2025 YEAR Incident Photograph: (kanak news)
କନକ ବ୍ୟୁରୋ: ବିଦାୟ ନେବାକୁ ଯାଉଛି ୨୦୨୫ ବର୍ଷ । ଚଳିତ ବର୍ଷ ଶୁଭିଛି ଅଧିକ ଚିତ୍କାର, ଘଟିଛି ଛାତିଥରା ଘଟଣା, କାନ୍ଦିଛି ଦେଶ ଆଉ ଯାଇଛି ଅନେକ ନିରୀହଙ୍କ ଜୀବନ । ଜାନୁଆରିରୁ ଜୁନ୍, ଜୁଲାଇରୁ ଡିସେମ୍ବର ଏହି ୧୨ ମାସରେ ଦେଶ ଦେଖିଛି ବଡ଼ ବଡ଼ ଦୁର୍ଘଟଣା । ୨୦୨୫ ବର୍ଷର ବର୍ଷ ଖୁସି କମ୍ ଦୁଃଖ ଅଧିକ ଆଣିଦେଇ ବିଦାୟ ନେବାକୁ ଯାଉଛି । ମହାକୁମ୍ଭ ଦଳାଚକଟାଠୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ଅଘଟଣ ଭଳି ଅନେକ ଦୁଃଖଦାୟକ ଖବର ଦେଶବାସୀଙ୍କୁ ବ୍ୟଥିତ କରିଛି । ସେଥିପାଇଁ ତ ୨୦୨୫କୁ ଅଶୁଭ ବର୍ଷ ବୋଲି କହୁଛନ୍ତି ଲୋକେ ।
ଚଳିତ ବର୍ଷ ଆରମ୍ଭ ପୂର୍ବରୁ ଜ୍ୟୋତିର୍ବିଦମାନେ ଯାହା ଯାହା ଭବିଷ୍ୟବାଣୀ କରିଥିଲେ ସେଗୁଡ଼ିକ ସବୁ ଧୀରେ ଧୀରେ ସତ ହେବାରେ ଲାଗିଛି । ୨୦୨୫ ବର୍ଷ ସରିବାକୁ ଯାଉଥିବା ବେଳେ ଦେଶ ଦେଖିସାରିଛି ଅନେକ ଦୁଃଖଦାୟକ ଖବର । ଚଳିତ ବର୍ଷର ପ୍ରଥମ ମାସରୁ ହିଁ ଘଟିଥିଲା ବଡ଼ ଅଘଟଣ । ଜାନୁଆରି ୨୯ରେ ଐତିହାସିକ ମହାକୁମ୍ଭ ମେଳାରେ ଦଳାଚକଟା ନେଇଥିଲା ଅନେକଙ୍କ ପ୍ରାଣ । ଏହି ଦଳାଚକଟା ଘଟଣାରେ ପାଖାପାଖି ୩୭ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବାବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।
ଏତିକିରେ ବନ୍ଦ ହୋଇନଥିଲା କୁମ୍ଭ ମେଳା ପାଇଁ କାନ୍ଦ । ମହାକୁମ୍ଭ ମେଳା ବୁଲିବା ପାଇଁ ବଢ଼ୁଥିବା ଉତ୍କଣ୍ଠା ଭିତରେ ଦିଲ୍ଲୀ ରେଲୱେ ଷ୍ଟେସନରୁ ଆସିଥିବା ଦଳାଚକଟାର ଖବର । ଫେବ୍ରୁଆରି ୧୫ ତାରିଖ ଦିଲ୍ଲୀ ରେଲୱେ ଷ୍ଟେସନ ଦଳାଚକଟା ଘଟଣାରେ ୧୮ ଜଣଙ୍କର ଜୀବନ ଯାଇଥିଲା । ଯେଉଁଥିରେ ୧୫ ଜଣ ମହିଳା ଏବଂ ୩ ଜଣ ଛୋଟ ଛୁଆ ସାମିଲ ଥିଲେ । ପବିତ୍ର ମହାକୁମ୍ଭ ଯାତ୍ରା ଅନେକଙ୍କ ପାଇଁ ଜୀବନର ଶେଷ ଯାତ୍ରା ପାଲଟିଗଲା ।
ଅଧିକ ପଢ଼ନ୍ତୁ---ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ : ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୪ପ୍ୟାକେଜଟ ଗଞ୍ଜେଇ ଜବତ
ଖାଲି ଏତିକି ନୁହେଁ ଏପ୍ରିଲ ପହିଲା ଦିନ ହିଁ ଗୁଜରାଟ ବଣାସକାଣ୍ଠା ବାଣ ଫ୍ୟାକ୍ଟ୍ରିର ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଶବାସୀଙ୍କ ଆଖିରୁ ନିଦ ହଜାଇଦେଇଥିଲା । ଏହି ବାଣ ବିସ୍ଫୋରଣ ଘଟଣାରେ ୧୭ ଜଣ ଶ୍ରମିକ ଆଖି ବୁଜିଦେଇଥିଲେ । ଏପଟେ ଏପ୍ରିଲ ସରିବା ପୂର୍ବରୁ ଆସିଥିଲା ବର୍ଷର ସବୁଠାରୁ ଦୁଃଖଦାୟକ ଖବର ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା । ଏପ୍ରିଲ୍ ୨୨ ତାରିଖରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଯାଇଥିଲେ ଶତ୍ରୁଦେଶର ଆତଙ୍କବାଦୀ । ଅନେକ ନବ ଦମ୍ପତିଙ୍କ ‘ସିନ୍ଦୂର’ ଲିଭିଯିବା ପରେ ଭାରତ ନେଇଥିଲା ବଦଲା । ମେ’ ୭ରେ ଅପରେସନ୍ ‘ସିନ୍ଦୂର’ ଜରିଆରେ ସୈତାନଙ୍କୁ ନିପାତ କରି ଦେଶବାସୀଙ୍କ ଛାତିରେ ଜଳୁଥିବା ଆକ୍ରୋଶର ନିଆଁକୁ ଲିଭାଇଥିଲେ ଭାରତୀୟ ଯବାନ ।
କେବେ କେବେ ବର୍ଷ ବର୍ଷର ଅପେକ୍ଷା ଟିକିଏ ଖୁସି ଆଣିଲେ, ସେଥିରେ କାହାର ଯେମିତି ନଜର ଲାଗିଯାଏ । ଠିକ୍ ସେମିତି ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଯେବେ ଆଇପିଏଲ ଟ୍ରଫି ଜିତିଲା ବେଙ୍ଗାଲୁରୁ, ସେତେବେବେଳ ବିଜୟ ଶୋଭାଯାତ୍ରା ପାଲଟିଗଲା ମୃତ୍ୟୁର ଯାତ୍ରା । ଜୁନ୍ ୪ ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ଜୀବନ ଯିବା ସହ ୪୭ରୁ ଅଧିକ ଆହତ ହୋଇଥିଲେ । ଯାହାକୁ ନେଇ ଉଭୟ ଆରସିବି ଏବଂ କର୍ଣ୍ଣାଟକ ସରକାର ବିବାଦରେ ଫସିଯାଇଥିଲେ । ଏପରିକି ଅପେକ୍ଷାର ଚାମ୍ପିୟନ ଟାଇଟଲ ଚିତ୍କାରର ଟ୍ରଫି ଭାବେ ପରିଣତ ହୋଇଗଲା ବୋଲି ଅନେକ କହିଥିଲେ ।
ଏତିକିରେ ସରିନଥିଲା ଜୁନର ଯନ୍ତ୍ରଣା । ଯେତେବେଳେ କ୍ରାସ୍ ହୋଇଯାଇଥିଲା ସ୍ବପ୍ନର ଉଡ଼ାଣ, ସେତେବେଳ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ଅହମ୍ମଦାବାଦ ଆକାଶରେ ଦେଶର ଭୟଙ୍କର ବିମାନ ଦୁର୍ଘଟଣା ୨୪୧ ଜଣ ଯାତ୍ରୀଙ୍କ ଜୀବନ ନେଇଯାଇଥିଲା । ଏପରିକି ଏୟାର ଇଣ୍ଡିଆ ବିମାନ କ୍ରାସ୍ ହୋଇଥିବା ସ୍ଥାନରେ ବି ୩୪ ଜଣ ସାଧାରଣ ଲୋକମାନେ ପ୍ରାଣ ହରାଇଥିଲେ । କହିବାକୁ ଗଲେ ଗୋଟିଏ ଘଟଣା ମୋଟ୍ ୨୭୫ ଜଣଙ୍କ ଜୀବନ ନେଇଗଲା । ସେହିପରି ସେପ୍ଟେମ୍ବରରେ ତାମିଲନାଡୁର କରୁରେ ଅଭିନେତା ତଥ ଟିଭିକେ ପାର୍ଟି ମୁଖ୍ୟ ବିଜୟ ଥାଲାପପତିଙ୍କ ରାଜନୈତିକ ରୋଡ୍ ସୋ ସାରା ଦେଶକୁ କନ୍ଦାଇଥିଲା। ଏହି ଦଳାଚକଟା ଘଟଣାରେ ପାଖାପାଖି ୪୦ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବାବେଳେ ୮୦ ଲୋକ ଆହତ ହୋଇଥିଲେ ।
ଅଧିକ ପଢ଼ନ୍ତୁ--ଭିବି-ଜି ରାମ-ଜି ବିଲ୍କୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ
ଏ ୨୦୨୫ ଏମିତି ଏକ କାଳ ବର୍ଷ ସାଜିଛି ଏଥିରୁ ବାଦ୍ ପଡ଼ିନାହାନ୍ତି ସ୍ବୟଂ ଭଗବାନ । ଚଳିତ ରଥଯାତ୍ରା ଆରମ୍ଭରୁ ବିଭ୍ରାଟ ଦେଖିବାକୁ ମିଳିଥିବାବେଳେ ରଥଯାତ୍ରା ଦିନ ନନ୍ଦିଘୋଷ ନଗଡ଼ିବା ବିଶ୍ବର ଅନେକ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିଲା । ହେଲେ ତା’ଠୁ ଅଧିକ ବଳିଗଲା ଶରଧାବାଲିର ଦଳାଚକଟା ଘଟଣା । ୩ ଜଣ ନିରୀହ ଭକ୍ତଙ୍କ ଜୀବନ ଯିବା ଏବଂ ଏକାଧିକ ଆହତ ହେବା ଖବର ଭକ୍ତଙ୍କୁ କନ୍ଦାଇଥିଲା ।
ବର୍ଷ ଶେଷ ଆଡ଼କୁ ଦେଶର କୋଣ ଅନୂକୋଣରୁ ନିଆଁର ନାଲିଆଖି ଖବର ଆସୁଥିବା ଭିତରେ ଗୋଆ ନାଇଟ୍ କ୍ଲବ ନିଆଁ ସମସ୍ତଙ୍କୁ କନ୍ଦାଇଦେଇଥିଲା । ୨୫ରୁ ଅଧିକ ପର୍ଯ୍ୟଟଙ୍କ ଜୀବନ ଚାଲିଯାଇଥିବାବେଳେ ଏକାଧିକ ଗୁରୁତର ହୋଇଥିଲେ । ସେଥିପାଇଁ ତ ଏ ୨୦୨୫ ବର୍ଷ ସରିବାକୁ ଯାଉଥିଲେ ବି ଛାତିରୁ ଭୟ ଦୂର ହେଉନି ।
Follow Us