କନକବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜା ପ୍ରଶାସନ ପାଇଁ ଏକ ଶାନ୍ତି ବୋର୍ଡ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି  ।  ଗାଜାରେ ସଂଘର୍ଷ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।  ରାଷ୍ଟ୍ରପତି ଟ୍ରମ୍ପ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କୁ ଶାନ୍ତି ବୋର୍ଡରେ ସାମିଲ କରିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବ୍ଲେୟାର ବୋର୍ଡର ପ୍ରତିଷ୍ଠାତା କାର୍ଯ୍ୟନିର୍ବାହୀ ସଦସ୍ୟ ହେବେ।

Advertisment

ପୁଣି ଭାରତ-ପାକିସ୍ତାନ ସଂଘର୍ଷ ରୋକିବାର ଶ୍ରେୟ ନେଲେ ଟ୍ରମ୍ପ

ତାଙ୍କ ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଓ ମଧ୍ୟପ୍ରାଚ୍ୟ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ମଧ୍ୟ ପ୍ରତିଷ୍ଠାତା କାର୍ଯ୍ୟନିର୍ବାହୀ ସଦସ୍ୟ ରହିବେ। ବୋର୍ଡର ଅଧ୍ୟକ୍ଷ ଭାବେ ଟ୍ରମ୍ପ କାର୍ଯ୍ୟ କରିବେ। ବୋର୍ଡରେ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅଜୟ ବାଙ୍ଗା, ଘରୋଇ ଇକ୍ୱିଟି ଫାର୍ମ ମୁଖ୍ୟ ମାର୍କ ରୋୱାନ ଏବଂ ଆମେରିକାର ଉପ-ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ରବର୍ଟ ଗାବ୍ରିଏଲ ମଧ୍ୟ ସାମିଲ ଅଛନ୍ତି। ହ୍ୱାଇଟ୍ ହାଉସ୍ ଅନୁସାରେ ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ଏକ ପୋର୍ଟଫୋଲିଓ ରହିବ ଯାହା ଗାଜାର ସ୍ଥିରତା ଓ ଦୀର୍ଘକାଳୀନ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଟ୍ରମ୍ପ ଏହାକୁ ସର୍ବଶ୍ରେଷ୍ଠ ଏବଂ ସବୁଠାରୁ ପ୍ରତିଷ୍ଠିତ ବୋର୍ଡ ବୋଲି କହିଛନ୍ତି । 

ଶାନ୍ତି ବୋର୍ଡର ଘୋଷଣା ପୂର୍ବରୁ ଯୁଦ୍ଧ ପରବର୍ତ୍ତୀ ଗାଜାରେ ଦୈନନ୍ଦିନ ପ୍ରଶାସନ ପାଇଁ ଦାୟିତ୍ୱରେ ଥିବା ଏକ ୧୫ ଜଣିଆ ପାଲେଷ୍ଟାଇନୀ ଟେକ୍ନୋକ୍ରାଟିକ୍ କମିଟି ଗଠନ କରାଯାଇଥିଲା। ଅଲି ଶାଥଙ୍କୁ ନବଗଠିତ ଗାଜା ପ୍ରଶାସନ ପାଇଁ ଜାତୀୟ କମିଟି (ଏନ୍‌ସିଏଜି)ର ମୁଖ୍ୟ ନିଯୁକ୍ତ କରାଯାଇଛି। ଅଲି ଶାଥଙ୍କୁ ପାଲେଷ୍ଟାଇନୀ ପ୍ରାଧିକରଣ (ପିଏ)ରେ ଉପମନ୍ତ୍ରୀ ନିଯୁକ୍ତ କରାଯାଇଛି। ହ୍ୱାଇଟ୍ ହାଉସ୍ କହିଛି, ମଧ୍ୟପ୍ରାଚ୍ୟରେ ପୂର୍ବତନ ଜାତିସଂଘ ପ୍ରତିନିଧି ବୁଲଗେରିଆନ୍ ରାଜନେତା ନିକୋଲାଏ ମଲାଡେନୋଭ ଗାଜାରେ ବୋର୍ଡର ପ୍ରତିନିଧି ଭାବେ ଏନ୍‌ସିଏଜିରେ କାମ କରିବେ ।

ଟ୍ରମ୍ପଙ୍କ ଯୋଜନା ଅନ୍ତର୍ଗତ ଗାଜାରେ ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ (ଆଇଏସ୍‌ଏଫ୍‌)ମୁତୟନ କରିବାକୁ କୁହାଯାଇଛି। ଏହି ବାହିନୀ ପାଲେଷ୍ଟାଇନୀ ପୁଲିସ ବାହିନୀକୁ ତାଲିମ ପ୍ରଦାନ କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବ। ଆମେରିକାର ମେଜର ଜେନେରାଲ ଜାସପର ଜେଫର୍ସ ଏହି ବାହିନୀର ନେତୃତ୍ୱ ନେବେ। ବାହିନୀ ଗାଜାରେ ସୁରକ୍ଷା ପ୍ରତିଷ୍ଠା, ଶାନ୍ତି ବଜାୟ ରଖିବା ଓ ଏକ ସ୍ଥାୟୀ ଆତଙ୍କବାଦ ମୁକ୍ତ ପରିବେଶ ସୃଷ୍ଟି କରିବାରେ ଆବଶ୍ୟକ ସହଯୋଗ ଯୋଗାଇଦେବ।