କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆରେ ରହିଛି ମାଙ୍କଡିଆ ଟସର ଶିଳ୍ପ । ଏଠାରେ ପ୍ରସ୍ତୁତ ହେଉଥିବା ଶାଢିର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ଏହି ଶାଢି ପିନ୍ଧିବାକୁ ଯେତିକି ଆରାମଦାୟକ ସେତିକି ମଜଭୁତ ଏବଂ ସୁନ୍ଦର ମଧ୍ୟ । ତେଣୁ ଏହି ଶାଢ଼ି ବାହାର ରାଜ୍ୟରେ ବେଶ ଆଦୃତ ଲାଭ କରିଛି । ବୁଣାକାର ମାନେ ପାରମ୍ପରିକ ଉପାୟରେ ଲୁଗା ବୁଣନ୍ତି । ଟସରରୁ ସୁତା ବାହାର କରି ସେହି ସୁତାକୁ ଅରଟ ମାଧ୍ୟମରେ ଗୁଡାଇ ଡିଜାଇନ ଅନୁଯାଇ ରଙ୍ଗ ଦିଆଯାଏ । ଏହାପରେ ତନ୍ତରେ ସୁତାକୁ ଶାଢ଼ିର ଡିଜାଇନ ଅନୁଯାଇ ସାଜାଇ ରଖାଯାଏ । ଆଉ ତନ୍ତ ମାଧ୍ୟମରେ ଶାଢି ବୁଣନ୍ତି ବୁଣାକାର। ରାଇବଣିଆର ମାଙ୍କଡ଼ିଆ ଗାଁରେ ୫ ଶହରୁ ଉର୍ଦ୍ଧ୍ବ ବୁଣାକାର ପରିବାର ଏହି ଶାଢ଼ି ପ୍ରସ୍ତୁତ କରନ୍ତି । ଏହାକୁ ବୃତ୍ତି କରି ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରନ୍ତି । ହେଲେ ଦିନକୁ ଦିନ ଟସର ଦାମ୍ ବଢ଼ୁଛି । ଅନେକ ସମୟରେ କଞ୍ଚାମାଲ ମିଳୁନାହିଁ । ତେଣୁ ବୁଣାକାର ମାନେ ସମସ୍ୟାରେ ପଡ଼ୁଛନ୍ତି ।
ଅଧିକ ପଢ଼ନ୍ତୁ : ସମସ୍ୟା ଘେରରେ ବୁଣାକାର। ଟସର କୋଷାର ଦରବୃଦ୍ଧି ବୁଣାକାରଙ୍କୁ ଅଡୁଆ
ହାତ ତିଆରି ହୋଇଥିବାରୁ ଏହାର ମୁଲ୍ୟ ଟିକିଏ ଆଧିକ । ଦାମ ଅଧିକ ହୋଇଥିଲେ ମଧ୍ୟ ଏହାର ଚାହିଦା ଭଲ ରହିଛି । ଏହି ଶାଢ଼ି ରାଜ୍ୟର ବାଲେଶ୍ୱର, ବାରିପଦା, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀରେ ବିକ୍ରି ହୋଇଥାଏ । ଏହା ବ୍ୟତିତ କଲିକତା, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ବନାରସ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୁଏ । ପଲ୍ଲିଶ୍ରୀ ମେଳା, ତୋସାଳୀ ମେଳା, ବାଲିଯାତ୍ରା ଭଳି ବିଭିନ୍ନ ଯାତ୍ରାରେ ପ୍ରଦର୍ଶନୀ କରାଯାଏ । ବଜାରରେ କମ୍ ଦାମର ମେସିନ ବୁଣା ଶାଢ଼ି ମିଳୁଥିବାରୁ ଏହାର ଚାହିଦା ଆସ୍ତେ ଆସ୍ତେ କମିବାକୁ ବସିଲାଣି । ଫଳରେ କୂଳ ବେଉସାରୁ ମୁହଁ ଫେରାଉଛନ୍ତି ବୁଣାକାର ।
ଅଧିକ ପଢ଼ନ୍ତୁ : କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।
ବାରିପଦା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ବୁଣାକାର ମାନେ ଟସର କିଣି ଶାଢ଼ି ପ୍ରସ୍ତୁତ କରନ୍ତି । ଟସରର ସରକାରୀ ମୁଲ୍ୟ କେଜି ପ୍ରତି ୪ ହଜାର ଟଙ୍କା । ଦଲାଲ୍ ମାନେ ଏହାକୁ ୭ ରୁ ୮ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ୧ କେଜି ଟସରରୁ ୩ ରୁ ୪ ଖଣ୍ଡ ଶାଢ଼ି ପ୍ରସ୍ତୁତ ହୋଇଥାଏ । ଟସରକୁ ସିଝାଇ ସେଥିରୁ ସୁତା ବାହାର କରି ଶାଢ଼ି ପ୍ରସ୍ତୁତ କରିବାକୁ ପାଖାପାଖି ୭ ଦିନ ସମୟ ଲାଗିଥାଏ । ଗୋଟିଏ ଟସର ଶାଢ଼ି ବଜାର ମୁଲ୍ୟ ୪ ହଜାରରୁ ଆରମ୍ଭ କରି ୭ ରୁ ୧୦ ହଜାର ପର୍ୟ୍ୟନ୍ତ ରହିଛି । ଗୋଟିଏ ଶାଢ଼ି ପ୍ରସ୍ତୁତ କରି ହୁଣାକାର ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ସରକାର ଯଦି ଏହି ଶିଳ୍ପ ଉପରେ ଦୃଷ୍ଟି ଦେଇ ବଜାର ବ୍ୟବସ୍ଥା ଯୋଗାଇ ଦିଅନ୍ତେ ତାହେଲେ ବୁଣାକାର ମାନେ ଅଧିକ ଲାଭବାନ ହୋଇପାରନ୍ତେ ।
Follow Us