କନକ ବ୍ୟୁରୋ : ପବିତ୍ର ମହାଶିବରାତ୍ରିରେ ଚଳଚଞ୍ଚଳ ହୋଇଉଠେ ଶୈବପୀଠ ଏବଂ ୧୨ ଜ୍ୟୋର୍ତିଲିଙ୍ଗ । ଉପବାସରେ ରହି ନିଷ୍ଠାର ସହ ଏହି ଦିନ ଜାଗର ଜାଳିଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ଯେଉଁଥିପାଇଁ ଶୈବପୀଠରେ ସାରାରାତି ଉଜାଗର ରହି ଦୀପ ଜାଳନ୍ତି ଭୋଳାଭକ୍ତ । ମହାଶିବରାତ୍ରିରେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କେତକୀ ଫୁଲ ଲାଗି କରାଯାଏ । ତେବେ ଅନ୍ୟ କେଉଁ ଦିନରେ ଏହି ଫୁଲ ପୂଜା ପାଉନଥିବା ବେଳେ କେବଳ ଶିବରାତ୍ରୀରେ ହିଁ କାହିଁକି ପୂଜା ପାଏ ଏହାର ମଧ୍ୟ ଏକ କିମ୍ବଦନ୍ତୀ ରହିଛି । ତେବେ ଆସନ୍ତୁ ଜାଣିବା କେତକୀ ଫୁଲର ରୋଚକ କାହାଣୀ । 

Advertisment

ଆଗକୁ ପଢ଼ନ୍ତୁ : ମହାଶିବରାତ୍ରିରେ ପଡୁଛି ଦୁର୍ଲଭ ଯୋଗ : ୩ ରାଶି ଉପରେ ବର୍ଷିବ ଶିବଙ୍କ କୃପା ; କିଏ କିଏ ଏହି ୩ ରାଶି , ଦେଖନ୍ତୁ?

କିମ୍ବଦନ୍ତୀ ଅନୁସାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଓ ମାତା ସୀତା ବନବାସରେ ଥିବାବେଳେ ମହାରାଜା ଦଶରଥଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ ଦଶରଥଙ୍କୁ ପିଣ୍ଡ ଦେବାପାଇଁ ରାମ ବନକୁ ଫୁଲ ଓ ଫଳ ଆଣିବାକୁ ଯାଇଥିଲେ । ରାମ ଫେରିବାକୁ ବିଳମ୍ବ ହେବାରୁ ନିର୍ଦ୍ଧାରିତ ସମୟ ଶେଷ ହୋଇଯିବା ନେଇ ବ୍ରାହ୍ମଣ ସୀତାଙ୍କୁ କହିଥିଲେ । ଏହି ସମୟରେ ମାତା ସୀତା ନିରୁପାୟ ହୋଇ ନଦୀକୂଳରେ ଥିବା ବାଲିରେ ପିତା ଦଶରଥଙ୍କ ପିଣ୍ଡଦାନ କରିଥିଲେ ଏବଂ ଶ୍ବଶୁର ମଧ୍ୟ ଏହାକୁ ଗ୍ରହଣ କରିଥିଲେ । ଏହି ସମୟରେ ରଘୁବୀର ଆସି ପହଞ୍ଚି ଦେଖନ୍ତି ତ ପିଣ୍ଡ ଦାନ ଶେଷ ହୋଇସାରିଛି । ଜାନକୀଙ୍କୁ ପଚାରିବାରୁ ବାଲିରେ ଗୁଳା କରି ପିଣ୍ଡ ଦେଇଥିବା କଥା ସେ ସ୍ବାମୀଙ୍କୁ କହିଥିଲେ । କିନ୍ତୁ କୌଶଲ୍ୟା ସୁତ ଏହାକୁ ବିଶ୍ବାସ କରିନଥିଲେ । ତେଣୁ ପାଖରେ ଥିବା ଏକ କେତକୀ ଫୁଲକୁ ସାକ୍ଷୀ ରଖିଥିଲେ ଭୂମିଜା ଏବଂ ଶ୍ରୀରାମଙ୍କ ଆଗରେ ସତ କହିବାକୁ ଅନୁରୋଧ କରିଥିଲେ । ମାତ୍ର କେତକୀ ମିଥ୍ୟା କହିଥିଲେ । ଏହା ଶୁଣି ମାତା ସୀତା ମର୍ମାହତ ହୋଇ କେତକୀକୁ ଅଭିଶାପ ଦେଇଥିଲେ ଯେ ସେ କୌଣସି ଦେବଦେବୀଙ୍କ ପାଖରେ ଲାଗି ହେବନାହିଁ । ଏହା ଶୁଣି ପ୍ରଭୁ ହସିବା ସହ କହିଲେ ଯେ ସୀତା ଦେଇଥିବା ପିଣ୍ଡକୁ ପିତା ଦଶରଥ ଗ୍ରହଣ କରିଥିବା ସେ ଜାଣିଛନ୍ତି ଓ ସେ କେବଳ ସୀତାଙ୍କୁ ପରୀକ୍ଷା କରୁଥିଲେ । ଏହାପରେ ଅଭିଶାପରୁ ମୁକ୍ତ କରିବା ପାଇଁ ଜନକ ସୁତାଙ୍କୁ ଅନୁରୋଧ କରିଥିଲା ଫୁଲ । 


ଶିବ ପୁରାଣ ଅନୁସାରେ କେତକୀ ଫୁଲକୁ ନେଇ ଅନ୍ୟ ଏକ କିମ୍ବଦନ୍ତୀ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ କିଏ ବଡ଼ ଏହାକୁ ନେଇ ବିବାଦ ସୃଷ୍ଟି ହେଲା । ବିବାଦ ମଧ୍ୟରେ ଶୂନ୍ୟ ବ୍ରହ୍ମ ଏକ କଳା ପଥରରେ ଆବିର୍ଭାବ ହେଲେ ଏବଂ ଦୁହିଁଙ୍କୁ ଉକ୍ତ ପଥରର ଆଦି ଏବଂ ଅନ୍ତ କେଉଁଠି ଯିଏ ଖୋଜିପାଇବ ସେ ବଡ଼ ବୋଲି ଘୋଷଣା କଲେ । ବିଷ୍ଣୁ ବରାହ ଅବତାର ନେଇ ପଥରର ଅନ୍ତ ଖୋଜିବାକୁ ତଳକୁ ଚାଲିଗଲେ ଏବଂ ବ୍ରହ୍ମଦେବ ଆଦି ଖୋଜିବାକୁ ଉପରକୁ । କଳ୍ପ ପରେ କଳ୍ପ ବିତିଗଲା କିନ୍ତୁ ଆଦି,ଅନ୍ତର ସନ୍ଧାନ ମିଳିଲାନି । ନାରାୟଣ ଜାଣିଗଲେ ଯେ ଶୂନ୍ୟବ୍ରହ୍ମଙ୍କଠୁ ବଡ଼ ଆଉ କିଏ ନାହିଁ କିନ୍ତୁ ବ୍ରହ୍ମଦେବଙ୍କୁ ଜ୍ଞାନର ଅହଙ୍କାର ଏତେ ଥିଲା ଯେ ସେ କେତକୀ ଫୁଲକୁ ସାକ୍ଷୀ ରଖି ଆଦି ଖୋଜିଛି ବୋଲି ଶୂନ୍ୟବ୍ରହ୍ମ ଏବଂ ବିଷ୍ଣୁଙ୍କୁ ଜଣାଇଲେ । କେତକୀ ମଧ୍ୟ ବ୍ରହ୍ମଦେବଙ୍କ ମିଥ୍ୟାରେ ଭାଗିଦାର ହେଲେ । ଶୂନ୍ୟବ୍ରହ୍ମ ପଥରରୁ ମହାଦେବଙ୍କ ରୂପରେ ଆବିର୍ଭାବ ହୋଇ ବ୍ରହ୍ମଦେବଙ୍କୁ ପୂଜା ନ ପାଇବାର ଏବଂ ପୂଜାରେ କେତକୀ ଫୁଲକୁ ବର୍ଜନ କଲେ । ଭୁଲ୍ ବୁଝିପାରି କେତକୀ ଭୋଳାବାବାଙ୍କୁ ନେହୁରା ହେଲା , ସେ ତ ଭୋଳା କେତକୀର ଅଶ୍ରୁ ଦେଖିନପାରି କେବଳ ମହାଶିବରାତ୍ରିରେ ପୂଜା ପାଇବାର ଆଶୀର୍ବାଦ ଦେଲେ । କେବେ ଠାକୁରଙ୍କ ମସ୍ତକରେ ଲାଗି ହେଉନଥିବା କେତକୀ କେବଳ ଗୋଟିଏ ଦିନ ଅର୍ଥାତ ମହାଶିବରାତ୍ରୀରେ ହିଁ ପୂଜାରେ ସାମିଲ ହେଲା ।