କନକ ବ୍ୟୁରୋ :  ବର୍ଷ ବର୍ଷ ଧରି ଇଂରାଜୀ ଭାଷାରେ ଚାଲି ଆସୁଛି କୋର୍ଟ କାର୍ଯ୍ୟ। ଆଇନଜୀବୀ ଇଂରାଜୀ ଭାଷାରେ ପକ୍ଷ ରଖନ୍ତି । ବିଚାରପତି ଇଂରାଜୀରେ ରାୟ ଶୁଣାନ୍ତି । ସେହି ଅନୁସାରେ ଇଂରାଜୀରେ କୋର୍ଟଙ୍କ ଅର୍ଡର ବାହାରୁଛି । ଯାହାକି ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଆରେ କୋର୍ଟ କାର୍ଯ୍ୟ କରିବାକୁ ଉଠିଛି ଦାବି । ଅନେକ ସମୟରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ କୋର୍ଟକୁ ଦଉଡୁଛନ୍ତି ଲକ୍ଷ ଲକ୍ଷ ଲୋକ । ନ୍ୟାୟିକ ବ୍ୟବସ୍ଥାର ଜଟିଳ ପ୍ରକ୍ରିୟା ଭିତରେ ପେଶି ହେଉଛନ୍ତି । ଇଂରାଜୀରେ କୋର୍ଟ କାର୍ଯ୍ୟ ପରିଚାଳନା ଯୋଗୁଁ କିଛି ବୁଝିପାରୁନାହାନ୍ତି । ତେଣୁ କୋର୍ଟ କାର୍ଯ୍ୟ ମାତୃଭାଷାରେ କରିବାକୁ ଦାବି ଉଠିଛି ।

Advertisment

ସମ୍ବଲପୁରରେ ଆୟୋଜିତ ନିଖିଳ ଓଡ଼ିଶା ଆଇନଜୀବୀ ବାର୍ଷିକ ସମ୍ମିଳନୀରେ ସାମିଲ ହୋଇ ଏଥିପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଆମକୁ ପାଶ୍ଚାତ୍ୟ ଚିନ୍ତାଧାରାରୁ ବାହାରି ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ଆପଣାଇବାକୁ ପଡ଼ିବ । ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟକାରୀ ଭାଷା ଓଡ଼ିଆ(ମାତୃଭାଷା) ହେବା ଆବଶ୍ୟକ । ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ଉଚିତ ନ୍ୟାୟ ପାଇପାରିବେ ।

ଅଧିକ ପଢ଼ନ୍ତୁ---ଜୋର ଧରିଲା ରାଜନୈତିକ ଚର୍ଚ୍ଚା, ଗୋଟିଏ ହୋଡିଂରେ ମୋକିମ୍ ଓ ସୋଫିଆ

ଓଡ଼ିଶାର ବିଭିନ୍ନ କୋର୍ଟରେ ପ୍ରାୟ ୨୦ଲକ୍ଷରୁ ଅଧିକ ମାମଲା ଗଡ଼ୁଛି । ଜିଲ୍ଲାସ୍ତରୀୟ କୋର୍ଟରେ ୧୯ଲକ୍ଷରୁ ଅଧିକ ମାମଲା ରହିଛି । ହାଇକୋର୍ଟରେ ୧ଲକ୍ଷ ୪୦ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି । ଏଥିରୁ ଅଧିକାଂଶ ମାମଲା ବର୍ଷ ବର୍ଷ ଧରି ଗଡ଼ୁଛି। ଲୋକେ କେର୍ଟକୁ ଦଉଡୁଛନ୍ତି । ହେଲେ ନା ଆଇନର ପାଠକୁ ବୁଝି ପାରୁଛନ୍ତି ନା ମୁକୁଳି ପାରୁନାହାନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଆହ୍ବାନ ପରେ ସ୍ବର ମିଳାଇଛନ୍ତି ଆଇନଜୀବୀ । ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର, ଧର୍ମେନ୍ଦ୍ରଙ୍କ କଥାକୁ ସମର୍ଥନ କରିଥିଲେ ବି ତାଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିହାରରେ ହିନ୍ଦୀ ଭାଷାରେ କୋର୍ଟ କାର୍ଯ୍ୟ ପରିଚାଳନା ପାଇଁ ଅନୁମତି ରହିଛି । ଏହି ସବୁ ରାଜ୍ୟର କୋର୍ଟରେ ଇଂରାଜୀ ସହ ହିନ୍ଦୀ ଭାଷା ବ୍ୟବହାର କରାଯାଉଛି ।