କନକ ବ୍ୟୁରୋ: ଦେଶର ସମସ୍ତ ସରକାରୀ ସ୍କୁଲରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାରେ ଟେକ୍ନୋଲୋଜିର ବଢୁଥିବା ଆବଶ୍ୟକତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ସ୍କୁଲରେ କିପରି ଇଣ୍ଟରନେଟ ସୁବିଧା ମିଳିବ ସେନେଇ ପ୍ରାଥମିକତା ଭିତରେ କାମ ଆରମ୍ଭ ହୋଇଛି । ଦେଶର ସରକାରୀ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ଜରିଆରେ ନବସୃଜନ ଓ ପ୍ରାକ୍ଟିକାଲ ଶିକ୍ଷାକୁ ସୁଦୃଢ କରିବା ପାଇଁ ଉଦ୍ୟମ କରାଯାଉଛି । 

Advertisment

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ, ଓଡ଼ିଶା ମାଷ୍ଟର୍ସ ୨୦୨୫ରେ ଖେଳାଗଲାଣି ୭୬ ମ୍ୟାଚ୍

ଆଗାମୀ ୫ବର୍ଷରେ ଦେଶର ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯିବ । ବର୍ତ୍ତମାନ ଦେଶର ବିଭିନ୍ନ ସ୍କୁଲରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ କାମ କରୁଥିବା ରାଜ୍ୟସଭାରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ଶ୍ରେଣୀଗୃହ, ଦକ୍ଷତା-ଭିତ୍ତିକ ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ନିର୍ମାଣ ହେଉଛି ସ୍କୁଲ ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମସ୍ତ କ୍ଷେତ୍ରରେ ହେବା ଆବଶ୍ୟକ । ଭାରତନେଟ୍ ପ୍ରକଳ୍ପ ଅଧୀନରେ, ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକରେ ବ୍ରଡବ୍ୟାଣ୍ଡ ସଂଯୋଗୀକରଣକୁ ବିସ୍ତାର କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଶିକ୍ଷକ ତାଲିମ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନକୁ ଶିକ୍ଷକଙ୍କ ବୃତ୍ତିଗତ କ୍ଷମତାକୁ ବୃଦ୍ଧି କରିବା ପାଇଁ ସୁଦୃଢ଼ କରାଯାଉଛି ।