୍ବାରା ମୁଣ୍ଡବିନ୍ଧା , ଦୁର୍ବଳ ଲାଗିବା ଏବଂ ବାନ୍ତି କରାଇବା ଭଳି ସମସ୍ୟା ସୃଷ୍ଟି ହୁଏ । ଅତ୍ୟଧିକ ପରିମାଣରେ ମେୟୋନିଜ ଖାଇବା ଦ୍ବାରା ଜଣେ ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢ଼ିବାର ଆଶଙ୍କା ବୃଦ୍ଧି ପାଇଥାଏ । ଗୋଟିଏ ଚାମଚ ମେୟୋନିଜରେ ପ୍ରାୟ ୧.୬ ଗ୍ରାମ ଚର୍ବି ଥାଏ । ତେଣୁ ଏହା ଅଧିକ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍ ବୃଦ୍ଧି ପାଇଥାଏ । କହିବାକୁ ଗଲେ ଦେହରେ ଅନେକ ରୋଗକୁ ଜନ୍ମଦିଏ ମେୟୋନିଜ । ତେଣୁ ସ୍ବାସ୍ଥ୍ୟ ହିଁ ସମ୍ପଦ ଆପଣ ଯଦି ସୁସ୍ଥ ରହିବାକୁ ଚାହାନ୍ତି ତେବେ ମେୟୋନିଜ ଖାଇବାରୁ ନିବୃତ ରୁହନ୍ତୁ ।