ଇରାନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ଜାରି, ‘ଆମେ ମରଣ ମୁହଁରୁ ଫେରିଛୁ’

Advertisment

‘ଆମେ ମରଣ ମୁହଁରୁ ଫେରିଛୁ’ ଭୟାବହତା ବର୍ଣ୍ଣନା କଲେ ଇରାନରୁ ଫେରିଥିବା ଭାରତୀୟ

‘ଆମେ ମରଣ ମୁହଁରୁ ଫେରିଛୁ’ ଭୟାବହତା ବର୍ଣ୍ଣନା କଲେ ଇରାନରୁ ଫେରିଥିବା ଭାରତୀୟ

iran indian

iran indian Photograph: (Google)

 କନକ ବ୍ୟୁରୋ;  ଇରାନରେ ଚାଲିଥିବା ବିକ୍ଷୋଭ ଓ ସରକାରୀ ଦମନର ଭୟଙ୍କର ପରିସ୍ଥିତିରେ ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇବା ପାଇଁ ବିଦେଶ ମନ୍ତ୍ରାଳୟ (ଏମ୍‌ଇଏ) ଜରୁରୀ ଉଦ୍ଧାର ଯୋଜନା ତ୍ବରାନ୍ବିତ କରିଛି । ଆଜି ପ୍ରଥମ ଉଦ୍ଧାର ବିମାନ ତେହେରାନରୁ ଆସି ଦିଲ୍ଲୀରେ ଅବତରଣ କରିଛି । ଏହି ବିମାନରେ ଆସିଥିବା ଭାରତୀୟ ଛାତ୍ର ଓ ପରିବାରବର୍ଗ ଇରାନରେ ଘଟୁଥିବା ଗୁଳିବର୍ଷଣ, ରାସ୍ତାରେ ହିଂସା ଓ ଭୟଙ୍କର ପରିବେଶର ବର୍ଣ୍ଣନା କରିଛନ୍ତି । ସେମାନେ କହିଛନ୍ତି ଯେ ପରିସ୍ଥିତି ଏବେ ପୂରା ଯୁଦ୍ଧ ଭଳି ହୋଇଯାଇଛି । ରାସ୍ତାରେ ଅହରହ ଗୁଳି ଶବ୍ଦ, ଧୂଆଁ ଓ ସଂଘର୍ଷର ଦୃଶ୍ୟ ସର୍ବତ୍ର ଦେଖାଯାଉଛି । ଅନେକେ ଲୋକ ଦୁଇ ସପ୍ତାହ ଧରି ଘରେ ବନ୍ଦୀ ହୋଇ ରହିଥିଲେ। କେତେକ ଛାତ୍ର କହିଛନ୍ତି ଯେ ସେମାନଙ୍କ ହଷ୍ଟେଲ୍ ନିକଟରେ ଗୁଳିଚାଳନା ହେଉଥିଲା ଏବଂ ରାତିରେ ବାହାରକୁ ଯିବା ଅସମ୍ଭବ ହୋଇପଡ଼ିଥିଲା । ଅନେକ ଭାରତୀୟ ଇରାନର ସାମ୍ପ୍ରତିକ ଭୟାବହତା ବର୍ଣ୍ଣନା କରି କହିଛନ୍ତି ଯେ ସେମାନେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ଭାରତ ସରକାରଙ୍କ ସମୟୋଚିତ ପଦକ୍ଷେପ ସେମାନଙ୍କ ଜୀବନ ରକ୍ଷା କରିଛି ।


ବିଦେଶ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଇରାନରେ ପ୍ରାୟ ୧୦,୦୦୦ରୁ ଅଧିକ ଭାରତୀୟ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର, ବିଭିନ୍ନ ବୃତ୍ତିଧାରୀ ଓ ପରିବାରବର୍ଗ । ଏମ୍‌ଇଏ ଏବେ ଭାରତୀୟଙ୍କୁ ଫେରିବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅଧିକ ବିମାନ ନିୟୋଜନ ଯୋଜନା କରୁଛି । ପ୍ରଥମ ବିମାନରେ ମୁଖ୍ୟତଃ ଛାତ୍ର ଓ ମହିଳାମାନେ ଫେରିଛନ୍ତି । ଆଗାମୀ ଦିନରେ ମୁମ୍ବାଇ, ବେଙ୍ଗାଲୁରୁ ଓ ଚେନ୍ନାଇକୁ ମଧ୍ୟ ବିମାନ ଯିବାର ସମ୍ଭାବନା ରହିଛି । ଏମ୍‌ଇଏ ଏୟାରଲାଇନ୍‌ଗୁଡ଼ିକ ସହ ଆଲୋଚନା କରି ଚାର୍ଟର୍ ବିମାନ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ରହିଛି । 

ଅଧିକ ପଢନ୍ତୁ:  ଗାଜା ଶାନ୍ତି ବୋର୍ଡ ଘୋଷଣା କଲେ ଟ୍ରମ୍ପ: ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଭାରତୀୟ

ଭାରତୀୟ ଦୂତାବାସ ତେହେରାନ୍‌ରେ ୨୪ଘଣ୍ଟିଆ ହେଲ୍ପଲାଇନ୍ ଚାଲୁ ରଖିଛି । ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ନାମ ରେଜିଷ୍ଟର କରିବାକୁ ଅନୁରୋଧ କରାଯାଇଛି । ଦୂତାବାସ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଓ ବିକ୍ଷୋଭ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ଉଦ୍ଧାର ଯୋଜନା ଭାରତର ନାଗରିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଗାମୀ ଦିନରେ ଅଧିକ ଭାରତୀୟଙ୍କୁ ଫେରାଇବାକୁ ପ୍ରାଥମିକତା ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe