କନକ ବ୍ୟୁରୋ : ବେଳାଭୂମି ପାଲଟିଛି ନିଶା କାରବାରର ପେଣ୍ଠସ୍ଥଳୀ । ରାଜ୍ୟର ଅନ୍ୟତମ ମନୋରମ ବେଳାଭୂମି ବାଲେଶ୍ଵର ଜିଲ୍ଲା ଭୋଗରାଇର ଉଦୟପୁର । ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି । ବୁଲାବୁଲି କରିବା ସହ ସମୁଦ୍ରରେ କିଛି ଖୁସିର ମୁହୂର୍ତ୍ତ ବିତାଇଥାନ୍ତି । କିନ୍ତୁ ବେଳାଭୂମିରେ କିଛି ଅବ୍ୟବସ୍ଥା ଯୋଗୁଁ ଆଗ ଅପେକ୍ଷା କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ଟେବୁଲ ଉପରେ ସଜା ହୋଇ ରହିଛି ମଦ ବୋତଲ । ଡ୍ୟାନ୍ସ୍ ବି ଚାଲିଛି । ଯାହାକୁ ଦେଖିଲେ ବେଳାଭୂମିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
ବେଆଇନ ଭାବେ ବେଳାଭୂମିରେ ଖୁଲମ ଖୁଲା ମଦ ବିକ୍ରି କରାଯାଉଛି । ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ଜମାଇ ଟେବୁଲ ଉପରେ ମଦ ରଖି ସେବନ କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଅସାମାଜିକ କାର୍ଯ୍ୟ ସହ ଲୁଟ୍ପାଟ୍ ଅଭିଯୋଗ ଆସିଛି । ସବୁଠୁ ବଡ଼ କଥା ହେଲା ପାଖରେ ରହିଛି ତାଳସାରୀ ମେରାଇନ ପୁଲିସ ଷ୍ଟେସନ। କିନ୍ତୁ ଏଭଳି ବେଆଇନ ନିଶା କାରବାରକୁ ରୋକିବାରେ ପୁଲିସ ସଂପୂର୍ଣ୍ଣ ବିଫଳ ।
ପର୍ଯ୍ୟଟନ ସ୍ଥଳୀରେ ଏପରି କାର୍ଯ୍ୟକଳାପକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ନଜିର୍ ନାହିଁ । ନିଶା ଦ୍ରବ୍ୟ ସେବନ ନିଷେଧ ନେଇ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ତେଣୁ ଖୁଲମ୍ ଖୁଲା ନିଶା କାରବାରରେ ଚାଲିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।