କନକ ବ୍ୟୁରୋ : ପାହାଡ଼ ଉପରେ ଥିବା ସୀତାପାଲି, ପ୍ରତିମୁହୂର୍ତ୍ତରେ ସଂଘର୍ଷ, ପାଣି ପାଇଁ ଯିବାକୁ ପଡ଼େ ଅନେକ ଦୂର । ମୌଳିକ ସୁବିଧା ଏଠି ସାତସପନ, ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଛି, ଲତାବୁଦା ମାଡ଼ିଗଲାଣି । ଘରେ ମିଟର ଓ ବୋର୍ଡ ଲାଗିଛି, ଫ୍ୟାନ୍ ଓ ବଲ୍ବ ଝୁଲୁଛି, କାମରେ ଲାଗୁନି, ୩ବର୍ଷ ହେଲା ସୀତାପାଲିରେ ବିଦ୍ୟୁତ୍ ବିଚ୍ଛିନ୍ନ । ଅନ୍ଧାର ରାଜୁତି କରୁଛି । ଟର୍ଚ୍ଚ ଲଗାଇ ରୋଷେଇବାସ, ଖିଆପିଆ ସବୁ କରୁଛନ୍ତି ।
ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ସଦରମହକୁମା ଠାରୁ ୩୦ କିମି ଓ ମାନ୍ୟମକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୦ କିମି ଦୂର ପାହାଡ଼ ଉପରେ ରହିଛି ସୀତାପାଲି ଗାଁ। ମାନ୍ୟମକୋଣ୍ଡା ଠାରୁ ସାଇଲୁର ଘାଟି ରାସ୍ତାକାମ ଯୋଗୁଁ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡାଇ ଦିଆଯାଇଛି । ତେଣୁ ସୀତାପାଲି ଗାଁକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଛି । ଫଳରେ ପୂରା ଗାଁ ଅନ୍ଧାରରେ ଥିବା ବେଳେ ମୋବାଇଲ ଚାର୍ଜ କରିବାକୁ ୮କିମି ପାହାଡ଼ ତଳକୁ ଆସିବାକୁ ପଡ଼େ । ଏଠି ମୋବାଇଲ୍ ନେଟୱର୍କ ବି କାଁ ଭାଁ କେତେବେଳେ କେମିତି ଆସୁଛି।
ଅଧିକ ପଢ଼ନ୍ତୁ : ଡିପଥେରିଆ ଆତଙ୍କ, ଚିତ୍ରାଙ୍ଗପାଲି ଓ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ମେଡିକାଲ ଟିମ୍
କେବଳ ବିଦ୍ୟୁତ କି ମୋବାଇଲ ନେଟୱର୍କ ନୁହେଁ, ଅନେକ ସମସ୍ୟା ସହ ଜୁଝୁଛନ୍ତି ଏଠିକାର ଅଧିବାସୀ। ଶୋଷ ମେଣ୍ଟାଉଛି ଗାଁଠୁ ୨କିମି ଦୂର ପାହାଡ଼ ତଳେ ଥିବା ଝରଣା ପାଣି । ପାହାଡ଼ି ଗାଁରେ ସ୍କୁଲ କି ଅଙ୍ଗନବାଡ଼ି ନଥିବାରୁ ଅଧିକାଂଶ ପିଲା ପାଠପଢ଼ାରୁ ବଂଚିତ । କିଏ କିଏ ୧୦ କିମି ଦୂର ମାନ୍ୟମକୋଣ୍ଡାରେ ଯାଇ ପାଠ ପଢ଼ିବାକୁ ବାଧ୍ୟ ବୋଲି କୁହନ୍ତି ଅଭିଭାବକ।
ଅଧିକ ପଢ଼ନ୍ତୁ : ପୁଣି ବୁଡ଼ିଲା ମାଲକାନଗିରି କାଲିମେଳା କନ୍ୟାଶ୍ରମ ପୋଲ । ଦୁଇ ଦିନ ହେଲା ଜାରି ରହିଛି ଲଗାଣ ବର୍ଷା
ଗାଁର ସମସ୍ତ ପରିବାର ରଗିବ ଖଟିଖିଆ । ଧାନ ମାଣ୍ଡିଆ ଓ ମକା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଆବାସ ଯୋଜନାରେ ଘର ପାଇନାହାନ୍ତି । ଯାହାକୁ ମିଳିଛି ତାହା ଅର୍ଦ୍ଧନିର୍ମିତ ଅବସ୍ଥାରେ । ତେଣୁ ଚାଳ ଛପର ଓ ଜରିପାଲ ଟାଣି ଶୀତ କାକରରେ ରହୁଛନ୍ତି ଗାଁ ଲୋକେ । ସ୍ୱାଧୀନତାର ୭୮ବର୍ଷ ପରେ ଶାନ୍ତିରେ ଟିକେ ବଞ୍ଚିବାକୁ ଚାହୁଥିବା ଲୋକଙ୍କ ଦୁର୍ଦ୍ଦଶା ସ୍ଥାନୀୟ ଜନପ୍ରତିନିଧି କି ପ୍ରାଶାସନିକ ବାବୁ, କାହାରି ଆଖିକୁ ଦେଖାଯାଉନାହିଁ । ଅନ୍ୟପଟେ କାଲିମେଳା ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ କହିଛନ୍ତି, ସୀତାପାଲିର ସମସ୍ୟା ସଂପର୍କରେ ସେ କାଲିମେଳା ସମିତି ବୈଠକରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବିକାଶ ଠାରୁ ବହୁ ଦୂରରେ ଥିବା ସୀତାପାଲି ଗାଁର ସବୁ ସମସ୍ୟା ପ୍ରତି ରାଜ୍ୟସରକାର ହୁଅନ୍ତୁ ବା ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଛି ।
Follow Us