କନକ ବ୍ୟୁରୋ : ପୁଣି ହିଟମ୍ୟାନ୍ ଏବେ ଫିଟମ୍ୟାନ୍ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପ୍ଲେୟାର ଅଫ୍ ଦ ସିରିଜ ହେବା ପରେ ରୋହିତ ଆଉ ଏକ ରେକର୍ଡ କରିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇସିସି ରାଙ୍କିଂରେ ବିଶ୍ବର ଏକ ନମ୍ବର ବ୍ୟାଟର ବନିଛନ୍ତି । ବଡ଼କଥା ହେଉଛି ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଶୁବମନ ଗିଲଙ୍କୁ ପଛରେ ପକାଇ ରୋହିତ ତାଲିକାର ଟପ୍ ୱାନରେ ପହଞ୍ଚିଛନ୍ତି । 

Advertisment

ICC ଜାରି କରିଥିବା ଦିନିକିଆ ରାଙ୍କିଂ ରୋହିତ ପୁଣି ଥରେ ନମ୍ବର-୧ ସ୍ଥାନ ହାସଲ କରିଛନ୍ତି । ଏଥର ସେ ଦୁଇ ସ୍ଥାନ ଉପରକୁ ଉଠି ତାଙ୍କ ରେଟିଂ ୭୮୧କୁ ବୃଦ୍ଧି କରିଛନ୍ତି । ଅଧିନାୟକ ପଦରୁ ହଟାଯିବା ପରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ICC ଦିନିକିଆ ରାଙ୍କିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ  ବ୍ୟାଟର ଭାବେ ପଡ଼ିଆରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲେ । ସେ ସିରିଜର ଦ୍ବିତୀୟ ମ୍ୟାଚରେ ଅର୍ଦ୍ଧଶତକ ଏବଂ ଅନ୍ତିମ ବା ଶେଷ ମ୍ୟାଚରେ ଏକ ଦମଦାର ଶତକ ହାସଲ କରି ସମାଲୋଚକଙ୍କୁ ପାଟି ବନ୍ଦ କରିଦେଇଥିଲେ । 

ଅଧିକ ପଢ଼ନ୍ତୁ--ଓଡ଼ିଶାକୁ ଆସିଥିଲା ଏମିତି ଏକ ବାତ୍ୟା :ଦୋହଲି ଯାଇଥିଲା ଅଧା ରାଜ୍ୟ,ଏବେ ବି ମନେ ପଡ଼ିଲେ ଦେହ ଶିହରି ଉଠେ

ବଡ଼ କଥା ହେଉଛି ରୋହିତଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଅବସର ଚର୍ଚ୍ଚା, ଫିଟନେସ୍ ସମାଲୋଚନା ଭିତରେ ସେ ପ୍ରଥମ ମ୍ୟାଚ୍‌ରେ ମାତ୍ର ୮ ରନ କରି ଆଉଟ ହୋଇ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ତଥାପି, ଦ୍ୱିତୀୟ ମ୍ୟାଚ୍‌ରେ ସେ ୭୩ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହା ପରେ ସିରିଜର ଶେଷ ମ୍ୟାଚ୍‌ରେ ୧୨୧ ରନ୍‌ର ଅପରାଜିତ ଇନିଂସ ଖେଳି ଖବରର ହେଡଲାଇନ୍ ପାଲଟିଥିଲେ । 

ଏପଟେ ହିଟମ୍ୟାନଙ୍କ ପରେ, ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରନ୍ ICC ଦିନିକିଆ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗିଲ୍ ଆଇସିସି ତାଲିକାର ଏକ ନମ୍ବରରୁ ତୃତୀୟ ସ୍ଥାନରେ ଖସି ଆସିଛନ୍ତି । ଗିଲଙ୍କ ରେଟିଂ ବର୍ତ୍ତମାନ ୭୪୫ରେ ଅଛି । ପାକିସ୍ତାନର ବାବର ଆଜମ ୭୩୯ ରେଟିଂ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି । ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୭୨୫ ରେଟିଂ ସହିତ ଷଷ୍ଠ ସ୍ଥାନରେ ରହିଛନ୍ତି ।