କନକ ବ୍ୟୁରୋ : ୫ ବର୍ଷ ତଳେ ଦିଲ୍ଲୀରେ ନିଖୋଜ ବ୍ୟକ୍ତି ଫେରିଲେ ଘରକୁ । କନକ ନ୍ୟୁଜ୍‌ ପ୍ରତିନିଧିଙ୍କ ସହାୟତାରେ ମୁମ୍ବାଇରୁ ଘରକୁ ଫେରିଲେ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ଉମରକୋଟ  ପୌରସଂସ୍ଥାର ଲାଲୁ ହରିଜନ ନାମକ ବ୍ୟକ୍ତି ଦିଲ୍ଲୀରେ ନିଖୋଜ ହୋଇଯାଇଥିଲେ । ଏବେ ନାଟକୀୟ ଢଙ୍ଗରେ ଜୀବିତ ଅବସ୍ଥାରେ ଘରକୁ ଫେରିଛନ୍ତି । ଆଉ ଏଥିରେ ସହଯୋଗ କରିଛନ୍ତି ମୁମ୍ବାଇର ଏକ ସାମାଜିକ ଅନୁଷ୍ଠାନ । ଲାଲୁଙ୍କୁ ପାଇ ପରିବାରରେ ଖେଳିଗଲା ଖୁସିର ଲହରୀ ।

Advertisment

କାହା ଆଖିରୁ ଝରି ପଡୁଛି ଖୁସିର ଲୁହ ତ କାହା ପାଦ ଖୁସିରେ ତଳେ ଲାଗୁନି ଆଉ କିଏ ଭାବପ୍ରବଣ ହୋଇପଡୁଛି । ନିଖୋଜର ୫ବର୍ଷ ପରେ ପରିବାରର ସଦସ୍ୟଙ୍କୁ ଜୀବିତ ଦେଖିବା ପରେ ସୃଷ୍ଟି ହୋଇଛି ଭାବପ୍ରବଣତା ଏଇ ମୁହୂର୍ତ୍ତ । ଏଇ ଖବର  ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଅଧିନସ୍ଥ ଦଶରାପଦା ସାହିରୁ । ୬୫ ବର୍ଷୀୟ ବୃଦ୍ଧ ଲାଲୁ ହରିଜନ ୨୦୨୧ ଜୁଲାଇ ୧୬ ତାରିଖରେ ଦିଲ୍ଲୀ ଯାଇଥିଲେ । କୌଣସି କାରଣ ବଶତଃ ସେଠାରୁ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ପରେ ପରିବାର ଲୋକେ ଦିଲ୍ଲୀର ସ୍ଥାନୀୟ ଥାନା ଓ ଲାଲୁଙ୍କ ସ୍ତ୍ରୀ ଚନ୍ଦ୍ରିକା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ଅଧିକ ପଢ଼ନ୍ତୁ--Why Are Odisha Leaders Being Targeted : ଆଗେ ବିଜେଡି, ବିଜେପି...ଏବେ କଂଗ୍ରେସ ବିଧାୟଙ୍କୁ ହତ୍ୟା ଧମକ

ଦିଲ୍ଲୀ ସହରରେ ବୁଲାବୁଲି କରିବା ସମୟରେ ମୁଣ୍ଡ ବୁଲାଇ ତଳେପଡ଼ି ଯାଇଥିଲେ ଲାଲୁ । କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରବର୍ତ୍ତୀ ସମୟରେ ସେ ମହାରାଷ୍ଟ୍ରର ରାଇଗଡ଼ ଠାରେ ଶ୍ରଦ୍ଧା ପୁନରୁତ୍‌ଥାନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେଠାରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନିଜ ପରିଚୟ ଦେଇ ଠିକଣା କହିଥିଲେ । ଉକ୍ତ ସଂସ୍ଥାର ସଦସ୍ୟ, କନକ ନ୍ୟୁଜ୍‌ ନବରଙ୍ଗପୁର ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରିଥିଲେ ।  ଆମ ପ୍ରତିନିଧି ଏ ସଂପର୍କରେ ଉମରକୋଟ ଥାନାରେ ଜଣାଇବା ପରେ ନିଖୋଜ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳିଥିଲା । ପରେ ତାଙ୍କ ପରିବାର ସଦସ୍ୟ ରାଇଗଡ଼ ଯାଇ ଲାଲୁଙ୍କୁ ଘରକୁ ଆଣିଛନ୍ତି । ଏହାରି ଭିତରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି । ପରିବାର ଲୋକେ ଲାଲୁଙ୍କୁ ପାଇ ବହୁତ ଖିସି ଅଛନ୍ତି ଏବଂ ଯେଉଁ ସଂସ୍ଥା ଲାଲୁଙ୍କୁ ସେବା କରିଥିଲେ ସେମାନଙ୍କୁ ପରିବାର ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ।