କନକ ବ୍ୟୁରୋ: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବାତ୍ୟା 'ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ମୋଟ୍‌ ୧୨୮ଟି ଟିମ୍‌ ଓଡିଆରଏଫ୍‌, ଏନ୍‌ଡିଆରଏଫ୍‌ ଏବଂ ଅଗ୍ନିଶମ ବାହିନୀର ଟିମ୍‌ ନିୟୋଜିତ ହୋଇଛନ୍ତି । ଏଥିରୁ ମାଲକାନଗିରି ଓଡିଆରଏଫ୍‌ ୩ଟି, ଗୋଟିଏ ଏନଡିଆରଫି ଟିମ୍‌ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍‌ ସାମିଲ ରହିଛି । ସେହିପରି କୋରାପୁଟରେ ୧୮ ଟିମ୍‌, ନବରଙ୍ଗପୁରରେ ୧୩ଟି ଟିମ୍‌, ଗଜପତିରେ ୧୧ଟି ଟିମ୍‌, ଗଞ୍ଜାମରେ ୨୭ଟି ଟିମ୍‌, କନ୍ଧମାଳରେ ୧୬ଟି ଟିମ୍‌, କଳାହାଣ୍ଡିରେ ୧୬ଟିମ୍‌ ସାମିଲ ରହିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ୍‌ ଦିଆଯିବ ବୋଲି ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖରେ ୮ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡିକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହି ଜିଲ୍ଲାଗୁଡ଼ିକରେ ୨୮ ଓ ୨୯ ତାରିଖ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏନେଇ ମହିଳା  ଓ ଶିଶୁ କଲ୍ୟାଣ ବିଭାଗ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । 

ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସମସ୍ତ ପର୍ଯ୍ୟଟନସ୍ଥଳୀ ୩ ଦିନ ଯାଏଁ ବନ୍ଦ ରହିବ । ଗୋପାଳପୁର, ସୋନାପୁର ବେଳାଭୂମି ବି ବନ୍ଦ ରହିବ । ସାମୁଦ୍ରିକ ବବାତ୍ୟା ମୋନ୍ଥା ପ୍ରଭାବରେ ଆଜି ରାତିରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏଣୁ ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏକ ବୈଠକରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଓ କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ପ୍ରତି ଗାଁ ଗାଁ ମାଇକ ଯୋଗେ ପ୍ରଚାର କରାଯିବ । ଜିଲ୍ଲାରେ ଥିବା ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଉପକୁଳ ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସ୍ଥାନନ୍ତର କରିବା ବେଳେ ଆବଶ୍ୟକ ହେଲେ ପୁଲିସର ସହଯୋଗ ନିଆଯିବ ।

ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ସୋରଡ଼ା ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ଲାଗି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି । ଜିଲ୍ଲାର କୌଣସି ସ୍ଥାନରେ ଲୋକେ ଏହି ଦୁଇ ଦିନ ଯେପରି କୌଣସି କଚ୍ଚା ଘରେ ରହିବେ ନାହିଁ ସେଦିଗରେ ଧ୍ୟାନ ଦେବା ପାଇଁ ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ପାଣି ପମ୍ପ ଓ ପାଣି ନିଷ୍କାସନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ଵିଏମ୍‌ସି ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ କୁହାଯାଇଛି । ଅଗ୍ନିଶ୍ରମ ବିଭାଗ ଓଡ୍ରାଫ ବିଭାଗ ସଜାଗ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।