କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସେହି ଆବେଦନକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଯେଉଁ ଆବେଦନରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ରେଳମନ୍ତ୍ରୀ ଥିବା ଲଳିତ ନାରାୟଣ ମିଶ୍ରାଙ୍କ ରହସ୍ୟଜନକ ମୃତ୍ୟୁର ଯାଂଚ ପାଇଁ ଆବେଦନ କରାଯାଇଥିଲା । ବିହାର ବିଜେପିର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଏନେଇ ଦିଲ୍ଲୀ ହାଇକୋର୍ଟରେ ଯାଂଚ ପାଇଁ ଆବେଦନ କରିଥିଲେ । ଏହି ଆବେଦନରେ ସେ କହିଥିଲେ କି ପୂର୍ବତନ ରେଳମନ୍ତ୍ରୀ ଲଳିତ ନାରାୟଣ ମିଶ୍ରାଙ୍କ ମୃତ୍ୟୁ ନେଇ କେବେ ବି ସତ ସାମ୍ନାକୁ ଆସିନାହିଁ । ଏହି ମାମଲାରେ ଦୋଷୀଙ୍କୁ ରକ୍ଷା କରିବାକୁ ଯାଇ ନିର୍ଦ୍ଦୋଷଙ୍କୁ ଫସାଇ ଦିଆଯାଇଥିଲା ।
ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ବିବେକ ଚୌଧୁରୀ ଓ ଜଷ୍ଟିସ ମନୋଜ ଜୈନଙ୍କ ଅଦାଲତ ଆବେଦନ ଉପରେ ଶୁଣାଣି କରି କହିଛନ୍ତି କି, ୫୦ ବର୍ଷ ପରେ ଏଭଳି ଆବେଦନ କରାଯିବା ପଛର କାରଣ କ'ଣ ? କୋର୍ଟ ସ୍ପଷ୍ଟ ଶବ୍ଦରେ ବିରକ୍ତି ପ୍ରକାଶ କରି କହିଛନ୍ତି ଏଭଳି କ'ଣ ହୋଇପାରିବ କି ଆପଣ ୫୦ ବର୍ଷ ପରେ ସତ ଖୋଜିବେ ଓ ଏଥିପାଇଁ ଅଦାଲତର ସମୟ ନଷ୍ଟ କରିବେ । ଏହି ମାମଲାର ଶୁଣାଣି ୧୧ ତାରିଖକୁ ସ୍ଥିର କରି କୋର୍ଟ କହିଛନ୍ତି ଯଦି ଅଶ୍ୱିନୀ ଚୌବେ ନିଜ ଅଭିଯୋଗ ଉପରେ ପ୍ରମାଣ ଦାଖଲ କରିପାରିବେ ନାହିଁ ତେବେ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ।
ଜାନୁଆରି ୨ ତାରିଖ ୧୯୭୫ ମସିହାରେ ବିହାର ସମସ୍ତିପୁର ଠାରେ ଏକ ରେଳ ପରିଯୋଜନାର ଉଦଘାଟନ ଚାଲିଥିଲା । ହଠାତ ଭିଡ଼ ଭିତରେ ଏକ ବିସ୍ଫୋରଣ ହୋଇଥିଲା । ଏବଂ ପୂର୍ବତନ ରେଳମନ୍ତ୍ରୀ ଲଳିତ ନାରାୟଣ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଥିଲା । କିଛିବର୍ଷ ମଧ୍ୟରେ ସିବିଆଇ ଆନନ୍ଦମାର୍ଗ ସଂଗଠନର ୪ ସଦସ୍ୟଙ୍କ ଉପରେ ଆଙ୍ଗୁଳି ଉଠାଇଥିଲା । ଏହି ମାମଲାରେ ଆନନ୍ଦମାର୍ଗ ସଂଗଠନର ୪ ଜଣ ସଦସ୍ୟ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ସେଇଠି ମାମଲାର ଶେଷ ହୋଇଥିଲା । ହେଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଏହା କାହାଣୀର ଅଧା ଭାଗ ଥିଲା ।
ଅଶ୍ୱିନୀ ଚୌବେ କହିଛନ୍ତି କି, ଲଲିତ ନାରାୟଣ ମିଶ୍ର ଏକ ବଡ଼ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିଲେ । କାରଣ ସେ ଜୟପ୍ରକାଶ ଆନ୍ଦୋଳନକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହି କଥା ଇନ୍ଦିରା ସରକାର ଗ୍ରହଣ କରିପାରିନଥିଲେ । ଅଶ୍ୱିନୀ ଚୌବେ ତାଙ୍କ ଆବେଦନରେ ୧୯୭୮ରେ ବିହାର ସିଆଇଡି ରିପୋର୍ଟ, ଜଷ୍ଟିସ ବିଏମ୍ ତାରକୁଣ୍ଡେଙ୍କ ଯାଂଚ ରିପୋର୍ଟ ଓ ସେତେବେଳେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ରିପୋର୍ଟକୁ ସଲଗ୍ନ କରିଛନ୍ତି । ସେ କହିଛନ୍ତି କି, ଦିଲ୍ଲୀରେ ଥିବା ସରକାରକୁ ଦୋଷମୁକ୍ତ କରିବାକୁ ସିବିଆଇ ତାର ଯାଂଚର ମୋଡ଼ ବଦଳାଇଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/08/bihar-2025-11-08-11-03-35.jpg)