କନକ ବ୍ୟୁରୋ : କୁହନ୍ତି କଳାକାରର ମୃତ୍ୟୁ ନଥାଏ । ସେ ଦୁନିଆରେ ନଥିଲେ ବି  ଛାଡ଼ି ଯାଇଥିବା ସନ୍ତକ ଶ୍ରୋତାଙ୍କ ମନରେ ସାଇତା ହୋଇ ରହିଥାଏ । ନଭେମ୍ବର ୨୫ , ୧୯୯୦ ରେ ଟିଟିଲାଗଡ଼ରେ ରବିଚନ୍ଦ୍ର ସାଗର ଏବଂ ସେଫାଳୀ ସୁନାଙ୍କ ଘରେ ଜନ୍ମ ହୋଇଥିଲେ ଓଡ଼ିଶାର ଆଗଧାଡ଼ିର ଗାୟକ ସ୍ବରର ସାଗର ହ୍ୟୁମାନ ସାଗର । ସଂଗୀତ ପରିବାରରୁ ଆସିଥିବାରୁ ପିଲାବେଳୁ ହିଁ ତାଙ୍କୁ ଗୀତର ଭାରି ରୁଚି ଥିଲା । ରିୟାଲିଟି ଶୋ’ ‘ଭଏସ୍ ଅଫ୍ ଓଡ଼ିଶା ୨୦୧୨’ ସିଜନ୍ ଜିତି ସେ ଓଲିଉଡ୍ ସିନେମା ଇସ୍କ୍ ତୁ ହି ତୁ ରେ ପ୍ରଥମେ ପ୍ଲେ ବ୍ୟାକ୍ ସିଙ୍ଗର ହେବାର ସୁଯୋଗ ପାଇଥିଲେ । ଆଉ ତା’ ପରେ ଗଡ଼ିଥିଲା ହ୍ୟୁମାନଙ୍କ କ୍ୟାରିୟରର ଗାଡ଼ି । ଲଗାତାର ହିଟ୍ ପରେ ହିଟ୍ ଦେଇ ୧୫ ହଜାରରୁ ଅଧିକ ଗୀତ , ଆଲବମ୍ , ଷ୍ଟେଜ୍ ସୋ’ କରି ସେ ସାଉଁଟିଥିଲେ ଓଡ଼ିଶାବାସୀଙ୍କ ଅଜସ୍ର ପ୍ରେମ । ୨୦୧୭ ରେ ଶ୍ରେୟା ମିଶ୍ରଙ୍କ ସହ ହୋଇଥିଲା ବିବାହ । ଦୁହିଁଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । 

Advertisment

ଓଡ଼ିଆ ସିନେମା, ଆଲବମ୍‌, ଯାତ୍ରା, ମ୍ୟୁଜିକ୍‌ ଭିଡିଓ ଜଗତ ପାଇଁ ସତେ ଯେମିତି ଈଶ୍ୱରଙ୍କ ବରଦାନ ଥିଲେ ହ୍ୟୁମାନ ସାଗର । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ । ‘ପ୍ରେମ ହେଇଯାଏ’ରୁ ଆରମ୍ଭ କରି ଚାରିଧାମ ଫିଲ୍ମର ଶେଷ ଗୀତ କେର୍ କେରା ପର୍ଯ୍ୟନ୍ତ ତାଙ୍କ ସଙ୍ଗୀତ ଯାତ୍ରାରେ ସେ କେବେ ଚର୍ଚ୍ଚିତ ତ କେବେ ବିବାଦିତ ବି ହୋଇଥିଲେ । ଓଲିଉଡ୍ ଜଗତରେ ହ୍ୟୁମାନ ବୋଧହୁଏ ପ୍ରଥମ ଗାୟକ ହୋଇଥିବେ ଯେ ୨୦୧୫ରୁ ୨୦୨୫ ମାତ୍ର ୧୦ ବର୍ଷ ଭିତରେ ଏତେ ଲୋକପ୍ରିୟତା ହାସଲ କରିଥିଲେ । କହିବାକୁ ଗଲେ ଓଡ଼ିଶାର ପ୍ରତି ଘରେ ହ୍ୟୁମାନଙ୍କୁ ଲୋକେ ଜାଣୁଥିଲେ । ପ୍ରତିଟି ବାହାଘର,ବରଯାତ୍ରୀରେ ବାଜୁଥିଲା ହ୍ୟୁମାନଙ୍କ ଗୀତ ।

ଅଧିକ ପଢ଼ନ୍ତୁ--ବେକାରି ସମସ୍ୟାର ବିକଳ ଚିତ୍ର : ପରିବା ବିକୁଛନ୍ତି ବି-ଟେକ୍ ଇଞ୍ଜିନିୟର

ଓଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା - ସମ୍ ଥିଙ୍ଗ୍ ସମ୍ ଥିଙ୍ଗ୍-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ । ହେଲେ କିଡନି ଏବଂ ଲିଭର ଜନିତ ସମସ୍ୟା ତାଙ୍କଠାରୁ ଛଡ଼ାଇନେଲା ଆୟୁଷ । ମାତ୍ର ୩୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ହ୍ୟୁମାନ । ସୋସିଆଲ୍ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ହ୍ୟୁମାନଙ୍କ ସ୍ମୃତିରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ । ସେହି ନଭେମ୍ବର ମାସରେ ଦୁନିଆକୁ ଆସିଥିଲେ ଆଉ ନଭେମ୍ବର ମାସରେ ଦୁନିଆରୁ ଚାଲିଗଲେ ସ୍ବରର ଜାଦୁଗର ହ୍ୟୁମାନ ସାଗର । ୧୭ ନଭେମ୍ବର ୨୦୨୫ ରେ ନିରବି ଯାଇଥିଲା ତାଙ୍କ ସ୍ବର ।