କନକ ବ୍ୟୁରୋ : ସ୍ବରର ଯାଦୁଗର ହ୍ୟୁମାନ ସାଗର ଅଫେରା ରାଇଜକୁ ଯିବାର ୬ ଦିନ ବିତିଗଲାଣି ସତ କିନ୍ତୁ କନକ ନ୍ୟୁଜ୍ ରୁମରେ ଗାଇଥିବା ଏ ସୁମଧୁର ଗୀତର ଧାଡ଼ିକୁ ଯିଏ ବି ଶୁଣୁଛି, ଆଖିରେ ଲୁହ ଲହଡ଼ି ଭାଙ୍ଗୁଛି, ଛାତିର କୋହକୁ ଓଠରେ ଚାପି ଧରୁଛି ।

Advertisment

ଟିଟିଲାଗଡ଼ରେ ଜନ୍ମିତ ଜଣେ ଏମିତି ପ୍ରତିଭା ଯିଏ ଓଡ଼ିଆ ସିନେମା, ଆଲବମ୍‌, ଯାତ୍ରା, ମ୍ୟୁଜିକ୍‌ ଭିଡିଓ ଜଗତ ପାଇଁ ସତେ ଯେମିତି ଈଶ୍ୱରଙ୍କ ବରଦାନ ଥିଲେ । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ ସ୍ବରର ସାଗର ହ୍ୟୁମାନ ସାଗର । ୧୫ ହଜାରରୁ ଅଧିକ ଗୀତ ଗାଇ ଓଲିଉଡର ଆଗଧାଡ଼ିର ଗାୟକର ପାଇଥିଲେ ପରିଚୟ । ‘ପ୍ରେମ ହେଇଯାଏ’ରୁ ଆରମ୍ଭ କରି ଚାରିଧାମ ଫିଲ୍ମର ଶେଷ ଗୀତ କେର୍ କେରା ପର୍ଯ୍ୟନ୍ତ ତାଙ୍କ ସଙ୍ଗୀତ ଯାତ୍ରାରେ ସେ କେବେ ଚର୍ଚ୍ଚିତ ତ କେବେ ବିବାଦିତ ବି ହୋଇଥିଲେ । କିନ୍ତୁ ହ୍ୟୁମାନଙ୍କ ସଙ୍ଗୀତର ଯାଦୁ ଶ୍ରୋତାଙ୍କୁ ସବୁବେଳେ ବାନ୍ଧି ରଖିଥିଲା । ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ, ତାହା ଖୁବ୍ କମ୍ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ୨୦୧୨ରେ ଆୟୋଜିତ -ଭଏସ୍‌‌ ଅଫ୍‌‌ ଓଡ଼ିଶା ସିଜନ୍‌‌-୨ ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ । ୨ ବର୍ଷ ପରେ ଅର୍ଥାତ ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ । ଓଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା - ସମ୍ ଥିଙ୍ଗ୍ ସମ୍ ଥିଙ୍ଗ୍-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ । ହେଲେ କିଡନି ଏବଂ ଲିଭର ଜନିତ ସମସ୍ୟା ତାଙ୍କଠାରୁ ଛଡ଼ାଇନେଲା ଆୟୁଷ । ମାତ୍ର ୩୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ହ୍ୟୁମାନ । ସୋସିଆଲ୍ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ହ୍ୟୁମାନଙ୍କ ସ୍ମୃତିରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ । ଆଉ ଏହାରି ଭିତରେ ଇଣ୍ଟରନେଟରେ ଭାଇରାଲ୍ ହେଲା ଆଉ କିଛି ଭିଡିଓ । ଏହି ଭିଡିଓ ହ୍ୟୁମାନଙ୍କୁ ନେଇ ନୁହେଁ ବରଂ ତାଙ୍କ ସାନଭାଇ ନ୍ୟୁମାନଙ୍କୁ ନେଇ ହେଉଛି । 

ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ମ୍ୟାନେଜର ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଦାୟୀ କରୁଛନ୍ତି ମାଆ ଓ ମାଉସୀ

ହ୍ୟୁମାନଙ୍କ ସାନଭାଇ ନ୍ୟୁମାନ , ଦେଖିବାକୁ କୌଣସି ବଲିଉଡ୍ ଅଭିନେତାଙ୍କଠାରୁ କିଛି କମ୍ ନଥିଲେ । ୟୁଟ୍ୟୁବରେ ତାଙ୍କର କିଛି ମ୍ୟୁଜିକ୍ ଭିଡିଓ ମଧ୍ୟ ରହିଛି । ଜୀବିତ ଥିଲେ ବୋଧହୁଏ ବଡ଼ଭାଇଙ୍କ ପରି ଲୋକପ୍ରିୟ ତାରକା ହୋଇପାରିଥା’ନ୍ତେ କିନ୍ତୁ ବିଧାତାର ଖେଳ ଦେଖନ୍ତୁ ମାତ୍ର ୨୪ ବର୍ଷ ବୟସରେ ନ୍ୟୁମାନଙ୍କ ମଧ୍ୟ ଅକାଳ ବିୟୋଗ ଘଟିଥିଲା । ହ୍ୟୁମାନଙ୍କ ବିୟୋଗ ପରେ ପରେ ସୋସିଆଲ୍ ମିଡିଆ ଏବେ ନ୍ୟୁମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।