କନକ ବ୍ୟୁରୋ : ବାତ୍ୟାକୁ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା , ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି । ଗୁମ୍ମା , ମୋହନା ରାୟଗଡ଼ା ବି ପ୍ରଭାବିତ ହୋଇଛି , ଏହା ସହ ଭୁସ୍ଖଳନ ମଧ୍ୟ ହୋଇଛି । ଚିକିଟି ଓ ପାତ୍ରପୁରରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡି ପଡ଼ିଛି । ରାସ୍ତାରେ ଗଛ ପଡ଼ିଥିବା ନେଇ ୨୨ଟି ଅଭିଯୋଗ ଆସିଛି । ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁରକ୍ଷିତ ଅଛନ୍ତି କାହାର ମୃତ୍ୟୁ ସୂଚନା ମିଳିନି । 

Advertisment

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ରାସ୍ତା ସଫା କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜେସିବି ସହ ପହଞ୍ଚିଛି ।  

ଅଧିକ ପଢ଼ନ୍ତୁ--ବାତ୍ୟା ମୋନ୍ଥା ପ୍ରଭାବରେ ଅଶାନ୍ତ ଚିଲିକା ; କୂଳରେ ଡଙ୍ଗା ଭିତରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ

ବାତ୍ୟା ମୋନ୍ଥା ପ୍ରଭାବକୁ ଦୃଷ୍ଟିରେ ରଖି ୧୪ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ପାଣିପାଗର ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି । ଗଜପତି ଜିଲ୍ଲାର ମୋହନାରେ ଦେଖିବାକୁ ମିଳିଛି ଭୂସ୍ଖଳନ । ଏହାପୂର୍ବରୁ ଆଜି ସକାଳୁ ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସି ଯାଇଥିଲା । ଫଳରେ ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଥିଲା ଭୂସ୍ଖଳନ । ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ଏହି ରାସ୍ତା । ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।   

ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।