କନକ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆକିବ ନବୀ ଡାର୍ ଯେଉଁ ମୁହୂର୍ତ୍ତରେ ହାତରେ ନୂଆ ବଲ୍ ଧରି ବୋଲିଂ କରିବାକୁ ଦୌଡ଼ିବେ ଏବଂ ସାମ୍ନାରେ ମିଚେଲ୍ ଷ୍ଟାର୍କ ଛିଡ଼ା ହୋଇଥିବେ, ସେହି ମୁହୂର୍ତ୍ତରେ କେବଳ ଗୋଟିଏ ଓଭର୍ ଆରମ୍ଭ ହେବନାହିଁ - ବରଂ ସେହି ମୁହୂର୍ତ୍ତରେ ବାରାମୁଲାର ଗଳିରେ ଦବି ରହିଥିବା ଏକ ସ୍ୱପ୍ନ ନିଶ୍ୱାସ ନେବ । ଏହା ଆଇପିଏଲ୍ର ମଇଦାନରେ ହେବ ସତ, କିନ୍ତୁ ଆକିବଙ୍କ ପାଇଁ ଏହା ପ୍ରତ୍ୟେକ ‘ନା’, ପ୍ରତ୍ୟେକ ପ୍ରତ୍ୟାଖ୍ୟାନ ଏବଂ ପ୍ରତ୍ୟେକ ଏକାକୀ ସନ୍ଧ୍ୟାର ଜବାବ ହେବ ।
ଆବୁଧାବିର ନିଲାମରେ ଯେତେବେଳେ ବୋଲି ୮.୪୦ କୋଟି ଟଙ୍କାରେ ଅଟକିଲା, ତେବେ ଏହା କେବଳ ଏକ ସଂଖ୍ୟା ନଥିଲା । ଏହା ସେହି ପାଞ୍ଚ-ଛଅ ବର୍ଷର ହିସାବ ଥିଲା, ଯେତେବେଳେ ଆକିବ ପ୍ରତ୍ୟେକ ଟ୍ରାଏଲରୁ ଖାଲି ହାତରେ ଫେରୁଥିଲେ । ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ରୁ ୨୮ ଗୁଣା ଡିଆଁ - ଏହା ଭାଗ୍ୟର ଡିଆଁ ନୁହେଁ, ବରଂ ଧୈର୍ଯ୍ୟର ରୋଜଗାର ଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ଗୁଜୁରାଟ ଟାଇଟନ୍ସ, ସନରାଇଜର୍ସ ହାଇଦ୍ରାବାଦ - ନାମ ବଡ଼ ଥିଲା, କିନ୍ତୁ ଜବାବ ଛୋଟ ଥିଲା । ପ୍ରତ୍ୟେକ ଟ୍ରାଏଲ୍ ପରେ ସେହି ଗୋଟିଏ ପ୍ରଶ୍ନ - 'କ’ଣ ମୋ ଭିତରେ କିଛି କମି ଅଛି?' ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଡାକିଥିଲା ମଧ୍ୟ, କିନ୍ତୁ ରାଜ୍ୟ କ୍ୟାମ୍ପ୍ ସୁଯୋଗ ଛଡ଼ାଇ ନେଇଥିଲା । ଏଥର, ଯେତେବେଳେ ନାମ ଡକାଗଲା, ଅନେକ ଦଳ ପୁଣି ମୁହଁ ବୁଲାଇ ନେଇଥିଲେ - କିନ୍ତୁ ଦିଲ୍ଲୀ ଅଟକିଲା, ବୋଲି ବଢ଼ାଇଲା ଏବଂ ଭରସା ଜିତାଇଲା।
୨୯ ବର୍ଷର ହୋଇସାରିଥିବା ଆକିବଙ୍କ କ୍ରିକେଟ୍ କୌଣସି ଚମକଦାର ଏକାଡେମୀରୁ ବାହାରି ନଥିଲା । ଏହା ଥିଲା ଗଳି କ୍ରିକେଟ୍ - ଟେନିସ୍ ବଲ୍, ଭଙ୍ଗା ବ୍ୟାଟ୍ ଏବଂ ଅଣଓସାରିଆ କ୍ରିକେଟ ପଡ଼ିଆ... ନା ଠିକ୍ ପଡ଼ିଆ ଥିଲା, ନା ଠିକ୍ ଜୋତା । ତାଙ୍କୁ ଏହା ମଧ୍ୟ ଜଣା ନଥିଲା ଯେ ଦ୍ରୁତ ବୋଲରଙ୍କୁ ସ୍ପାଇକ୍ସ ଆବଶ୍ୟକ ହୋଇଥାଏ ।
ଆହୁରି ପଢ଼ନ୍ତୁ... ଲକ୍ଷ୍ନୌ ଟି-୨୦ ବାତିଲରୁ ଶିକ୍ଷା ପାଇଲା BCCI; ପାଗ ଦେଖି ପ୍ରସ୍ତୁତ ହେବ କାର୍ଯ୍ୟସୂଚୀ
ଜମ୍ମୁରେ ପ୍ରଥମ ଟ୍ରାଏଲ୍... ପାଦରେ ୫୦୦ ଟଙ୍କିଆ ସ୍ପୋର୍ଟସ୍ ଜୋତା, ସାମ୍ନାରେ ସେହି ପିଲାମାନେ - ଯେଉଁମାନଙ୍କ ପାଖରେ କିଟ୍, କୋଚ୍ ଏବଂ ଆତ୍ମବିଶ୍ୱାସ ଥିଲା । ଆକିବ ଜଣେ ସିନିୟରଙ୍କ ଠାରୁ ସ୍ପାଇକ୍ସ ଉଧାର ଆଣିଲେ, ବଲ୍ ପକାଇଲେ ଏବଂ ନାମ ଆସିଲା ନାହିଁ । ସେଦିନ କେବଳ ଚୟନ ଭାଙ୍ଗି ନଥିଲା, ଭରସା ମଧ୍ୟ ଡହଳବିକଳ ହୋଇଥିଲା ।
ଘରେ ପାଠପଢ଼ା ସହିତ ବୁଝାମଣା ହେଉନଥିଲା। ବାପା ଗୁଲାମ ନବୀ ଡାର୍ ସରକାରୀ ସ୍କୁଲରେ ଇଂରାଜୀ ପଢ଼ାନ୍ତି । ପୁଅ ଡାକ୍ତର ହେଉ - ଏହା ହିଁ ସ୍ୱପ୍ନ ଥିଲା। କ୍ରିକେଟ୍ ପ୍ରତି ଅସନ୍ତୋଷ ଥିଲା, ଚିନ୍ତା ଥିଲା, ଭୟ ଥିଲା। ଅଣ୍ଡର-୧୯ରେ ଚୟନ ହେବା ପରେ ବାପାଙ୍କ ହୃଦୟ ତରଳି ଗଲା। ଆଜି ସେହି ବାପା ସବୁଠାରୁ ବଡ଼ ପ୍ରଶଂସକ।
୨୦୧୬ରେ ଅଣ୍ଡର-୧୯ର ଶେଷ ବର୍ଷ... ଏକଦିବସୀୟ ନୁହେଁ, ଚାରି ଦିବସୀୟ କ୍ରିକେଟ୍ । କୁଚ୍ ବିହାର ଟ୍ରଫି ତାଙ୍କୁ ସେହି ସୁଯୋଗ ଦେଲା, ଯାହାକୁ ସେ ଛାଡ଼ି ପାରିନଥାନ୍ତେ । ଏହା ପରେ ମଧ୍ୟ ରାସ୍ତା ସହଜ ନଥିଲା - ଆଘାତ ଲାଗିଲା, ସୁଯୋଗ ଅଟକିଲା, କିନ୍ତୁ ଆକିବ ଅଟକି ନଥିଲେ।
୨୦୨୪-୨୫ ରଣଜୀ ଟ୍ରଫି... ୮ ମ୍ୟାଚ୍, ୪୪ ୱିକେଟ୍ । ପ୍ରତ୍ୟେକ ରନ୍-ଅପ୍ ସହିତ ଗୋଟିଏ ପ୍ରଶ୍ନ - 'ଏବେ ବି ଅଣଦେଖା କରିବ?' କ୍ୱାର୍ଟର ଫାଇନାଲରେ କେରଳ ବିପକ୍ଷରେ ଗୋଟିଏ ରନ୍ରେ ବାହାର ହେବା ହୃଦୟ ଭାଙ୍ଗିଦେଲା ସତ, କିନ୍ତୁ ଆକିବଙ୍କ ପରିଚୟ ତିଆରି ହୋଇସାରିଥିଲା।
ରାଜସ୍ଥାନ ବିପକ୍ଷରେ ୨୪ ରନ୍ ଦେଇ ୭ ୱିକେଟ୍ - ଏହା କେବଳ ପରିସଂଖ୍ୟାନ ନଥିଲା, ଏକ ଘୋଷଣା ଥିଲା । ୨୦୨୫–୨୬ ରଣଜୀର ପ୍ରଥମ ଭାଗରେ ଶ୍ରେଷ୍ଠ-୫ ୱିକେଟ୍ ଟେକର୍ଙ୍କ ମଧ୍ୟରେ ଏକମାତ୍ର ସିମ୍ ବୋଲର, ଏବେ ତାଙ୍କ ଠାରୁ ନଜର ହଟାଇବା କଷ୍ଟକର ଥିଲା ।
ସୟଦ ମୁସ୍ତାକ ଅଲିରେ ସାତ ମ୍ୟାଚ୍, ୧୫ ୱିକେଟ୍। ମଧ୍ୟପ୍ରଦେଶ ବିପକ୍ଷରେ ୨୧ ବଲରେ ୩୨ ରନ୍ ଏବଂ ପୁଣି ତିନି ୱିକେଟ୍ - ଯେମିତି କହୁଥିଲେ, 'ମୁଁ କେବଳ ବୋଲର ନୁହେଁ ।' କୋଚ୍ କିଛି ବଦଳାଇ ନଥିଲେ - କେବଳ ଆତ୍ମବିଶ୍ୱାସ ଫେରାଇ ଆଣିଥିଲେ। ଇନସ୍ୱିଙ୍ଗ୍ ଶିଖିଲେ, ଭୟ ଛାଡ଼ିଲେ ଏବଂ ବଲ୍ ସହିତ କଥା ହେବା ଆରମ୍ଭ ହେଲା। କାଶ୍ମୀରର ‘ଡେଲ୍ ଷ୍ଟେନ୍’ ଏବେ କେବଳ ଏକ ଉପନାମ ନୁହେଁ... ଏହା ସେହି ପିଲାର ପରିଚୟ, ଯିଏ ହାର ମାନିବାକୁ ମନା କରିଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/18/auqib-nabi-2025-12-18-18-35-50.png)