କନକ ବ୍ୟୁରୋ : ଚଳିତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ଭାରତ ଦ୍ୱିତୀୟ ବିଜୟ ସହ ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନକୁ ଫେରିଛି । ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ଦଳ ୯୩ ରନ୍‌ର ବଡ଼ ବ୍ୟବଧାନରେ ନାମିବ୍ୟାକୁ ପରାସ୍ତ କରିଛି । ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲଙ୍କ ସ୍ପିନ୍‌ କମାଲ୍‌ ଭାରତକୁ ଏକପାଖିଆ ବିଜୟ ଦେଇଛି । ଭାରତର ୨୦୯ ରନ୍‌ ଜବାବରେ ନାମିବ୍ୟା ୧୦ ବଲ୍‌ ପୂର୍ବରୁ ୧୧୬ ରନ୍‌ରେ ଅଟକିଯାଇଥିଲା । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍‌ ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ ।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ଈଶାନ କିଶନ ଓ ସଞ୍ଜୁ ସାମ୍‌ସନ୍‌ ପାଳି ଆରମ୍ଭ କରିଥିଲେ । ଅସୁସ୍ଥ ଅଭିଷେକଙ୍କ ବଦଳରେ ସ୍ଥାନ ପାଇଥିବା ସଞ୍ଜୁ ଧୂଆଁଧାର ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳିପାରି ନଥିଲେ । ତାଙ୍କ ପାଳି ୮ ବଲ୍‌ ୨୨ ରନ୍‌ରେ ଶେଷ ହୋଇଯାଇଥିଲା । ଏହା ମଧ୍ୟରେ ସେ ୩ ଛକା ବି ମାରିଥିଲେ । ଏହା ପରେ ତିଳକ ବର୍ମା (୨୧ ବଲ୍‌ରୁ ୨୫ ରନ୍) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୩ ବଲ୍‌ରୁ ୧୨ ରନ୍) ବିଶେଷ ପ୍ରଭାବ ଛାଡ଼ିପାରି ନଥିଲେ । ଈଶାନ କିନ୍ତୁ ତାଙ୍କ ପାରମ୍ପରିକ ବ୍ୟାଟିଂ ଜାରି ରଖି ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ । ପାୱାର ପ୍ଲେ ଭିତରେ ସେ ଏହି ଲକ୍ଷ୍ୟରେ ପହଞ୍ଚିବା ସହ ଭାରତକୁ ୮୫/୧ରେ ରଖିଥିଲେ ।

ଅଧିକ ପଢ଼ନ୍ତୁ : T 20 World Cup 2026: ନେପାଳକୁ ହରାଇଲେ ଇଟାଲିର ଦୁଇଭାଇ

ୟୋନାଥନ ସ୍ମିଟ୍‌ ବୋଲିଂ କରିଥିବା ଷଷ୍ଠ ଓଭରରେ ଈଶାନ ୪ କ୍ରମାଗତ ଛକା ମାରି ୨୮ ରନ୍‌ ଆଦାୟ କରିବା ଉଲ୍ଲେଖନୀୟ ଥିଲା । ଏହା ପରେ ଅବଶ୍ୟ ଈଶାନ (୨୪ ବଲ୍‌ରୁ ୬୧ ରନ୍‌, ୬ ଚୌକା, ୫ ଛକା) ବିଶେଷ ଆଗକୁ ବଢ଼ିପାରି ନଥିଲେ । ଭାରତ ପାଳିକୁ କିନ୍ତୁ ଏହି ସମୟରେ ହାର୍ଦିକ ପାଣ୍ଡ୍ୟା (୨୮ ବଲ୍‌ରୁ ୫୨ ରନ୍‌, ୪ ଚୌକା, ୪ ଛକା) ଏବଂ ଶିବମ ଦୁବେ (୧୬ ବଲ୍‌ରୁ ୨୩ ରନ୍‌) ସମ୍ଭାଳି ନେଇଥିଲେ । ତଥାପି ଭାରତ ଶେଷ ୨ ଓଭରରେ ମାତ୍ର ୧୦ ରନ୍‌ ଯୋଡ଼ି ୫ ୱିକେଟ୍‌ ହରାଇବା ପ୍ରଶଂସକଙ୍କୁ ନିରାଶ କରିଥିଲା । ଗେରାଡ୍‌ ଏରାସମସ୍‌ (୪-୦-୨୦-୪) ପ୍ରଶଂସନୀୟ ବୋଲିଂ କରିବା ନାମିବ୍ୟା ପାଇଁ ଏକମାତ୍ର ସକରାତ୍ମକ ଦିଗ ଥିଲା ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୯/୯ (ଈଶାନ କିଶନ-୬୧, ହାର୍ଦିକ ପାଣ୍ଡ୍ୟା-୫୨, ତିଳକ ବର୍ମା-୨୫, ଗେରାଡ୍‌ ଏରାସ୍‌ମସ୍‌-୪/୨୦)। ନାମିବ୍ୟା ୧୮.୨ ଓଭରରେ ୧୧୬/୧୦ (ଲୌରେନ୍‌ ଷ୍ଟିନ୍‌କେମ୍ପ୍‌-୨୯, ବରୁଣ ଚକ୍ରବର୍ତ୍ତୀ-୩/୭, ଅକ୍ଷର ପଟେଲ୍‌-୨/୨୦, ହାର୍ଦିକ ପାଣ୍ଡ୍ୟା-୨/୨୧, ଶିବମ ଦୁବେ-୧/୧୧, ଯଶପ୍ରୀତ୍‌ ବୁମ୍‌ରା-୧/୨୦, ଅର୍ଶଦୀପ ସିଂହ-୧/୩୬)