କନକ ବ୍ୟୁରୋ : ଜଣେ ୪୧ ବର୍ଷୀୟ ବ୍ୟକ୍ତି କାମ ସାରି ବସରେ ଘରକୁ ଫେରୁଛନ୍ତି , ପରିବାର ଲୋକଙ୍କ ସହ ରାତ୍ରିଭୋଜନ କରି ଶୋଇ ପଡୁଛନ୍ତି । ଆଉ ସକାଳୁ ଉଠିଲା ବେଳକୁ ତାଙ୍କ ପୂରା ଦୁନିଆ ଉଜୁଡ଼ି ଯାଉଛି । ସୋସିଆଲ୍ ମିଡିଆରେ ତାଙ୍କୁ ଧିକ୍କାର କଲା ଭଳି କମେଣ୍ଟ୍ , ସାହିପଡ଼ିଶାଙ୍କ ଟାହିଟାପରା ଆଉ ସମ୍ପର୍କୀୟଙ୍କ ଫୋନ୍ ପରେ ଫୋନ୍ … ଘଟଣା କ’ଣ ଜାଣିଲା ବେଳକୁ ଅଜାଣତରେ ତାଙ୍କର ଏକ ଭିଡିଓ ହୋଇଛି ଭାଇରାଲ୍ । ସେ ପୁଣି ଏମିତି ସେମିତି ଭିଡ଼ିଓ ନୁହେଁ ଅସଦାଚରଣର ଭିଡିଓ ।
ଆଗକୁ ପଢ଼ନ୍ତୁ : ବାଃ ପୁଅ ହେବ ତ ଏମିତି ... ଦିବ୍ୟାଙ୍ଗ ଦମ୍ପତିଙ୍କ କ୍ଲାଉଡ୍ କିଚେନ୍ , ବିଜ୍ଞାପନ ପାଇଁ ପୁଅ ସାଜିଛି ସାହାରା
ଆମେ କହୁଛୁ ସୋସିଆଲ ମିଡିଆରେ ଝଡ଼ ପରି ଭାଇରାଲ୍ ହେଉଥିବା ଏକ ଭିଡିଓ ବିଷୟରେ । ଏହି ଭିଡିଓ ଦର୍ଶାଉଛି ଯେ କିଛି ଲାଇକ୍ , କମେଣ୍ଟ୍ ଏବଂ ଭ୍ୟୁ ପାଇଁ ମଣିଷ କେତେ ତଳକୁ ଖସିପାରେ । କେରଳରୁ ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ମହିଳା ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଭିଡ଼ରେ ଖଚାଖଚ ବସରେ ଛିଡ଼ା ହୋଇ ଯାତ୍ରା କରୁଛନ୍ତି । ଠିକ୍ ସେତେବେଳେ ପାଖରେ ଛିଡ଼ା ହୋଇଥିବା ୪୧ ବର୍ଷୀୟ ଦୀପକଙ୍କର ବାଲାନ୍ସ ବିଗୁଡ଼ୁଛି ଏବଂ ସେ ଆଗପଛ ହୋଇଯାଉଛନ୍ତି । ଏହି ସମୟରେ ପାଖରେ ଛିଡ଼ା ହୋଇଥିବା ଇନଫ୍ଲୁଏନ୍ସରଙ୍କ ମୁଣ୍ଡକୁ ଭାଇରାଲ ହେବାର ନିଶା ଚଢ଼ୁଛି ଆଉ ସେ ମୋବାଇଲ ବାହାର କରି ସେତେବେଳର କିଛି ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଉଛନ୍ତି ଏବଂ ଭିଡିଓ କ୍ୟାପ୍ସନରେ ଉକ୍ତ ବ୍ୟକ୍ତି ତାଙ୍କୁ ଅସଦାଚରଣ କରୁଥିବାର ଦୋଷ ମଧ୍ୟ ଲଦି ଦେଉଛନ୍ତି । ତା’ପରେ ଆଉ କ’ଣ ଭିଡିଓଟି ଭାଇରାଲ୍ ହେଉଛି , ଲକ୍ଷ ଲକ୍ଷ ସହାନୁଭୁତିର କମେଣ୍ଟ୍ ଗଦା ହୋଇଯାଉଛି , ମିଲିୟନରେ ଭ୍ୟୁ ବଢ଼ୁଛି ... ଇନଫ୍ଲୁଏନ୍ସରଙ୍କ କ୍ରିଏଟିଭ୍ ଭିଡିଓ ଯେତେ ରିଚ୍ କରୁନଥିଲା ଏହି ଗୋଟିଏ ଭିଡିଓ ତାଙ୍କୁ ଚର୍ଚ୍ଚିତ କରିଦେଉଛି । ସେ ଯାହା ଚାହୁଥିଲେ ସବୁକିଛି କିଛି କ୍ଷଣରେ ପାଇ ଯାଉଛନ୍ତି । କିନ୍ତୁ ସେହି ୪୧ ବର୍ଷୀୟ ବ୍ୟକ୍ତିଙ୍କ କ’ଣ ଯେ ଏଭଳି ମାୟାଜାଲର କେବେ ଶିକାର ହୋଇନଥିଲେ ।
ଭିଡିଓ ପୋଷ୍ଟ୍ ହେବାର ପର ଦିନ ଉକ୍ତ ବ୍ୟକ୍ତି ଯେତେବେଳେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅସଦାଚରଣ ଆସିଥିବାର ଦେଖନ୍ତି ସେତେବେଳେ ତାଙ୍କ ପାଦ ତଳୁ ଯେମିତି ମାଟି ଖସିଯାଏ । ବର୍ଷ ବର୍ଷ ଧରି ସାଉଁଟିଥିବା ପ୍ରଶଂସା , ସମ୍ମାନ , ଇଜ୍ଜତ ଗୋଟିଏ ଫୋନ୍ କଲରେ ଧୂଳିସାତ ହୋଇଯାଏ । ସିମଜିତା ମୁସ୍ତଫା ନାମକ ଯୁବତୀ ଦୀପକଙ୍କର ଯେମିତି ବର୍ଷ ବର୍ଷର ସାଉଁଟିଥିବା ସମ୍ମାନ ଉପରକୁ କାଦୁଅ ଫୋପାଡ଼ି ଚାଲିଗଲେ। ଆଉ ବଞ୍ଚିକି ଲାଭ କ’ଣ ଭାବି ଦୀପକ ରଶି ଲଗାଇ ଜୀବନ ହାରିଦେଲେ । କାନ୍ଦବୋବାଳିରେ ଫାଟିପଡ଼ିଲା ଘର , ପରିବାର ଲୋକେ ରୋଜଗାରିଆ ପୁଅକୁ ହରାଇ ସିମଜିତାଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଆଣିଲେ । କେରଳ ମାନବାଧିକାର ଆୟୋଗ ଏହି ମାମଲାର ଯାଞ୍ଚ୍ କରି ଉକ୍ତ ଯୁବତୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସେ ଫେରାର ଥିବା ଜଣାପଡ଼ିଛି । ଦୀପକଙ୍କ ପରିବାର ଲୋକ ନ୍ୟାୟ ପାଇଁ ପୁଲିସ୍ ପ୍ରଶାସନର ମଧ୍ୟ ସହାୟତା ନେଇଛନ୍ତି । ତେବେ ଭାଇରାଲ ହେବା ଚକ୍କରରେ ମଣିଷକୁ ମାନସିକ ସ୍ତରରେ ମାରିଦେବାକୁ ମଧ୍ୟ ପଛାଉନାହାନ୍ତି ଲୋକ । ଯେଉଁ ଯୁବପିଢ଼ିଙ୍କଠାରୁ ମାନବିକତାର ଆଶା କରାଯାଏ ସେ ହିଁ ଆଜି ସେନସେସନ୍ ପାଲଟିବା ଲୋଭରେ ସାଧାରଣ ସେନ୍ସ ହରାଇ ବସୁଛି । ଏଭଳି ଘଟଣା ଆଉ କେତେ ଦିନ ଘଟିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/22/kerala-man-2026-01-22-18-40-31.jpg)