କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତି ନେଇ ଦିଲ୍ଲୀରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦକୁ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ଏକ ଶକ୍ତ ରଣନୀତି ଉପରେ ଚର୍ଚ୍ଚା କରାଯିବ । ଏଥିରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା, ପୁଲିସର ବରିଷ୍ଠ ଅଧିକାରୀ, ସିଭିଲ୍ ଆଡମିନିଷ୍ଟ୍ରେସନ, CAPF, ଗୁଇନ୍ଦା ବିଭାଗ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

Advertisment

୨୦୨୬ରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରକୁ ନେଇ ଏହା ପ୍ରଥମ ବଡ଼ ସୁରକ୍ଷା ସମୀକ୍ଷା ବୈଠକ । ନିକଟରେ ଜମ୍ମୁ ଅଞ୍ଚଳର ପାର୍ବତ୍ୟ ଏବଂ ଦୁର୍ଗମ ଇଲାକାରେ ଆତଙ୍କବାଦୀଙ୍କ ବିରୋଧରେ ଜମ୍ମୁ-କାଶ୍ମୀର ପୁଲିସ ଓ ସୁରକ୍ଷାବଳ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ପରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ମୁଖ୍ୟତଃ ଦୁର୍ଗମ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଏବଂ LoC ଓ ଅ ନ୍ତର୍ଜାତୀୟ ସୀମା (IB)ରେ ‘ଜିରୋ ଇନଫିଲଟ୍ରେସନ’ ବା ଶୂନ୍ୟ ଅନୁପ୍ରବେଶ ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ରଣନୀତି ପ୍ରସ୍ତୁତ କରାଯିବ ।

ଅଧିକ ପଢ଼ନ୍ତୁ---ଇପିଏଫ୍‌ ପେନ୍‌ସନ୍‌ ୫ ଗୁଣା ବଢ଼ିବ: ସର୍ବନିମ୍ନ ପେନ୍‌ସନ୍ ୫୦୦୦ ଟଙ୍କା ହେବ

ଏହି ବୈଠକରେ ଜମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଅଟଳ ଦୁଲ୍ଲୁ, ପୁଲିସ ମହାନିର୍ଦ୍ଦେଶକ ନଳିନ ପ୍ରଭାତ, ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଗୁଇନ୍ଦା ମୁଖ୍ୟ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ । ଶୀତଦିନେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ପାକିସ୍ତାନୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ବରିଷ୍ଠ ଅଧିକାରୀମାନେ ଗୃହମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ ।

ସୂଚନା ଅନୁସାରେ , ଗତ କିଛି ମାସ ମଧ୍ୟରେ କିସ୍ତୱାଡ, ଡୋଡା ଏବଂ ଉଧମପୁର ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ଆତଙ୍କୀ ଗତିବିଧି ଦେଖିବାକୁ ମିଳିଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା ଏବଂ ISI ର ସହାୟତାରେ ଅନେକ ଆତଙ୍କବାଦୀ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ପାଇଁ ଯୋଜନା ଚଳାଇଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ।