କନକ ବ୍ୟୁରୋ : ବର୍ଷ ଶେଷରେ ବଡ଼ ବିବାଦ ମୁଣ୍ଡେଇଲା ଶ୍ରୀମନ୍ଦିର ପ୍ରଶାସନ । କ୍ୟାଲେଣ୍ଡର୍ ବିଭ୍ରାଟକୁ ନେଇ ବିବାଦ ତେଜିବା ପରେ ବନ୍ଦ ରଖିଲା କ୍ୟାଲେଣ୍ଡର ବିକ୍ରି । ନୂଆବର୍ଷ ପାଇଁ ଛପାଯାଇଥିବା ଉଭୟ ଟେବୁଲ୍ ଓ କାନ୍ଥଟଙ୍ଗା କ୍ୟାଲେଣ୍ଡରରେ ତିନି ଦିଅଁଙ୍କ ଅବସ୍ଥାନ କ୍ରମରେ ବ୍ୟତିକ୍ରମ ଏବଂ ସୁଦର୍ଶନଙ୍କ ଚିତ୍ର ନରହିବା ଆଦିକୁ ନେଇ ଦେଖାଦେଇଛି ବିବାଦ । ତୁରନ୍ତ ଏହାର ସଂଶୋଧନ ଓ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । 

Advertisment

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ୨୦୨୬ କ୍ୟାଲେଣ୍ଡରରେ  ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର । ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥ । ନାହାଁନ୍ତି ଚକ୍ରରାଜ ସୁଦର୍ଶନ । ଅନ୍ୟଏକ ଚିତ୍ରରେ ଠିକ୍ ନାହିଁ ରଥର କ୍ରମ । ଦର୍ପଦଳନ ଓ ତାଳଧ୍ୱଜ ମଝିରେ ରହିଛି ନନ୍ଦିଘୋଷ । ଏଭଳି ବିଭ୍ରାଟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ସେବାୟତ ଓ ଶ୍ରଦ୍ଧାଳୁ । ଏହା ଜଗନ୍ନାଥ ସଂସ୍କୃତିର ଅବମାନନା ଏବଂ ଭୁଲ୍ ଧାରଣା ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ମତ ପ୍ରକାଶ ପାଇଛି । ତେଣୁ ଏହାର ତୁରନ୍ତ ସଂଶୋଧନ ଏବଂ ବଣ୍ଟନ ଓ ବିକ୍ରି ହୋଇଥିବା ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର ଗୁଡ଼ିକର ଅପସାରଣ ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ---‘ଓଡ଼ିଆରେ ହେଉ କୋର୍ଟ କାର୍ଯ୍ୟ’ ;ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଆହ୍ବାନ ପରେ ବଢ଼ିଲା ଦାବି

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ହେଉ, ଅବା ଶ୍ରୀମନ୍ଦିରକୁ ନେଇ ୟୁଟ୍ୟୁବର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ବୟାନ । ଜଗନ୍ନାଥ ସଂସ୍କୃତି ଓ ପରଂପରାର ଉଲ୍ଲଂଘନ ଓ ଭ୍ରମାତ୍ମକ ପ୍ରଚାରକୁ ନେଇ ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ । କଥା ହେଉଛି, ଅନ୍ୟ କେହି ଭୁଲ୍ କଲେ ଯିଏ ତାକୁ ସୁଧାରିବା କଥା, ସିଏ ନିଜେ ଏତେ ବଡ଼ ଭୁଲ୍ କଲା କିପରି? ଏଭଳି କ୍ୟାଲେଣ୍ଡର ତିଆରି ପାଇଁ କିଏ ଦାୟିତ୍ୱ ନେଇଥିଲେ ? କିଏ ଚିତ୍ର ଚୟନ କରିଥିଲେ? କିଏ ଅନୁମୋଦନ ଦେଇଥିଲେ ? ଛପା ହେବା ପରେ ବି କାହା ନଜରରେ ପଡ଼ିଲାନି କେମିତି ? ବିବାଦ ତେଜିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ବିକ୍ରି ବନ୍ଦ ରଖାଯାଇଛି । ଏଥିସହ ସଫେଇ ରଖାଯାଇଛି ଯେ, ଏହି ପ୍ରାଚୀନ ତାଳପତ୍ର ଖୋଦେଇ ଚିତ୍ର ରାଜ୍ୟ ସଂଗ୍ରାହଳୟରୁ ସଂଗୃହିତ ହୋଇଛି । ଏହା ସେତେବେଳର ଚିତ୍ରକରଙ୍କ ଭାବନାକୁ ପରିପ୍ରକାଶ କରୁଛି ।