କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାକୁ ଘେରି ରହିଛି ୬୧ କିଲୋମିଟରର ବେଳାଭୂମି । ଯାହାର ଅତି ନିକଟରେ ରହିଛି ଶହ ଶହ ଗାଁ । ଆର୍ଯ୍ୟପଲ୍ଲୀ ଓ ପୋଡ଼ମପେଟା ଭଳି କିଛି ଗାଁ ପ୍ରତି ଯଦିଓ ସମୁଦ୍ର ବିପଦ ସାଜିଛି ତଥାପି ଅନେକଙ୍କ ପାଇଁ ବରଦାନ ପାଲଟିବ ବେଳାଭୂମି । ଗଞ୍ଜାମ ହାତରେ ରାଜ୍ୟର ସର୍ବାଧିକ ବ୍ଲୁ-ଫ୍ଲାଗ୍‌ ବେଳାଭୂମି ରହିବାକୁ ଯାଉଛି । ଯାହା ଆଗାମୀ ଦିନରେ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରକୁ ସବଳ କରିବା ସହିତ ଗାଁ ଅର୍ଥନୀତିକୁ ସୁଦୃଢ଼ କରିବା ଆଶା ସଞ୍ଚାର ହୋଇଛି ।

Advertisment

ସୁନାପୁର ବେଳାଭୂମି ‘ବ୍ଲୁ-ଫ୍ଲାଗ୍‌’ ମାନ୍ୟତା ବଜାୟ ରଖିଛି । ଗୋପାଳରେ ବେଳାଭୂମିକୁ ‘ବ୍ଲୁ-ଫ୍ଲାଗ୍‌’ ମାନ୍ୟତା ଦେବାକୁ ଚେଷ୍ଟା ଚାଲିଛି । ସିଆରଜେଡ୍‌ ଅନୁମତି ସହ ଦ୍ୱିତୀୟ ବେଳାଭୂମି ନିର୍ମାଣ କରାଯିବ । ନୂଆବର୍ଷରେ ଆଉ ନୂଆ ବେଳାଭୂମିକୁ ‘ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଛତ୍ରପୁର ନିକଟ ଅଗସ୍ତିନୂଆଗାଁ-ନୋଳିଆନୂଆଗାଁ ଠାରେ ଥିବା ବିଜୁ ପଟ୍ଟନାୟକ ବେଳାଭୂମି ଏହି ତାଲିକାରେ ସାମିଲ ହୋଇଛି । ଯେଉଁ ବେଳାଭୂମିକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଛଡ଼ା ଆଉ କାହାରି ପାଦ ପଡ଼ୁନଥିଲା, ସେହି ବେଳାଭୂମିର ନବକଳେବର ହେବ । ପକ୍କାରାସ୍ତା, ବସିବା ପାଇଁ ପିଣ୍ଡି, ଶୌଚାଳୟ, ପିଇବା ପାଣିର ସୁବିଧା ଓ କିଛି ଦୋକାନ ଘର ନିର୍ମାଣ କରାଯିବ । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଏସବୁ କରିବେ । ନିକଟରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍‌, ବିଇଡିଏ ଅଧ୍ୟକ୍ଷ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଅନ୍ୟ ଅଧିକାରୀଙ୍କ ସହ ସେଠାକୁ ଯାଇ ଅନୁଧ୍ୟାନ କରିଛନ୍ତି । ଘରୋଇ ସଂସ୍ଥା ଦ୍ୱାରା ସର୍ଭେ କରାଯାଉଛି, ନୂଆବର୍ଷ ସୁଦ୍ଧା ଡିପିଆର ଓ ଟେଣ୍ଡର ଆହ୍ୱାନ କରାଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ବଦଳିବ କଶାଫଳ ବେଳାଭୂମିର ରୂପରେଖ; ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା

ସୁନାପୁର ଓ ଗୋପାଳପୁର ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଛି । ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆଗାଁ ସେତିକି ନାଁ ପାଇପାରିନି । ବେଳାଭୂମି ନବକଳେବର ହେଲେ ସହର ସହିତ ଗାଁକୁ ଯୋଗାଯୋଗ ସୁଗମ ହେବ । ଦୋକାନ ବଜାର ହେଲେ ହାତକୁ ଦୁଇ ପଇସା ଆସିବ । ବଦଳିବ ଅବହେଳିତ ଗାଁର ଚିତ୍ର । ରାସ୍ତା, ପାନୀୟ ଜଳ ସୁବିଧା ହେଲେ ଅନ୍ୟ ବିକାଶ ପାଇଁ ବାଟ ଫିଟିବ । ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଏହାର ଲାଭ ଉଠାଇ ପାରିବେ । ମାଛ ବେପାର ବି ବଢ଼ିବ । ପର୍ଯ୍ୟଟକ ବେଳାଭୂମିରୁ ମାଛ କିଣି ଖାଇବେ, ଆଉ ମତ୍ସ୍ୟଜୀବୀ ପରିବାରର ପିଲାଛୁଆଙ୍କ ପେଟ ପୂରିବ ।

ବେଳାଭୂମିର ଉନ୍ନତିକରଣ ହେଲେ ମାଛଠାରୁ ମାଳି, ଶଙ୍ଖଠାରୁ ଶାମୁକା, ଫଟୋ ପେଣ୍ଟିଂଠାରୁ ଫଟୋଗ୍ରାଫି ପର୍ଯ୍ୟନ୍ତ ବେପାର ହୋଇପାରିବ । ପ୍ରାଶାସନିକ ସହଯୋଗରେ ଗ୍ରାମୀଣ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ପ୍ରଶାସନ ଏନେଇ ଚିନ୍ତା କରୁଥିଲା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ବେଳାଭୂମି ଉନ୍ନୟନ ଲାଗି ପାଣ୍ଠି ଅଜାଡ଼ି ଦେବ । ସବୁ ପରେ ବି ସ୍ଥାନୀୟ ଲୋକଙ୍କୁ ବିଶ୍ୱାସକୁ ନେଇ ପ୍ରଶାସନକୁ ସବୁ ନିଷ୍ପତ୍ତି ନେବାକୁ ପଡ଼ିବ ।