କନକ ବ୍ୟୁରୋ : ଦେବାଧିଦେବ ମହାଦେବଙ୍କୁ ପ୍ରତିଦିନ ପୂଜା କରାଯାଉଥିଲେ ହେଁ ମହାଶିବରାତ୍ରି ହେଉଛି ଶମ୍ଭୁନାଥଙ୍କ ସବୁଠାରୁ ପ୍ରିୟ ଦିନ । ଏହି ଦିନ ଭକ୍ତ ଶିବାଳୟରେ ବିଶେଷ ପୂଜା , ପ୍ରାର୍ଥନା , ଉପବାସ ଏବଂ ରାତ୍ରି ଉଜାଗର ରହି ଜାଗର ଦୀପ ଜାଳନ୍ତି । ବିଶ୍ୱାସ କରାଯାଏ ଯେ ମହାଶିବରାତ୍ରିରେ ସ୍ବଚ୍ଛ ହୃଦୟରେ ଶିବଙ୍କ ପୂଜା କରିବା ଦ୍ବାରା କେବଳ ସୁଖ, ସମୃଦ୍ଧି ପ୍ରାପ୍ତ ହୁଏ ନାହିଁ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମଧ୍ୟ ମୁକ୍ତି ମିଳେ । ଯଦି କୌଣସି କାରଣରୁ ଭକ୍ତ ଶିବାଳୟ ଯାଇ ନପାରିବେ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଭକ୍ତି ଯେଉଁଠି ଭଗବାନ ସେଇଠି । ଭକ୍ତ ଘରେ ବସି ସାଧାରଣ ରୀତିନୀତିକୁ ଆପଣାଇ ମହାଦେବଙ୍କ ଆରାଧନା କରିପାରିବେ । ଭଗବାନ ଶଙ୍କର ତ ଭୋଳା, ଗୋଟିଏ କଳସ ଜଳ ଏବଂ ବେଲପତ୍ରରେ ପ୍ରସନ୍ନ ହେଉଥିବା ଠାକୁର । ଯାହାଙ୍କ ଆରାଧନାରେ ଲୋଡ଼ା ପଡ଼େ ଭାବ , ମନ୍ତ୍ର ଜାଣିନଥିଲେ ବି ଭାବର ଡୋରିରେ ବନ୍ଧା ଭୋଳାନାଥଙ୍କୁ ଭକ୍ତିରେ ଡାକିଲେ ସେ ଭକ୍ତଙ୍କ ଡାକ ଶୁଣନ୍ତି ଏବଂ ମନସ୍କାମନା ପୂରଣ ମଧ୍ୟ କରନ୍ତି ।  

Advertisment

ଆଗକୁ ପଢ଼ନ୍ତୁ : ଜାଗରରେ ଅବିବାହିତ କରନ୍ତୁ ଏଭଳି ପୂଜା : ପ୍ରସନ୍ନ ହୋଇଯିବେ ହରପାର୍ବତୀ , ମିଳିଯିବେ ମନଲାଖି ଜୀବନସାଥୀ

ଯଦି ଆପଣ ମହାଦେବଙ୍କ ପୂଜା ଘରେ କରିବାକୁ ଚାହୁଛନ୍ତି ତେବେ ଅନେକ ଜିନିଷର ଆବଶ୍ୟକତା ନାହିଁ । କିଛି ସାମଗ୍ରୀ ଅଛି ଯାହାକୁ ଭଗବାନ ଶିବଙ୍କ ପୂଜାରେ ସାମିଲ କରିବା ଆବଶ୍ୟକ । ଅଭିଷେକ ପାଇଁ ଶୁଦ୍ଧ ଜଳ, କଞ୍ଚା କ୍ଷୀର, ଗଙ୍ଗା ଜଳର ଆବଶ୍ୟକତା ଥିବା ବେଳେ ପୂଜା ସାମଗ୍ରୀରେ ବେଲପତ୍ର,ଦୁଦୁରା,ଗୋଟା ଚାଉଳ, ଧଳା ଫୁଲ ଏବଂ ଚନ୍ଦନର ଆବଶ୍ୟକତା ପଡ଼େ । ପ୍ରସାଦରେ ମିଠା, ଫଳ ଏବଂ ପଞ୍ଚାମୃତ ରଖିବେ ଘିଅ କିମ୍ବା ତେଲର ଦୀପ ଏବଂ ଧୂପକାଠି ରଖିବେ । ମହାଶିବରାତ୍ରି ଦିନ ବଡ଼ି ଭୋରରୁ ସ୍ନାନ ସାରି ସଫା ପୋଷାକ ପରିଧାନ କରନ୍ତୁ । ଏହି ଦିନ ଧଳା କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ । ଘରର ମନ୍ଦିର ସଫା କରନ୍ତୁ ଏବଂ ଗଙ୍ଗା ଜଳ ସିଞ୍ଚନ୍ତୁ । ଏହା ପରେ ହାତରେ କିଛି ଜଳ ନେଇ ମହାଦେବଙ୍କୁ ଧ୍ୟାନ କରନ୍ତୁ ଏବଂ ଉପବାସ କିମ୍ବା ପୂଜା କରିବାକୁ ସଂକଳ୍ପ ନିଅନ୍ତୁ । ଘରେ ବିରାଜମାନ ଥିବା ଶିବଲିଙ୍ଗକୁ ଏକ ତମ୍ବା କିମ୍ବା ପିତ୍ତଳ ପାତ୍ରରେ ରଖନ୍ତୁ । ପ୍ରଥମେ ଶିବଲିଙ୍ଗଙ୍କୁ ଶୁଦ୍ଧ ଜଳ କିମ୍ବା ଗଙ୍ଗାଜଳ ଅର୍ପଣ କରନ୍ତୁ । ତା’ପରେ କ୍ଷୀର, ଦହି,ଘିଅ,ମହୁ ଏବଂ ଗୁଡ଼ ସହିତ ଶିବଲିଙ୍ଗଙ୍କ ଅଭିଷେକ କରନ୍ତୁ । ଶିବଲିଙ୍ଗଙ୍କୁ ପୁଣିଥରେ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ ଏବଂ ଏକ ସଫା କପଡ଼ାରେ ପୋଛି ଦିଅନ୍ତୁ । 

ଶିବଲିଙ୍ଗ ଉପରେ ଧଳା ଚନ୍ଦନ କିମ୍ବା ପାଉଁଶରେ ତ୍ରିପୁଣ୍ଡ ଶୃଙ୍ଗାର କରନ୍ତୁ । ଏହା ପରେ ପ୍ରଭୁଙ୍କୁ ଚାଉଳ ଅର୍ପଣ କରନ୍ତୁ । ଚାଉଳ ଅର୍ପଣ ବେଳେ ଭଲଭାବରେ ଦେଖନ୍ତୁ ଯେ ଚାଉଳ ଯେମିତି ଭାଙ୍ଗି ନ ଯାଏ । ତା’ପରେ "ଓମ୍ ନମଃ ଶିବାୟ" ଜପ କରି ୩ କିମ୍ବା ୧୧ ଟି ବେଲ ପତ୍ର ଶିବଙ୍କୁ ଅର୍ପଣ କରନ୍ତୁ । ବେଲପତ୍ରର ମସୃଣ ପାର୍ଶ୍ୱ ଶିବଲିଙ୍ଗ ଆଡ଼କୁ ମୁହଁ କରିବା ଉଚିତ । ଏହା ପରେ ମହାଦେବଙ୍କୁ ଦୁଦୁରା କିମ୍ବା ଅନ୍ୟ କୌଣସି ଧଳା ଫୁଲ ଅର୍ପଣ କରନ୍ତୁ । ତା’ପରେ ମହାଦେବଙ୍କ ସମ୍ମୁଖରେ ଦୀପ ଏବଂ ଧୂପକାଠି ଜଳାଇ ଫଳ କିମ୍ବା ମିଠା ଅର୍ପଣ କରନ୍ତୁ । ଶାନ୍ତ ମନରେ ବସି "ଓଁ ନମଃ ଶିବାୟ" ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଶେଷରେ ଭଗବାନ ଶିବଙ୍କ ନିକଟରେ ଆଳତୀ କରନ୍ତୁ ଏବଂ ଯେକୌଣସି ଭୁଲ ପାଇଁ କ୍ଷମା ମାଗନ୍ତୁ ।