କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଥିବା ଡାକ୍ତର ଆନ୍ଦୋଳନର ସମାଧାନ ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ମଧ୍ୟାହ୍ଣ ୧୨ଟା ୩୦ରେ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନର ପ୍ରତିନିଧି ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ନିଜର ୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଏହି ବୈଠକରେ ଡାକ୍ତରମାନଙ୍କର ବିଭିନ୍ନ ସମସ୍ୟା, ବିଶେଷ କରି ସୁରକ୍ଷା, ପଦୋନ୍ନତି ଏବଂ ଭିତ୍ତିଭୂମି ସମ୍ପର୍କିତ ଦାବି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।  ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।  ଅନ୍ୟପଟେ ସରକାର ଡାକ୍ତରଙ୍କ ଦାବି ପ୍ରତି କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ ଏହି ବୈଠକ ପରେ ଓମ୍ସା ଆନ୍ଦୋଳନ ପ୍ରତ୍ୟାହାର କରୁଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କର ନଜର ।

Advertisment

ଜାଣିରଖିବା ଉଚିତ ଯେ, ଜିଦରେ ଅଟଳ ରହିଛି ଡାକ୍ତର ସଂଘ। ସରକାରଙ୍କ ଏସ୍‌ମାକୁ ଫୁ କରି ଉଡ଼ାଇଦେଇଛି ଓମ୍‌ସା। ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ଘଣ୍ଟିଆ ଓପିଡି ବନ୍ଦ ଏସ୍‌ମା ଲାଗିବା ପରେ ମଧ୍ୟ ଜାରି ରହିଛି।ସରକାର ମଧ୍ୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସରକାର-ଡାକ୍ତରଙ୍କ କଳି ଭିତରେ କେବଳ ରୋଗୀମାନେ ହିଁ ହନ୍ତସନ୍ତ ହେଉଛନ୍ତି। ୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଏବେ ତାହା ୨ ଘଣ୍ଟାରେ ପହଞ୍ଚିଲାଣି। ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଚିକିତ୍ସା ବିଳମ୍ବିତ ହେଉଥିବାରୁ ପରୀକ୍ଷାନିରୀକ୍ଷା ଆହୁରି ସମସ୍ୟା ବଢ଼ାଉଛି।

ଆହୁରି ପଢ଼ନ୍ତୁ : ଜିଦରେ ଅଟଳ ଡାକ୍ତରୀ ସଂଘ: ଆଜି ବି ୨ ଘଣ୍ଟିଆ ଓପିଡି ବନ୍ଦ

ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍‌ଣରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍‌ସା ପକ୍ଷରୁ ଚେତାବନୀ ଦିଆଯାଇଛି। ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍‌ମା ଲାଗୁ କରିଛନ୍ତି। ହେଲେ ଡାକ୍ତରମାନେ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।