କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା । ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଘଣ୍ଟାପ୍ରତି ୧୩ କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରୀରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ମଧ୍ୟରେ ଗୋପାଳପୁର ଠାରୁ ୮୬୦କିମି ଏବଂ କାକିନାଡ଼ା ଠାରୁ ୭୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୩କିମି ବେଗରେ ଏହା ଉପକୂଳ ଆଡକୁ ମାଡ଼ିଆସୁଛି । ୨୮ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବାତ୍ୟା ମୋନ୍ଥା ପ୍ରଭାବରେ ପାଗ ବଦଳିବ । ୨୯ ତାରିଖ ଯାଏ ଉପପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟା ପ୍ରଭାବରେ ଆଜି(ସୋମବାର)ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୩୦ରୁ ୫୦ କିଲୋମିଟର ଯାଏ ପବନ ବହିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି(ମଙ୍ଗଳବାର) ସକାଳ ସାଢ଼େ ୮ଟାରୁ ୨୯ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡା, ମାଲାକାନଗିରି ଓ କୋରାପୁଟ ଜିଲ୍ଲାରେ ବିଜୁଳି, ଘଡ଼ଘଡି ସହ ଘଣ୍ଟାପ୍ରତି ୬୦ରୁ ୮୦କିମି ବେଗରେ ପବନ ବହିପାରେ । ଏଥିସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସମସ୍ତ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏହା ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୬୦ରୁ ୮୦କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । । ଏଥିସହ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ନଜରରେ ରଖି ୨୯ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି । ରାଜ୍ୟର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ନଂ ବିପଦ ସଙ୍କେତ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/27/08-cyclone-update-2025-10-27-07-41-36.jpg)