କନକ ବ୍ୟୁରୋ: ଯେତେବେଳେ ସମୁଦ୍ରର ପାଣି ଗରମ ହୁଏ ଏବଂ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ ସେତେବେଳେ ହିଁ ସମୁଦ୍ର ଭିତରେ ସୃଷ୍ଟି ହୁଏ ବାତ୍ୟା । ଯାହା ଲୋକଙ୍କ ମନରେ ଛନକା ସୃଷ୍ଟି କରେ, ଟିଭିରେ ହେଡ୍‌ଲାଇନ୍ ହୁଏ, ଆଉ ସ୍ଥଳଭାଗ ଛୁଇଁଲେ ଉପକୂଳ ଅଞ୍ଚଳକୁ ଖିନଭିନ କରିଦିଏ ।  କେବେ ଭାବିଛନ୍ତି ସମୁଦ୍ରରେ ବାତ୍ୟା କେଉଁଠୁ ଆସେ ?  କେମିତି ଏହା ସୃଷ୍ଟି ହୁଏ ?  ଆଉ ବାତ୍ୟା ସୃଷ୍ଟି ହେବା ପଛର ବିଜ୍ଞାନ କଣ ? 

Advertisment


ବୈଜ୍ଞାନିକଙ୍କ ମୁତାବକ ଯେତେବେଳେ ସମୁଦ୍ରର ପାଣି ଗରମ ହୁଏ ଏବଂ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ ସେତେବେଳେ ହିଁ ସମୁଦ୍ର ଭିତରେ ସୃଷ୍ଟି ହୁଏ ବାତ୍ୟା ସେତେବେଳେ ଏହା ବାତ୍ୟାର କାରଣ ସାଜେ । ସମୁଦ୍ରରେ ପବନ ଗରମ ହେବାପରେ ଏକ ନିମ୍ନ ଚାପ ସୃଷ୍ଟି କରେ । ଏହାପରେ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ, ଯାହା ଫଳରେ ସେଠାରେ ବାଦଲ ସୃଷ୍ଟି ହୁଏ ଏବଂ ଗରମ ପବନର ସ୍ଥାନ ପୂରଣ କରିବାକୁ ଥଣ୍ଡା ପବନ ତଳକୁ ଆସେ । ଯେତେବେଳେ ଏହି ଚକ୍ର ଦ୍ରୁତ ଗତିରେ ଚାଲେ, ବିଜୁଳି ଚମକେ ଏବଂ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଏ ବର୍ଷା ।  


ଶୀତଳ ବାୟୁ ଓ ଗରମ ପବନ ପରସ୍ପର ସ୍ଥାନ ନେଇ ସୃଷ୍ଟି ହୋଇଥିବା ଚକ୍ର ଏତେ ଦ୍ରୁତ ଗତିରେ ଚାଲେ ଯେ ଏକ ଗୋଲାକାର ରୂପ ନେଇଯାଏ, ଯାହାର କେନ୍ଦ୍ରରେ ଏକ ନିମ୍ନ ଚାପ କ୍ଷେତ୍ର ରହିଥାଏ । ସମୁଦ୍ର ଜଳ ବାଷ୍ପୀକରଣ ପରେ ସୃଷ୍ଟି ହୁଏ ନିମ୍ନ ଚାପ । ଫଳରେ ଆଖପାଖର ଶୀତଳ ବାୟୁ ବିପରୀତ ଦିଗରୁ ଏହି ସ୍ଥାନକୁ ଗତି କରନ୍ତି । ସେହି ବାୟୁ ମଧ୍ୟ ବାଷ୍ପ ହୋଇ ଉପରକୁ ଉଠିବା ସହ ମେଘ ତିଆରି କରିଥାଏ । ଏହି ପ୍ରକ୍ରିୟା ଚାଲୁ ରହେ ଯାହା ନିଏ ବାତ୍ୟାର ରୂପ । 

ବାତ୍ୟା ଖବର ଭିତରେ ଅନେକ ଥର ଏହାର ଆଖି ବିଷୟରେ ଚର୍ଚ୍ଚା ଶୁଣିଥିବେ କିମ୍ବା ପଢିଥିବେ  । ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ସ୍ଥାନ ବା ଏହାର ମଧ୍ୟସ୍ଥଳକୁ ‘ଆଖି’ ବୋଲି କୁହାଯାଏ । ଏହି ସ୍ଥାନଟି କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍‌ ଶାନ୍ତ ରହିଥାଏ । ଏହି ‘ଆଖି’ର ପରିଧି ବା ଆକାର ୩୦ରୁ ୬୫ କିଲୋମିଟର ବ୍ୟାସାର୍ଦ୍ଧର ହୋଇଥାଏ । ଏହାର ଚାରିପଟେ ରହିଥାଏ ଏକ ବଳୟ । ଏହି ବଳୟ ହିଁ ଭୟଙ୍କର ଝଡ଼ ବାତ୍ୟାକୁ ଧରି ରଖିଥାଏ । ବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତି କରେ । ଏହା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାକୁ କୁହାଯାଏ ‘ଲ୍ୟାଣ୍ଡଫଲ୍‌’ । ପ୍ରାୟତଃ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ଚତୁର୍ଥ ଦିନରେ ହିଁ ଏହାର ଲ୍ୟାଣ୍ଡଫଲ୍‌ ହୋଇଥାଏ ।  

ବାତ୍ୟା ଲ୍ୟାଣ୍ଡଫଲ୍‌ ବା ସ୍ଥଳଭାଗ ଛୁଇଁବା ପରେ ଏହାର ଗତି କମିଯାଏ । କାରଣ ଯେଉଁ ସମୁଦ୍ର ଜଳ ଧାରଣ କରି ଏହା ଗତି କରେ ଲ୍ୟାଣ୍ଡଫଲ୍‌ ପରେ ଆଉ ତାର ଶକ୍ତି ସେତେଟା ରହେ ନାହିଁ । ତଥାପି ଏହା ସ୍ଥଳଭାଗରେ ବ୍ୟାପକ କ୍ଷତି ଘଟାଇବାରେ ସମର୍ଥ । ଏହାର ପ୍ରଭାବରେ ହୋଇଥାଏ ପ୍ରବଳ ବର୍ଷା, ପବନ ଓ ଝଡ଼ବାତ୍ୟା । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟାରେ ସମୁଦ୍ରର ଉତ୍ତପ୍ତ ବାୟୁ ଏବଂ ଆର୍ଦ୍ରତା କମିଯାଏ । ଯାହାଫଳରେ ଏହାର ଗତି ହ୍ରାସ ପାଏ । ଭୌଗୋଳିକ ଅବସ୍ଥିତି ଯୋଗୁଁ ପୂରା ଓଡ଼ିଶା କିନ୍ତୁ ବାତ୍ୟା ଜୋନ୍‌ରେ ଆସୁଛି । ଏବେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ମୋନ୍ଥା । ତିନି ଦିନ ପାଇଁ ଦକ୍ଷିଣ ଓଡ଼ିଶାକୁ ଜାରି କରାଯାଇଛି ରେଡ୍‌ ୱାର୍ଣ୍ଣିଂ । ବାତ୍ୟା ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ସରକାର ଓ ପ୍ରଶାସନ ।