କନକ ବ୍ୟୁରୋ : ଛୋଟ ଛୁଆ ଅଝଟ ହେଲେ କିମ୍ବା କାନ୍ଦିଲେ ଆମେ ଚୁପ୍ କରିବା ପାଇଁ ପିଲାଟିର ହାତକୁ ଚକଲେଟ୍ ବଢ଼ାଇଦେଉ । କିନ୍ତୁ ଏହି ଚକଲେଟ୍ କେତେ ମାରାତ୍ମକ ଆପଣ ଜାଣିଛନ୍ତି କି? ଜଣେ ୭ ମାସର ଶିଶୁକନ୍ୟାର ଜୀବନ ଏହି ଚକଲେଟ୍ କାରଣରୁ ଚାଲିଯାଇଛି । କଅଁଳ ଛୁଆଟି ଛଟପଟ ହୋଇ ଜୀବନ ହାରିଛି । ଏଭଳି ହୃଦୟବିଦାରକ ଘଟଣା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । ଘରେ ଖେଳୁଥିବା ସମୟରେ ଛୁଆଟି ଚକଲେଟ୍ ଖାଇଥିଲା ଏବଂ ଚକଲେଟର ଗୋଟିଏ ଟୁକୁଡ଼ା ତା’ର ତଣ୍ଟିରେ ଅଟକି ଯାଇଥିଲା । ଆରୋହି ଆନନ୍ଦ ଖୋଡ୍ ନାମକ ଏହି କୁନି ଝିଅଟି ଘରେ ଖେଳୁଥିବା ବେଳେ ଆଖପାଖରେ କେହି ନଥିଲେ । ଖେଳୁ ଖେଳୁ ତଳେ ପଡ଼ିଥିବା ଗୋଟିଏ ଛୋଟ ଚକଲେଟ୍ ଖଣ୍ଡକୁ ଝିଅଟି ପାଟି ପୂରାଇ ଦେଇଥିଲା ଯାହାପରେ ଖଣ୍ଡଟି ଆରୋହିର ତଣ୍ଟିରେ ଫସି ଯାଇଥିଲା । କୁନିଶିଶୁଟି ହୋଇଥିବାରୁ ତା’ର କ’ଣ ହୋଇଛି ପରିବାର ଲୋକ ଜାଣିପାରିଲେ ନାହିଁ ଏବଂ ତରତର ହୋଇ ହସ୍ପିଟାଲ୍ ନେଇଆସିଲେ । କିନ୍ତୁ ସେତେବେଳକୁ ନେଡ଼ି ଗୋଡ଼ କହୁଣିକୁ ବୋହି ସାରିଥିଲା । ବିଳମ୍ବ ହେବା କାରଣରୁ ଝିଅଟିର ନିଶ୍ବାସ ହସ୍ପିଟାଲ୍ ଯିବା ବାଟରେ ହିଁ ଅଟକିଗଲା ଏବଂ ଡାକ୍ତର କୁନିଛୁଆଟିକୁ ମୃତ ଘୋଷଣା କଲେ । ତେବେ ଝିଅକୁ ହରାଇବା ପରେ ବାପା’ମା ଏବେ ଗଭୀର ଆଘାତରେ ଅଛନ୍ତି । ପୂରା ପରିବାର ଶୋକର ଛାୟାରେ ବୁଡ଼ିରହିଛି । 

Advertisment

ତେବେ ଏଭଳି ଘଟଣା ପ୍ରଥମଥର ପାଇଁ ନୁହେଁ ଏହା ପୂର୍ବରୁ ଅନେକ କୁନିଶିଶୁଙ୍କ ଗଳାରେ କିଛି ଅଟକି ଜୀବନ ଚାଲିଯିବାର ଖବର ଆପଣ ଶୁଣିଥିବେ । ନିକଟରେ ଛତିଶଗଡ଼ର ବିଳାସପୁରରେ ୧୬ ମାସର ଏକ ଶିଶୁର ଗଳାରେ ଚଣା ଫସିବା କାରଣରୁ ତା’ର ମୃତ୍ୟୁ ହୋଇଥିଲା । ଦିନମଜୁରିଆ ଜୟକୁମାରଙ୍କ ପୁଅ ଘରେ ଚଣା ଖାଉଥିବା ବେଳେ ତା’ ଗଳାରେ ଚଣା ଫସିଯାଇଥିଲା ଯେଉଁ କାରଣରୁ ପୁଅଟିର ମୃତ୍ୟୁ ହୋଇଥିଲା । ସମାନ ଭାବେ ଫରୁଖାବାଦରେ ମହମ୍ମଦ ନାଜିଦଙ୍କ ୫ ବର୍ଷର ଝିଅ ବେଲୁନ୍ ଚୋବାଉଥିବା ବେଳେ ହଠାତ୍ ବେଲୁନଟି ତା’ର ତଣ୍ଟିରେ ଲାଗିଯାଇଥିଲା । ପରିବାର ହସ୍ପିଟାଲ୍ ନେଲାବେଳକୁ ଝିଅଟି ବାଟରେ ହିଁ ଆଖି ବୁଜିଦେଇଥିଲା । ତେବେ କୁନି ଶିଶୁଙ୍କୁ ଏଭଳି ଚକଲେଟ୍ , ଚଣା କିମ୍ବା କୌଣସି କଠିନ ଦ୍ରବ୍ୟ ଖାଇବାର ଦେଖୁଥିଲେ ତୁରନ୍ତ ଅଟକାନ୍ତୁ ନଚେତ୍ କେତେ ବେଳେ କାହାର ଜୀବନ ଚାଲିଯିବ କିଏ କହିପାରିବ ।