Social Media Photograph: (KanakNews)
କନକ ବ୍ୟୁରୋ : ଆଜିର ସମୟ ଏତେ ଆଧୁନିକ ହେଲାଣି ଯେ ଲୋକଙ୍କ ଜୀବନଠାରୁ ବଡ଼ ଲାଇକ୍ , କମେଣ୍ଟ୍ , ସବସ୍କ୍ରାଇବ ଏବଂ ଭ୍ୟୁ ପାଲଟିଛି । ସୋସିଆଲ୍ ମିଡିଆର ତାଳି ପାଇଁ ଲୋକ ଗାଳି କରିବାଠୁ ଆରମ୍ଭ କରି ଗଳା ଚିପି ମାରିବା ଭଳି କାମ କରିବାକୁ ମଧ୍ୟ ପଛାଉନାହାନ୍ତି । ଯାହାର ଜ୍ବଳନ୍ତ ଉଦାହରଣ କେରଳର ଏକ ବସ୍ ଭିତରୁ ବାହାରି ଭାରତର ଘରେ ଘରେ ପହଞ୍ଚିଗଲା । ଫେମସ୍ ହେବା ଚକ୍କରରେ କେମିତି ଜଣେ ଯୁବ ଇନ୍ଫୁଏନ୍ସର ୪୧ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ଜୀବନ ନେଇଗଲେ ତାହା ଆମେ ଆପଣଙ୍କୁ ଆଗରୁ କହିଥିଲୁ । ସିମଜିତା ମୁସ୍ତଫା ନାମକ ଯୁବତୀ ମାତ୍ର କିଛିଟା ଭ୍ୟୁ ପାଇଁ ଦୀପକଙ୍କ ବର୍ଷ ବର୍ଷର ସମ୍ମାନ, ଇଜ୍ଜତକୁ ନିମିଶକରେ ମାଟିରେ ମିଶାଇଦେଲେ ।
ଆଗକୁ ପଢ଼ନ୍ତୁ : ଭ୍ୟୁ କ’ଣ ଜୀବନଠୁ ଅଧିକ ? ଭାଇରାଲ୍ ପାଇଁ ଭଲ ଲୋକକୁ ଫସାଇଦେଲେ , ଆଖି ବୁଜିଦେଲା ମାନବିକତା
ମଧ୍ୟବିତ୍ତ ପରିବାରର ବିବାହିତ ପୁରୁଷ ଦୀପକ ପ୍ରତିଦିନ କାମ ପାଇଁ ବସରେ ଯିବା ଆସିବା କରୁଥିଲେ । କିନ୍ତୁ ସେଦିନର ସେ ବସ୍ ଯାତ୍ରା ତାଙ୍କ ପାଇଁ ଏତେ କଷ୍ଟଦାୟକ ହେବ ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ଚାଲୁଥିବା ବସରେ ବାଲାନ୍ସ ବିଗିଡ଼ିବାକୁ ଏକ ମଉକା ଭାବି ଯୁବତୀ ବଡ଼ ଚତୁରତାର ସହ ଅସଦାଚରଣର ମିଥ୍ୟା ଅଭିଯୋଗ ଲଗାଇବା ଏବଂ ଏହାର ଭିଡିଓ ଭାଇରାଲ କରିବା ଦୀପକଙ୍କ ପାଇଁ ଜିଇଁ ଥାଉ ଥାଉ ମୃତ୍ୟୁଦଣ୍ଡ ଦେବା ଭଳି ପରିସ୍ଥିତି ଆଣିଦେଲା । ଜଣେ ଉତ୍ତମ ଚରିତ୍ରର ମଣିଷ ପାଇଁ ତା’ ସମ୍ମାନ ହିଁ ସବୁଠାରୁ ବଡ଼ । ଆଉ ଏଭଳି ଘଟଣା ଦୀପକଙ୍କ ନିଶ୍ବାସକୁ ଅଟକାଇଦେଲା ଭଳି କାମ କରିଥିଲା । ଯାହାକୁ ସହ୍ୟ ନ କରିପାରି ମୃତ୍ୟୁକୁ ଆଦରି ନେଇଥିଲେ ଦୀପକ । ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ । କାନ୍ଦବୋବାଳିରେ ଫାଟି ପଡ଼ିଲା ଘର । ପରିବାର ନ୍ୟାୟ ପାଇଁ ପୁଲିସର ସହାୟତା ନେଲେ । କିନ୍ତୁ ସେତେବେଳକୁ ଯୁବତୀ ଫେରାର୍ ହୋଇସାରିଥିଲେ । ତେବେ ବର୍ତ୍ତମାନ କେରଳ ମାନବାଧିକାର ଆୟୋଗ ଏହି ମାମଲାର ଯାଞ୍ଚ୍ କରି ଉକ୍ତ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଲାଗୁଛି ଦୀପକ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବ । ତେବେ କେରଳରେ ଅବସ୍ଥା ଏମିତି ହୋଇଛି ଯେ ପୁରୁଷ ଲୋକ କାଗଜ ପେଟି ପିନ୍ଧି ବସରେ ଚଢ଼ୁଛନ୍ତି କାଳେ କେଉଁ ଯୁବତୀଙ୍କ ଦେହରେ ଅଜାଣତରେ ହାତ ବାଜିଯିବ ଏବଂ ଆଉ ଜଣେ ଦୀପକଙ୍କ ଚରିତ୍ର ସଂହାର ହୋଇଯିବ । ଭାଇରାଲ ହେବା ଚକ୍କରରେ ମଣିଷକୁ ମାନସିକ ସ୍ତରରେ ମାରିଦେବାକୁ ମଧ୍ୟ ପଛାଉନାହାନ୍ତି ଲୋକ । ଯେଉଁ ଯୁବପିଢ଼ିଙ୍କଠାରୁ ମାନବିକତାର ଆଶା କରାଯାଏ ସେ ହିଁ ଆଜି ସେନସେସନ୍ ପାଲଟିବା ଲୋଭରେ ସାଧାରଣ ସେନ୍ସ ହରାଇ ବସୁଛି । ତେବେ ଏଭଳି ଘଟଣା ଆଉ କେତେ ଦିନ ଘଟିବ ତାହା ସମୟ ହିଁ କହିବ ।
Follow Us