କନକ ବ୍ୟୁରୋ : ଅଟକିଲା ଟିମ ଇଣ୍ଡିଆର ବିଜୟରଥ । ଟି-୨୦ ବିଶ୍ବକପରେ ସୁପର-୮ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୭୬ ରନ୍‌ର ବଡ଼ ବ୍ୟବଧାନରେ ହାରିଛି ଭାରତ । ପରାଜୟ ସହ ଟିମ ଇଣ୍ଡିଆର ସେମିଫାଇନାଲ ଯିବା କଷ୍ଟକର ହୋଇଛି । ଅର୍ଥାତ୍ ସେମିଫାଇନାଲ୍ ପାଇଁ ବଡ଼ ବ୍ୟବଧାନରେ ବିଜୟ ସହ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ । ରବିବାର ଅହମଦାବାଦରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୨୦ ରନରେ ୩ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ସଙ୍କଟରେ ପଡ଼ିଥିଲେ ।

Advertisment

ହେଲେ ଏହାର ଫାଇଦା ଉଠାଇପାରିନଥିଲେ ଭାରତୀୟ ବୋଲର । ଡେଭିଡ୍ ମିଲର ଓ ଡିୱାଲ୍ଡ ବ୍ରେଭିସ ୯୩ ରନର ଭାଗିଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ । ବ୍ରେଭିସ ୪୫ ରନ୍ କରି ଆଉଟ ହୋଇଥିଲେ । ମିଲରଙ୍କ ସହ ତ୍ରିସ୍ତନ ଷ୍ଟବ୍‌ସ ରନ୍ ଗତି ଜାରି ରଖିଥିଲେ । ତେବେ ମିଲରଙ୍କ ଆଉଟ୍ ପରେ ଦଳର ରନ୍ ହ୍ରାସ ପାଇଥିଲା । ତେବେ ଷ୍ଟବ୍ସଙ୍କ ଧୂଆଁଧାର ୪୪ ରନ୍ ବଳରେ ଦଳ ୧୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ମିଲର ୩୫ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ।

ଅଧିକ ପଢନ୍ତୁ : ଦ୍ୱିତୀୟ ବିଜୟ ସହ ଭାରତ ଶୀର୍ଷରେ; ନାମିବ୍ୟାକୁ ହରାଇଲେ ଈଶାନ, ହାର୍ଦ୍ଦିକ ଓ ସ୍ପିନର୍‌

ଜବାବରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦଳର କୌଣସି ବ୍ୟାଟର କ୍ରିଜରେ ବେଶୀ ସମୟ ତିଷ୍ଠିପାରିନଥିଲେ । ଶିବମ ଦୁବେଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ଦକ୍ଷିଣ ଆଫ୍ରିକାର ଯୋଜନାବଦ୍ଧ ବୋଲିଂର ସମ୍ମୁଖୀନ ହୋଇ ପାରି ନଥିଲେ । ଫଳରେ ଦଳ କେବଳ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ।