hockey India Photograph: (Kanak News)
କନକ ବ୍ୟୁରୋ: ‘ବେଦାନ୍ତ କଳିଙ୍ଗ ଲାନସର୍ସ’ ଦ୍ବିତୀୟ ଥର ଲାଗି ହକି ଇଣ୍ଡିଆ ଲିଗ୍ରେ ବିଜେତା ହେବାର ଗୌରବ ଅର୍ଜନ କରିଛି । କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ଆହ୍ବାନପୂର୍ଣ୍ଣ ନୀଳ ଟର୍ଫରେ ଖେଳାଯାଇଥିବା ଅତୁଳନୀୟ ରୋମାଞ୍ଚ ତଥା ଉତ୍କଣ୍ଠାଭରା ଫାଇନାଲ୍ରେ ୩-୨ ଗୋଲ୍ରେ ରାଞ୍ଚି ରୟାଲ୍ସକୁ ହରାଇ ୯ବର୍ଷ ପରେ ପୁଣି ଥରେ ଏହି ସମ୍ମାନଜନକ ତଥା ଦେଶର ଏକମାତ୍ର ପେସାଦାର ହକି ଲିଗ୍ର ଆକର୍ଷଣୀୟ ଟ୍ରଫି ଜିତି ନେଇଛି କଳିଙ୍ଗ ଲାନ୍ସର୍ସ । ଏହି ଓଡ଼ିଶା ଭିତ୍ତିକ ଦଳ ପ୍ରଥମ ଥର ୨୦୧୭ ମସିହାରେ ହକି ଇଣ୍ଡିଆ ଲିଗ୍ର ବିଜେତା ହୋଇଥିଲା । ବିଜେତା ଟ୍ରଫି ସହ କଳିଙ୍ଗ ଲାନ୍ସର୍ସ ୩ କୋଟି ଏବଂ ରାଞ୍ଚି ରୟାଲ୍ସ ଉପବଜେତା ଟ୍ରଫି ସହ ୨କୋଟି ଟଙ୍କାର ଆର୍ଥିକ ପୁରସ୍କାର ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କଠାରୁ ଗ୍ରହଣ କରିଥିଲା। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ହାଇଦ୍ରାବାଦ ତୁଫାନ୍ସ ଓ ହିଲ୍ ଜିସି ଦଳ ୧ କୋଟି ଟଙ୍କା ଲେଖାଏଁ ପାଇଥିଲେ ।
ସୋମବାରର ପୁରସ୍କାର ବିତରଣୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆ ଲିଗ୍ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି, ସଂପାଦକ ଭୋଳାନାଥ ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ ଏବଂ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପନ୍ଦର ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇଥିବା ଫାଇନାଲ୍ରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୪ ଓ ୨୭ ମିନିଟ୍) ଓ ଦିଲପ୍ରୀତ୍ ସିଂହ କଳିଙ୍ଗ ଲାନସର୍ସ ପକ୍ଷରୁ ଗୋଲ୍ କରିଥିଲେ । ଚତୁର୍ଥ କ୍ବାର୍ଟରର ଶେଷ ଦୁଇ ମିନିଟ୍ ପର୍ଯ୍ୟନ୍ତ ୩-୧ରେ ପଛୁଆ ଥିବା ରାଞ୍ଚି ୫୯ ମିନିଟ୍ରେ ତା’ର ବିଦେଶୀ ଅଧିନାୟକ ଟମ୍ ବୁନ୍ଙ୍କ ମାଧ୍ୟମରେ ଏକ ଗୋଲ୍ ଦେଇ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲା । ହେଲେ ଶେଷରେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ।
ଆହୁରି ପଢ଼ନ୍ତୁ... ଫ୍ରାଞ୍ଚାଇଜି ଦେୟ କମାଇବ ହକି ଇଣ୍ଡିଆ ଲିଗ୍ : ଦିଲ୍ଲୀପ ତିର୍କୀ
ରାଞ୍ଚି ରୟାଲ୍ସ ପକ୍ଷରୁ ବୁନ୍ଙ୍କ ଛଡ଼ା ଅରାଇଜିତ ସିଂହ ହୁଣ୍ଡାଲ (୯) ଅନ୍ୟ ଗୋଲ୍ଟି ଦେଇଥିଲେ । ଏହା ପୂର୍ବରୁ ଖେଳାଯାଇଥିବା ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲ୍ରେ ହିଲ୍ ଜିସି ଦଳକୁ ହରାଇ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲା । ଲିଗ୍ର ଅନ୍ୟ ପୁରସ୍କାରଗୁଡ଼ିକ ମଧ୍ୟରେ ଶୃଙ୍ଖଳିତ ଦଳ: ହିଲ୍ ଜିସି, ଶ୍ରେଷ୍ଠ ଗୋଲ୍ ରକ୍ଷକ: ପ୍ରିନ୍ସଦୀପ ସିଂହ ( ତାମିଲନାଡ଼ୁ ଡ୍ରାଗନ୍ସ), ଶ୍ରେଷ୍ଠ ଉଦୀୟମାନ ଖେଳାଳି: ତଲିମ ପ୍ରିୟବ୍ରତ (ହିଲ୍ ଜିସି), ସର୍ବାଧିକ ଗୋଲ୍: ଟମ୍ ବୁନ୍ (୧୯, ରାଞ୍ଚି ରୟାଲ୍ସ) ଲାଭ କରିଥିଲେ। ଏମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଦ୍ରାବାଦ ତୁଫାନ୍ସର ଓଡ଼ିଆ ତାରକା ଅମନଦୀପ ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ୨୦ ଲକ୍ଷ ଟଙ୍କା ପାଇଥିଲେ।
Follow Us