କନକ ବ୍ୟୁରୋ : ଧାନ ଅମଳ ସରିଲାଣି, ଚାଷୀଙ୍କ ଧାନ ଗ୍ରହଣ ପାଇଁ ମଣ୍ଡି ବି ଖୋଲିଲାଣି । ହେଲେ ଗଞ୍ଜାମରେ ମଣ୍ଡି ଯନ୍ତ୍ରଣାରେ ଅନ୍ତ ନଘଟିଲା ପରି ଲାଗୁଛି । ଅନେକ ମଣ୍ଡିରେ ସରକାରୀ ନିୟମର ଖୁଲମଖୁଲା ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ଆସିଛି । ଚାଷୀ କଟନୀଛଟନୀର ଶିକାର ହେଉଥିବା ବେଳେ ଚୁପ ବସିଛି ବିଭାଗ । ଗଞ୍ଜାମ ଧରାକୋଟ ବ୍ଳକ ଜାନିବିଲି ଆର୍ଏମ୍ସି ଗୋଦାମ ଗୃହରେ ହୋଇଥିବା ମଣ୍ଡିରେ ସରକାରୀ ନିୟମ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ଆସିଛି । ଏହି ମଣ୍ଡି ଉପରେ ହରିପୁର, ବରଡ଼ାବିଲି, ମୁଣ୍ଡମରାଇ, ଧରାକୋଟ, ଜଗମୋହନ ସେବା ସମବାୟ ସମିତି ଅଧୀନର ଚାଷୀ ନିର୍ଭର କରୁଛନ୍ତି । କିନ୍ତୁ ଏଠାରେ ବିନା ମାନ ଯାଞ୍ଚ ଓ ଓଜନରେ ସିଧାସଳଖ ମିଲର୍ଙ୍କ ପାଖକୁ ପଠାଯାଉଛି ଧାନ! ସେଠାରେ ପୁଣି ମିଲର୍ ଚାଷୀଙ୍କ ଠାରୁ କ୍ବିଣ୍ଟାଲ୍ ପିଛା ୫ କିଲୋ ଅଧିକ ଧାନ ନେଉଛନ୍ତି ! ପ୍ରତି ଅଖା ସୂତା ବାବଦକୁ ୬୫୦ ଗ୍ରାମ, ଓଜନ ପାଇଁ ଧାନ କାଟୁଥିବା ଅଭିଯୋଗ ଆସିଛି । ଏପଟେ ମଣ୍ଡିରୁ ମିଲ୍କୁ ନେବା ପାଇଁ ଚାଷୀ ନିଜେ ଗାଡ଼ି ଭଡ଼ା ବି ଦେଉଛି ।
ସେତିକିରେ ଦୁଃଖ ସରିନି, ଏବେ ସୁଦ୍ଧା ଅନେକ ଚାଷୀଙ୍କୁ ଟୋକନ୍ ମିଳିନି । କିଏ ଘରେ ଅମଳ ଧାନକୁ ଅଖା ଘୋଡ଼ାଇ ରଖିଛି ତ’ ଆଉ କିଏ ଖଳାରେ ଧାନ ରଖି ଜଗି ବସୁଛି । କିଛି ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ହାତକୁ ଟେକିଦେଉଛନ୍ତି ନିଜ ବର୍ଷକର ପରିଶ୍ରମ । ଅନେକ ସ୍ଥାନରେ ଚାଷୀଙ୍କୁ ସୂତା ଅଖା ବିଷୟରେ ଅବଗତ କରାଯାଇନଥିଲା । ଏବେ ସୂତା ଅଖାରେ ଧାନ ଦେବାକୁ କୁହାଯାଇଛି । ଫଳରେ ଚାଷୀକୁ ମଣ୍ଡିରେ ଧାନ ଦେବାକୁ ହେଲେ ୪ ଥର ଦୌଡ଼ିବାକୁ ପଡ଼ୁଛି । ଆଉ ଭଞ୍ଜନଗର ଉପଜିଲ୍ଲାପାଳ କହୁଛନ୍ତି, ମଣ୍ଡି ଠିକ୍ଠାକ ଚାଲିଛି । ସରକାରୀ ନିୟମ ଅନୁସାରେ, ଚାଷୀ ମଣ୍ଡିକୁ ଧାନ ଆଣିବା ପରେ ଧାନର ମାନ ଦେଖି ଧାନ ରଖିବା କଥା, କିନ୍ତୁ ନିୟମକୁ ଜଳାଞ୍ଜଳୀ ଦେଇ ଚାଲିଛି ଧାନ କିଣିବିକା । ଖାଲି ଧରାକୋଟ କାହିଁକି, ଗଞ୍ଜାମର ଅନେକ ସ୍ଥାନରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।
ଅଧିକ ପଢ଼ନ୍ତୁ---ସରକାରୀ ଟଙ୍କା ହଡ଼ପର ବିଧିବଦ୍ଧ ଯୋଜନା ! ଭଲ ବ୍ରିଜ ଉପରେ ଚାଲିଛି ରାସ୍ତା କାମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/09/farmer-2026-01-09-17-54-45.jpg)