Gautam-Gambhir Photograph: (Kanak News)
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ ସମାଲୋଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ବିସିସିଆଇ (BCCI) ସ୍ପଷ୍ଟ କରିଛି ଯେ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ପଦରେ ବଜାୟ ରହିବେ । ସୂତ୍ର ଅନୁସାରେ, ତାଙ୍କର ଚୁକ୍ତି ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ରହିବ । ବିସିସିଆଇ ଖେଳାଳି ଏବଂ କୋଚଙ୍କ ଉପରେ ନିଜର ଭରସା କାଏମ ରଖିବ । ତେବେ ରିପୋର୍ଟ ଅନୁଯାୟୀ, ଦଳର ଖରାପ ପ୍ରଦର୍ଶନକୁ ନେଇ ବୋର୍ଡ ଶୀଘ୍ର ଆଲୋଚନା କରିବ ଏବଂ କୋଚ୍ଙ୍କ ସହ ଏକ ବୈଠକ କରି ଦଳର ପ୍ରଦର୍ଶନରେ ସୁଧାର ଆଣିବାକୁ ଜରୁରୀ ନିଷ୍ପତ୍ତି ନିଆଯିବ ।
ଭାରତ କ୍ରମାଗତ ଭାବେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀରଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର ଧରିଥିଲା । କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ଭିଭିଏସ୍ ଲକ୍ଷ୍ମଣ ତାଙ୍କ ସ୍ଥାନ ନେଇପାରନ୍ତି । କିନ୍ତୁ ବିସିସିଆଇ କହିଛି, "ଆମେ ବର୍ତ୍ତମାନ ଗୌତମ ଗମ୍ଭୀରଙ୍କୁ ବଦଳାଇବା କଥା ଭାବୁନାହୁଁ, ସେ ଦଳକୁ ପୁନର୍ଗଠନ କରୁଛନ୍ତି । ତାଙ୍କ ଚୁକ୍ତି ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ରହିଛି ।"
ଅଧିକ ପଢନ୍ତୁ ; ମଝି ରାସ୍ତାରେ ଜଗିଥିଲା ଯମ : ମଦିନା ପହଞ୍ଚିବା ପୂର୍ବରୁ ମାରିଦେଲା ନିଆଁ
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨-୦ରେ ସିରିଜ୍ ହାରିଛି । କୋଲକାତାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ମାତ୍ର ୧୨୪ ରନ୍ର ପିଛା କରି ୩୦ ରନ୍ରେ ହାରିଥିଲା । ଗୁଆହାଟିରେ ୫୪୯ ରନ୍ର ବିସାଳ ବିଜୟ ଲକ୍ଷ୍ୟ ପିଛା କରି ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ଟିମ୍ ଇଣ୍ଡିଆ । ୨୫ ବର୍ଷ ପରେ ଭାରତରେ ଟେସ୍ ସିରିଜ୍ ଜିତିଛି ଦକ୍ଷିଣ ଆଫ୍ରିକା ଦଳ । ଯାହା ପରେ ଗମ୍ଭୀରଙ୍କ କୋଚିଂକୁ ନେଇ ପ୍ରଶ୍ନ ଉଠିଥିଲା । ଗମ୍ଭୀର ଖୋଦ୍ କହିଥିଲେ ମୋ ଭବିଷ୍ୟତ ନିଷ୍ପତ୍ତି ବିସିସିଆଇ ନେବ ।
୪୦୮ ରନ୍ର ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା ଭାରତ । ଏହି ପରାଜୟ ପରେ ଗମ୍ଭୀର ପ୍ରେସ୍ କନ୍ଫରେନ୍ସରେ କହିଥିଲେ, "ଏବେ ନିଷ୍ପତ୍ତି ବିସିସିଆଇ ହାତରେ । ଭାରତୀୟ କ୍ରିକେଟ୍ ଗୁରୁତ୍ୱପୂର୍ଣ୍ଣ, ମୁଁ ନୁହେଁ ।" ସେ ନିଜର ପୁରୁଣା ସଫଳତା ଯେପରିକି ଇଂଲଣ୍ଡ ଗସ୍ତ ଏବଂ ଚାମ୍ପିଅନ୍ସ ଟ୍ରଫି ବିଜୟ କଥା ମନେ ପକାଇ କହିଥିଲେ ଯେ, ଲୋକମାନେ ଗୋଟିଏ ସିରିଜ୍ ହାରିବା ପରେ ପୁରୁଣା ସଫଳତା ଭୁଲି ଯାଉଛନ୍ତି । ଏହା ସହିତ ଏହି ଯୁବ ଦଳ ପାଖରେ ଅଭିଜ୍ଞତାର ଅଭାବ ରହିଛି ଏବଂ ସେମାନେ ଶିଖୁଛନ୍ତି ବୋଲି ଗମ୍ଭୀର ମତ ଦେଇଥିଲେ । ଆକଳନ କରାଯାଉଥିଲା ଗମ୍ଭୀର ଭାରତର ମୁଖ୍ୟ କୋଚ୍ ପଦକୁ ଇସ୍ତଫା ଦେଇ ପାରନ୍ତି । କିନ୍ତୁ ଏହି ସବୁ ଆକଳନ ଭୁଲ୍ ପ୍ରମାଣିତ ହୋଇପାରେ ।
Follow Us