Gold and Silver Price Photograph: (KanakNews)
କନକ ବ୍ୟୁରୋ : ବିଶ୍ବରେ ଭୂରାଜନୈତିକ ଅସ୍ଥିରତା କାରଣରୁ ସୁନା ଓ ରୁପା ଦର ବଢ଼ି ନୂଆ ରେକର୍ଡ କରିଚାଲିଛି । ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ଲକ୍ଷେ ତିରିଶ ହଜାର ଟଙ୍କା ଟପିଛି । ଶନିବାର ତୁଳନାରେ ଏହି ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ସୁନା ଦର ୧୬୯୦ ଟଙ୍କା ବୃଦ୍ଧି ଘଟି ଲକ୍ଷେ ୪୨ ହଜାର ୧୫୦ ଟଙ୍କାରେ ପହଞ୍ଚିଛି । ସୁନା ଅପେକ୍ଷା ରୁପା ଦରରେ ବଡ଼ ବୃଦ୍ଧି ଘଟିଛି । କିଲୋଗ୍ରାମ ପିଛା ରୁପା ଦର ଆଜି ୧୨ ହଜାର ଟଙ୍କା ମହଙ୍ଗା ହୋଇଛି । ଏଥିଯୋଗୁ ରୁପା ଦର ଦୁଇ ଲକ୍ଷ ୮୭ ହଜାର ଟଙ୍କା ଛୁଇଁଛି ।
ଭୁବନେଶ୍ବର ବଜାରରେ ୨୦୨୬ ମସିହାର ପ୍ରଥମ ଦିନରେ ୨୪ ଓ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧,୩୫,୦୬୦ ଟଙ୍କା ଏବଂ ୧,୨୩,୮୦୦ ଟଙ୍କା ଥିଲା। ତେଣୁ ଗତ ୧୨ ଦିନରେ ଏହି ଧାତୁର ଦର ୫.୨୫ ପ୍ରତିଶତ ବଢ଼ିଯାଇଛି । ଅନ୍ୟପକ୍ଷରେ ରୁପା ଦର ୨୦୨୬ ମସିହାର ପ୍ରଥମ ୧୨ ଦିନରେ ୧୨.୧୧ ପ୍ରତିଶତ ମହଙ୍ଗା ହୋଇଯାଇଛି । ୨୦୨୬ ମସିହା ପହିଲାରେ ରୁପା ଦର ୨,୫୬,୦୦୦ ଟଙ୍କା ଥିଲା। ତେଣୁ ଇତିମଧ୍ୟରେ ରୁପା ଦର ୩୧ ହଜାର ଟଙ୍କା ମହଙ୍ଗା ହୋଇଛି । ଆମେରିକା ଓ ଇରାନ ପରସ୍ପର ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଏହାର ପ୍ରଭାବ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ବଜାର ଉପରେ ପଡ଼ିଛି । ଏଥିପାଇଁ ଦରରେ ମାତ୍ରାଧିକ ବୃଦ୍ଧି ଘଟୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ---ଚାଲିଗଲେ ମା’, ମହତ କାମ କଲେ ପୁଅ: ମାନବ ସେବା ପାଇଁ ଦାନ କଲେ ପାର୍ଥିବ ଶରୀର
Follow Us