କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଏବେ ଘନ କୁହୁଡ଼ିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସକାଳୁ ସକାଳୁ ଦେଖାଯାଉଥିବା ଘନ କୁହୁଡ଼ି କେବଳ ରାସ୍ତାଘାଟରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁନାହିଁ, ବରଂ ଏହା ଚାଷୀର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ବିଶେଷ କରି ରବି ଫସଲ ଓ ପନିପରିବା ଚାଷ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।

Advertisment

ଆସିକା ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ବ୍ୟାପକ ପରିମାଣରେ ପନିପରିବା ଚାଷ ହୋଇଥିବା ବେଳେ ଗତ କିଛି ଦିନ ଧରି ଲାଗି ରହିଥିବା ଘନ କୁହୁଡ଼ି ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି । ବିନ୍ସ ଚାଷରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ବିନ୍ସ ଗଛଗୁଡ଼ିକ ହଳଦିଆ ପଡ଼ି ଶୁଖିବାକୁ ଲାଗିଲାଣି । ସେହିପରି ଫୁଲକୋବି ଚାଷ ମଧ୍ୟ କୁହୁଡ଼ିରୁ ରକ୍ଷା ପାଇନାହିଁ । ଅତ୍ୟଧିକ ଆର୍ଦ୍ରତା ଓ କୁହୁଡ଼ି ଯୋଗୁଁ କୋବି ଗଛରେ ପୋକ ଲାଗିବା ସହ ଫୁଲଗୁଡ଼ିକ କଳା ପଡ଼ି ନଷ୍ଟ ହେବାରେ ଲାଗିଛି । କେବଳ ପନିପରିବା ନୁହେଁ, ରବି ଜାତୀୟ ଫସଲ ଯଥା ମୁଗ ଓ ବିରି ଚାଷୀଙ୍କ ମଧ୍ୟରେ ଏବେ ହାହାକାର ପଡ଼ିଛି । ଘନ କୁହୁଡ଼ି ଫଳରେ ଏହି ସବୁ ଫସଲରେ ବ୍ୟାପକ ଭାବେ ଯଉଁ ପୋକ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାଫଳରେ ଗଛଗୁଡ଼ିକର ବୃଦ୍ଧି ବାଧାପ୍ରାପ୍ତ ହେଉଛି ଓ ଫୁଲ ଝଡ଼ିବା ଆରମ୍ଭ କଲାଣି ।

ଅଧିକ ପଢ଼ନ୍ତୁ---ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ: ରାଜଧାନୀରୁ ଗାଁ ସବୁଠି ତଳମୁହାଁ ପାରଦ

ଚାଷୀମାନେ ବହୁ କଷ୍ଟ କରି ଧାର କରଜ କରି ଚଳିତ ବର୍ଷ ଚାଷ କରିଥିଲେ । ଭଲ ଅମଳ ଆଶାରେ ଥିବା ଚାଷୀ ଏବେ ପ୍ରକୃତିର ଏହି ରୂପ ଦେଖି ମୁଣ୍ଡରେ ହାତ ଦେଇ ବସିଛି । ସବୁଜ ପନିପରିବା କ୍ଷେତ ଏବେ କୁହୁଡ଼ି ମାଡ଼ରେ ଶେତା ପଡ଼ିଯାଉଛି । ଯଦି ପରିସ୍ଥିତି ଏମିତି ଲାଗିରହେ, ତେବେ ଚଳିତ ଥର ଅମଳ ବହୁ ପରିମାଣରେ ହ୍ରାସ ପାଇବା ସହ ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ସଠିକ୍ ପରାମର୍ଶ ଓ ସହାୟତା ପାଇଁ ଚାଷୀକୁଳ ଅନୁରୋଧ କରିଛନ୍ତି ।