କନକ ବ୍ୟୁରୋ: ହାତରେ ଆଉ ମାତ୍ର ଗୋଟିଏ ଦିନ । ଶନିବାର ଏତିକି ବେଳକୁ ଧୀରେ ଧୀରେ ଦିଲ୍ଲୀ ଉପରୁ ପରଦା ଉଠିଉଠି ଯାଉଥିବ । ଅର୍ଥାତ୍ କିଏ ବହୁମତ ପାଇବ ସେନେଇ ସ୍ପଷ୍ଟ ଚିତ୍ର ଦେଖାଯାଉଥିବ । ଅବଶ୍ୟ ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଏନେଇ ପ୍ରେସମିଟ୍ କରି କହିବେ । ହେଲେ ବି ଗୋଟିଏ ପ୍ରକାର ଚିତ୍ର ସ୍ପଷ୍ଟ ହୋଇଥିବ କି ଦିଲ୍ଲୀରେ ବାଜି ମାରିଲା କିଏ । ମୋଟ୍ ଉପରେ ୨୫ ବର୍ଷ ପରେ ଦିଲ୍ଲୀରେ ଦବଦବା ଜାହିର କରିବାକୁ ବିଜେପି ଯାଉଥିବା ନେଇ ଚର୍ଚ୍ଚା ଚାଲିଛି । ଯଦି ଦିଲ୍ଲୀରେ ଏଥର ବିଜେପି ସରକାର କରେ ତାହାଲେ ଏହି ୫ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ ।
୨୦୨୪ରେ ବିଜେପି ଜିତିଥିଲା ଲୋକସଭା ନିର୍ବାଚନ
୨୫ରେ ଦିଲ୍ଲୀ ଫୁଟିବ କି ପଦ୍ମ ?
୨୦୨୪ ନିର୍ବାଚନରେ ବିଜେପି ତଥା ଏନଡିଏକୁ ବହୁମତ ମିଳିଥିଲା । ଲଗାତାର ତୃତୀୟ ଥର ଲାଗି କ୍ଷମତାକୁ ଫେରିଥିଲା ବିଜେପି । ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଦେଶରେ ମୋଦିଙ୍କ ଲୋକପ୍ରିୟତା କେତେ ସେନେଇ କାହା ମନରେ ଦ୍ବନ୍ଦ୍ବ ବି ନାହିଁ । କିନ୍ତୁ ଦିଲ୍ଲୀରେ ବିଜେପିର ଲୋକପ୍ରିୟତା ଥିବା ପରେ ବି ବିଧାନସଭା ନିର୍ବାଚନରେ ସେମିତି ଆସନ ପାଇନଥିଲା । ହେଲେ ଲୋକସଭାରେ ଦଳ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ଦିଲ୍ଲୀ ଜଙ୍ଗ ଜିତିବାକୁ ରାତିଦିନ ଏକାକାର କରିଥିଲେ ବିଜେପି ନେତା । ଜୋରଦାର ପ୍ରଚାର କରିବା ସହିତ ନୂଆ ନୂଆ ଘୋଷଣା କରି ଆପ୍କୁ ଘେରିଥିଲେ । କଥା ହେଲା ମହାରାଷ୍ଟ୍ର , ହରିୟାଣାରେ ଦଳ ବିଜୟ ହେବା ପରେ ଯଦି ଦିଲ୍ଲୀରେ ବିଜେପି ସରକାର କରୁଛି ତାହାଲେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଚାଲିଛି ।
ବିଜେପି କ୍ରେଜ୍ ସାମ୍ନାରେ ଆପ୍ ଫିକା
ମୋଦୀଙ୍କ ନେତୃତ୍ବକୁ ଗ୍ରହଣ କରୁଛନ୍ତି ଲୋକେ
ପୂର୍ବରୁ ଲଗାତାର ଦୁଇଦୁଇ ଥର କେଜ୍ରିୱାଲ ଚ୍ୟାଲେଞ୍ଜ ଦେଇ ଦିଲ୍ଲୀରେ କ୍ଷମତା ଦଖଲ କରିଥିଲେ । ପୂର୍ବବର୍ଷ ହୋଇଥିବା ଲୋକସଭାରେ ବି ଆପ୍ ଓ କଂଗ୍ରେସ ଏକାଠି ହୋଇ ଲଢିବା ପରେ ବି ବିଜେପିରୁ ବେଶୀ ଆସନ ଛଡ଼ାଇ ଆଣିବାରେ ସଫଳ ହୋଇନଥିଲେ । ରେଜଲ୍ଟ ବାହାରିବା ପରେ ଦୁଇ ଦଳ ଜାଣିସାରିଥିଲେ କି ଦିଲ୍ଲୀରେ ନିର୍ବାଚନ ଜିତିବା ଏତେ ସହଜ ନୁହେଁ । ପରବର୍ତ୍ତୀ ସମୟରେ ଅର୍ଥାତ୍ ବିଧାନସଭା ନିର୍ବାଚନରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବା ପରେ ବି କ୍ଷମତା ଦଖଲ କରିବା ସ୍ବପ୍ନ ପୂରଣ ହେଉନଥିବା ସେମାନେ ପରୋକ୍ଷରେ ଜାଣିସାରିଛନ୍ତି ।
ପୁରୁଣା ଫର୍ମକୁ ଫେରିବେ ମୋଦୀ !
ମହାରାଷ୍ଟ୍ର, ପରେ ପରେ ହରିୟାଣାରେ ବିଜୟ ହୋଇଥିଲେ ମୋଦି । କିନ୍ତୁ ଝାଡ଼ଖଣ୍ଡରେ ହାରିବା ପରେ କୁହାଯାଉଥିଲା କି ମୋଦିଙ୍କ ଲୋକପ୍ରିୟକା କମୁଛି । କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଛି । କିନ୍ତୁ ଦିଲ୍ଲୀରେ ଯଦି ବିଜେପି ବିଜୟ ହୁଏ ତାହାଲେ ମୋଦିଙ୍କ ଲୋକପ୍ରିୟତା କମିନି ଏବଂ ତାଙ୍କର ପ୍ରତିଦ୍ବନ୍ଦ୍ବୀ କେହି ନାହାନ୍ତି ବୋଲି ବାର୍ତ୍ତା ଯିବ । ଏହାସହ ୨୦୨୯ରେ ବି ମୋଦିଙ୍କ ନେତୃତ୍ବରେ ହିଁ ବିଜେପି ଲଢେଇ କରିବ ଏବଂ ନିର୍ବାଚନ ଜିତିବ ବୋଲି କର୍ମୀ ଓ ନେତାଙ୍କୁ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି । ଏହାସହ ପାର୍ଟିର ସମସ୍ତ ନେତା ଚର୍ଚ୍ଚା କରିବେ କି ମୋଦିଙ୍କର ଅବସର ସମୟ ଏବେ ଆସିନି ବରଂ ତାଙ୍କ ନେତୃତ୍ବରେ ହିଁ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇବ ।
କଂଗ୍ରେସକୁ ଛାଡ଼ି ଏକ ହୋଇପାରନ୍ତି ଅନେକ ବିରୋଧୀ
୨୪ ନିର୍ବାଚନରେ ବିଜେପିର ସିଟ୍ କମିବା ଓ କଂଗ୍ରେସର ସିଟ୍ ବଢିବା ପରେ କଂଗ୍ରେସ ନେତୃତ୍ବ ବେଶ ଖୁସି ହୋଇଯାଇଥିଲେ । ଭାବିଥିଲେ କେବଳ କଂଗ୍ରେସ ଏକୁଟିଆ ମୋଦିଙ୍କୁ ଚେକ୍ ଦେଇପାରିବ । ଆତ୍ମଗର୍ବରେ କଂଗ୍ରେସ ନେତା ଏମିତି ବ୍ୟବହାର କଲା ଯେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ଜିତିଲା ହାତ ହାରିଲା । ଏବେ ସ୍ଥିତି ଏମିତି ହୋଇଛି ଯେ କଂଗ୍ରେସକୁ ବ୍ୟାକଫୁଟ୍ରେ ରଖି ଅନେକ ବିରୋଧୀ ଦଳ ଏକଜୁଟ ହୋଇପାରନ୍ତି । ଖାସ କରି ସପା, ଟିଏମସି, ଶିବସେନା ଓ ଆପ୍ ପରି ପ୍ରମୁଖ ଦଳ ଅଲଗା ହୋଇ ବିଜେପି ସହ ଫାଇଟ୍ କରିବା ଲାଗି ପ୍ରସ୍ତୁତି ହେଉଛନ୍ତି । ସେପଟେ ଦିଲ୍ଲୀରେ ଯଦି ବିଜେପି ଜିତୁଛି ତାହାଲେ ବିରୋଧୀ ଏହା ବି ଭାବିପାରନ୍ତି କି ଅଲଗା ଅଲଗା ହୋଇ ନିର୍ବାଚନ ଲଢିଲେ ବିଜେପିକୁ ହରାଇବା ଅସମ୍ଭବ । ତେଣୁ ଏକାଠି ହୋଇ ନିର୍ବାଚନ ଲଢିଲେ ହିଁ ଭଲ ବୋଲି ମେଣ୍ଟ ଭାବିପାରନ୍ତି ।
ଭାବମୂର୍ତ୍ତି କ୍ଷୟ ହେବ କଂଗ୍ରେସର
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲର ଆକଳନ ଅନୁସାରେ କଂଗ୍ରେସକୁ ଏଥର ମାତ୍ର ୮ ରୁ ୧୦ ପ୍ରତିଶତ ଭୋଟ୍ ମିଳିପାରେ । ଏମିତି ହେଲେ କଂଗ୍ରେସକୁ ଲୋକେ ଭରସା କରିପାରୁନଥିବା ବାର୍ତ୍ତା ବି ଯିବ । ଅବଶ୍ୟ ଆଗାମୀ ଦିନରେ ପଂଜାବ ଓ ଦିଲ୍ଲୀରେ କଂଗ୍ରେସ ମଜବୁତ ହୋଇପାରେ । ସେପଟେ, ମୁସଲିମ୍ ସମ୍ପ୍ରଦାୟ ଓ ଦଳୀତଙ୍କ କିଛି ଭୋଟ୍ କଂଗ୍ରେସ ଖାତାରେ ପଡ଼ିପାରେ । କିନ୍ତୁ ସେତିକି ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି ।
ୱାନ ନେସନ ୱାନ ଇଲେକ୍ସନକୁ ବାଟ ଫିଟିବ
ମୋଦି ସରକାର ଆସିବା ପରେ ୱାନ ନେସନ ୱାନ ଇଲେକ୍ସନ କରିବା ଲାଗି ଯୋଜନା ହେଲା । କିନ୍ତୁ କଂଗ୍ରେସ ସହ ଅନେକ ବିରୋଧୀ ଏହାକୁ ଜୋରଦାର ବିରୋଧ କରୁଥିଲେ । ତେଣୁ ଅନେକ ବିଲ୍ ଗୃହରେ ପାସ୍ ହୋଇପାରୁନଥିଲା । ବିଜେପି ବିଲକୁ ସଂସଦୀୟ କମିଟି ପାଖକୁ ପଠାଉଥିଲା । ହେଲେ ଏବେ ଅଧିକରୁ ଅଧିକ ସିଟ୍ ବିଜେପି ଖାତାକୁ ଯାଉଥିବାରୁ ଲୋକପ୍ରିୟତା ବଢୁଥିବା ସରକାର ଜାଣିଛନ୍ତି । ତେଣୁ ବକେୟା ବିଲ୍ ପାସ କରିବା ଲାଗି ଅଣ୍ଟା ଭିଡୁଛି ବିଜେପି । ଦିଲ୍ଲୀ ନିର୍ବାଚନ ପରେ ୱାନ ନେସନ ୱାନ ଇଲେକ୍ସନ ବିଲ୍କୁ ପାସ କରିବାକୁ ବିଜେପି ଚେଷ୍ଟା କରିବ ।
ପୁଣି ସକ୍ରିୟ ହେବ ସଂଘ
ପୂର୍ବ ଲୋକସଭା ନିର୍ବାଚନରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲା । କାରଣ ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରଏସସକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ହେଲେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଂଘ ପ୍ରଚାର କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ଖାସ କରି ମଧ୍ୟବିତ୍ତ ପରିବାରକୁ ନେଇ ସଂଘ କହୁଥିଲା ବିକାଶ କରିବାକୁ ହେଲେ ବିଜେପି ହିଁ ପୁଣି ଥରେ ସରକାରକୁ ଆସିବା ଦରକାର । ଆଉ ଆସନ୍ତାକାଲି ଦିଲ୍ଲୀର ରେଜଲ୍ଟ ବାହାରିବ । ହେଲେ ଦିଲ୍ଲୀରେ ବିଜେପିର ବିଜୟ ହେଲେ ଯେଉଁ ୫ ପରିବର୍ତ୍ତନ ହେବାକୁ ଯାଉଥିବା କୁହାଯାଉଛି ତାହାକୁ ନେଇ ଚର୍ଚ୍ଚା କିନ୍ତୁ ବଢିଛି ।